ସାତ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ାରେ ଦ୍ୱିତୀୟ ରେଳ ଲାଇନ୍
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) : କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ରେଳ ଯୋଗାଯୋଗ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ସାତ ବର୍ଷ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ରେଳ ଲାଇନ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏତେ କମ୍ ଅବଧି ମଧ୍ୟରେ ଦ୍ୱିତୀୟ ରେଳ ଲାଇନ୍ ନିର୍ମାଣ ହେବା କ୍ଷେତ୍ରରେ କେନ୍ଦ୍ରାପଡ଼ା ସମଗ୍ର ଭାରତବର୍ଷରେ ପ୍ରଥମ ହେବ ବୋଲି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଦୃଢ଼ ମତବ୍ୟକ୍ତ କରିଛନ୍ତି। କାରଣ ଭାରତବର୍ଷର କୌଣସି ରାଜ୍ୟ କିମ୍ବା ଜିଲ୍ଲାରେ ଏତେ କମ୍ ସମୟ ଭିତରେ ଦ୍ୱିତୀୟ ରେଳ ଲାଇନ୍ ନିର୍ମାଣ ହେବାର ନଜିର ନାହିଁ। କେନ୍ଦ୍ରାପଡ଼ା ଡିସ୍ଟିକ୍ଟ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଶ୍ରୀ ପଣ୍ଡା ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବା ସହ ଜିଲ୍ଲାର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ଦିଗରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି କହିଛନ୍ତି। ଏହାସହ ଜିଲ୍ଲାରେ ଖୁବଶୀଘ୍ର ଶିଳ୍ପ କରିଡର ହେବ ବୋଲି ସେ କହିଛନ୍ତି। ଆୟୋଜିତ ଏହି ଭବ୍ୟ ବୋଇତ ବନ୍ଦାଣ ଉତ୍ସବରେ ସାଂସଦ ବୈଜୟନ୍ତ ପଣ୍ଡା ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଏବଂ ସାଧବ ପୁଅମାନଙ୍କ ଗରିମାମୟ ଇତିହାସ ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ପ୍ରାଚୀନ କାଳରେ ଓଡ଼ିଶାର ସାଧବ ପୁଅମାନେ ନିଜର ସାହସ ଓ ଦକ୍ଷତା ବଳରେ ସମୁଦ୍ର ପଥରେ ବିଦେଶକୁ ଯାତ୍ରା କରି ଓଡ଼ିଶାର ଅର୍ଥନୀତି ଓ ସଂସ୍କୃତିକୁ ସମୃଦ୍ଧ କରିଥିଲେ। ସେହି ଗୌରବମୟ ପରମ୍ପରାକୁ ବଜାୟ ରଖି ଆଜି କେନ୍ଦ୍ରାପଡ଼ା ଜିଲ୍ଲାକୁ ଶିଳ୍ପ, ବାଣିଜ୍ୟ ଓ ଗମନାଗମନ କ୍ଷେତ୍ରରେ ଆଗେଇ ନେବାକୁ ପଡ଼ିବ। ଦ୍ୱିତୀୟ ରେଳ ଲାଇନ୍ କାର୍ଯ୍ୟକ୍ଷମ ହେଲେ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ଯାତ୍ରୀବାହୀ ଓ ମାଲବାହୀ ପରିବହନ କ୍ଷେତ୍ରରେ ବ୍ୟାପକ ସୁବିଧା ଉପଲବ୍ଧ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଡିସ୍ଟିକ୍ଟ ବୋଇତ ବନ୍ଦାଣ ସମିତି ପକ୍ଷରୁ ଅୟୋଜିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟାର, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡ. ଜ୍ୟୋତ୍ସ୍ନାରାଣୀ ଜେନା, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ସେଠୀ, ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀ, ବିଜେପି ପୂର୍ବତନ ଜିଲ୍ଲା ସଭାପତି କିଶୋର ପଣ୍ଡା, ସୁନାକର ବେହେରା, ୮ ନଂ ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, କଳପଡ଼ା ସରପଞ୍ଚଙ୍କ ପ୍ରତିନିଧି ପ୍ରଦୀପ୍ତ ସାହୁ, ସମିତି ସଭ୍ୟ ଶିବ ପ୍ରସାଦ ସାହାଣୀ, ସମିତିର ଉପ-ସଭାପତି ଜଗବନ୍ଧୁ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ। ସମିତିର ସଭାପତି କୈଳାଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱରେ ଉପସ୍ଥିତ ଅତିଥିମାନେ ନିଜ ନିଜ ଅଭିଭାଷଣରେ ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ଇତିହାସର ସ୍ମୃତିଚାରଣ କରିଥିଲେ। ଅତୀତରେ କିପରି ଓଡ଼ିଆ ସାଧବ ପୁଅମାନେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୋଇତ ବନ୍ଦାଣ କରି ସୁଦୂର ବାଲି, ଜାଭା, ସୁମାତ୍ରା, ବୋର୍ଣ୍ଣିଓ ଏବଂ ସିଂହଳ ଆଦି ଦ୍ୱୀପପୁଞ୍ଜକୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାଉଥିଲେ, ତାହା ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ । ଏହା ସହ ବର୍ତ୍ତମାନର ଯୁବପିଢ଼ି ନିଜର ଏହି ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ବିଷୟରେ ଜାଣିବା ସହ ସେଥିରୁ ପ୍ରେରଣା ନେବା ଆବଶ୍ୟକ ବୋଲି ଅତିଥିମାନେ ମତ ଦେଇଥିଲେ। ସାଧବ ପୁଅମାନଙ୍କ ଭଳି ଦୁଃସାହସିକ ମନୋଭାବ ନେଇ ଆଗକୁ ବଢ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ପୁଣିଥରେ ବାଣିଜ୍ୟ ଓ ବିକାଶର ପ୍ରାଣକେନ୍ଦ୍ର ପାଲଟିପାରିବ ବୋଲି ବକ୍ତାମାନେ କହିଥିଲେ। ଏହି ବୋଇତ ବନ୍ଦାଣ ଉତ୍ସବରେ ଜିଲ୍ଲାର ବହୁ ବୁଦ୍ଧିଜୀବୀ, ସମାଜସେବୀ, ସାଂସ୍କୃତିକ କର୍ମୀ ଏବଂ ସ୍ଥାନୀୟ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ। ସାଂସଦଙ୍କ ଦ୍ୱାରା ସାତ ବର୍ଷ ମଧ୍ୟରେ ଦ୍ୱିତୀୟ ରେଳ ଲାଇନ୍ ନିର୍ମାଣ ନେଇ କରାଯାଇଥିବା ଘୋଷଣା ଉପସ୍ଥିତ ଜନସାଧାରଣଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଆନନ୍ଦର ଲହରୀ ଖେଳାଇ ଦେଇଥିଲା।


