ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍, ବନ୍ଦ ରହିବ ବାରବାଟୀର ୭ ନମ୍ବର ଗ୍ୟାଲେରି

କଟକ: ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀ ଷ୍ଟାଡ଼ିୟମଠାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏକଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ । ତେବେ ମ୍ୟାଚ୍ ସମୟରେ ବାରବାଟୀର ୭ ନମ୍ବର ଗ୍ୟାଲେରି ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଫଳରେ ବାରବାଟୀରେ ସମୁଦାୟ ଯେତିକି ସଂଖ୍ୟକ ଦର୍ଶକ ଉପସ୍ଥିତ ରହି ଖେଳ ଉପଭୋଗ କରିବା କଥା, ଚଳିତଥର ସେତିକି ରହିବେ ନାହିଁ । ୫ ହଜାରରୁ ଊର୍ଦ୍ଧ୍ୱ ଦର୍ଶକ ଖେଳ ଦେଖିବାରୁ ବଞ୍ଚିତ ହେବେ । ୭ ନମ୍ବର ଗ୍ୟାଲେରି ପୁରୁଣା ହୋଇଥିବାରୁ କାରଣରୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଏକଦିବସୀୟ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍ ପାଇଁ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆରଡିସିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ଖେଳ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହେବାକୁ ଥିବା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା । ଷ୍ଟାଡିୟମର ୭ ନମ୍ବର ଗ୍ୟାଲେରି ପୁରୁଣା ହୋଇଯାଇ ଥିବାରୁ ଏହାକୁ ଏଥର ମ୍ୟାଚ ସମୟରେ ବନ୍ଦ ରଖାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ଗ୍ୟାଲେରିରେ ୫ହଜାର ୩ଶହ ସିଟ୍ ରହିଛି । ଖେଳଦିନ ଷ୍ଟାଡିୟମ ଭିତରେ ଓ ବାହାରେ ୪୦ରୁ ୫୦ ହଜାର ଦର୍ଶକ ଆସିବାକୁ ଥିବାବେଳେ ସେମାନଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରିବା ପାଇଁ ଏଥିରେ ଆଲୋଚନା ହୋଇଛି ।
ମ୍ୟାଚ ପ୍ରାକ୍ଟିସ୍ ଓ ଖେଳ ଦିନ ଖେଳାଳିଙ୍କ ଯିବା ଆସିବାର ବ୍ୟବସ୍ଥା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ୨୨ ତାରିଖରେ ମ୍ୟାଚ ହେବାକୁ ଥିବା ବେଳେ ୨୦ ଓ ୨୧ ତାରିଖରେ ଦୁଇ ଦଳ ପଡିଆରେ ନେଟ୍ ପ୍ରାକ୍ଟିସ୍ କରିବେ । ସକାଳ ୯ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ୍ ଓ ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଭାରତ ଦଳ ନେଟ୍ ପ୍ରାକ୍ଟିସ୍ କରିବ ବୋଲି ସୂଚନା ଦିଆଯାଇଛି । ଏଥିରେ ବିଶେଷ ଭାବେ ଷ୍ଟାଡିୟମକୁ ସଂଯୁକ୍ତ କରୁଥିବା ସମସ୍ତ ରାସ୍ତାରେ ଆଲୋକ, ସଫେଇ କରିବା ସହିତ ଖେଳାଳି ଆସିବାକୁ ଥିବା ଶିଖରପୁର-ଯୋବ୍ରା ରାସ୍ତାକୁ ସଜେଇବାକୁ ନିଷ୍ପତ୍ତି ନିଆଯାଇଛି । ଟିକଟ ବିକ୍ରି ହେବା ଦିନଠାରୁ ଖେଳ ଶେଷ ହେବାଯାଏ ଷ୍ଟାଡ଼ିୟମ ନିକଟରେ ପିଇବା ପାଣିର ବ୍ୟବସ୍ଥା, ସଫେଇକୁ ଗୁରୁତ୍ୱ ଦେବା ସହିତ ଖେଳ ଦିନ ଷ୍ଟାଡିୟମ ନିକଟରେ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି ରଖାଯିବ । ଖେଳ ଶେଷ ହେଲେ ଗଡ଼ଗଡ଼ିଆ ଠାରୁ ଭୁବନେଶ୍ୱର ଓ ଚୌଦ୍ୱାରକୁ ମୋ ବସ୍ ଓ ଅଟୋ ଚଳାଇବାକୁ ଏଥିରେ ନିଷ୍ପତ୍ତି ହୋଇଛି । ୨୨ ତାରିଖରେ ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ପିଇବା ପାଣି ଯୋଗାଇ ଦିଆଯିବା ସହିତ ଘରୋଇ ସଂସ୍ଥା ପକ୍ଷରୁ ଖାଦ୍ୟ ବିକ୍ରି କରାଯିବ । ଷ୍ଟାଡ଼ିୟମ ମଧ୍ୟରେ ଦର୍ଶକଙ୍କ ବିଭିନ୍ନ ସମସ୍ୟା ବୁଝିବାକୁ ଓସିଏ ପକ୍ଷରୁ ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀ ଓ ସଫେଇ କର୍ମଚାରୀ ନିୟୋଜିତ ହେବେ । ୯ ହଜାର ୩ଶହ ୧୦ଟି ଟିକେଟ୍ ଅନ୍ ଲାଇନରେ ଡିସେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ବିକ୍ରି କରାଯିବ । ୧୯ ଓ ୨୦ ତାରିଖରେ ପାଖାପାଖି ୨୨ ହଜାର ଟିକଟ ଷ୍ଟାଡ଼ିୟମ କାଉଣ୍ଟରେ ସକାଳ ୯ରୁ ଅପରାହ୍ନ ୫ଟା ମଧ୍ୟରେ ଅଫ୍ ଲାଇନରେ ବିକ୍ରି କରାଯିବ ବୋଲି ସୂଚନା ଦିଆଯାଇଛି । ଆଜିର ବୈଠକରେ ଜିଲ୍ଲାପାଳ ଭାବାନୀ ଶଙ୍କର ଚୟନୀ, ସିଏମ୍‌ସି କମିସନର ଅନନ୍ୟା ଦାସ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା, ଉପ ସଭାପତି ଅକ୍ଷୟ କୁମାର ସାମନ୍ତ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ