ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶି ସମ୍ପୂର୍ଣ୍ଣ ବେଆଇନ ଥିଲା : ଇଣ୍ଡିଆନ ସିଟିଜେନ୍ସ ପାର୍ଟି
କଟକ, (ଯୁଗାବ୍ଦ ନ୍ୟୁଜ):ସହିଦ ଲକ୍ଷ୍ମଣ ନାୟକଙ୍କ ଫାଶି ସମ୍ପୂର୍ଣ୍ଣ ବେଆଇନ ଥିଲା ବୋଲି ବିସ୍ଫୋରକ ବୟାନ ଦେଇଛନ୍ତି ଇଣ୍ଡିଆନ ସିଟିଜେନ୍ସ ପାର୍ଟିର ସଭାପତି ତଥା ଓଡ଼ିଶା ହାଇକୋର୍ଟର ଆଡ଼ଭୋକେଟ ରମେଶ ଚନ୍ଦ୍ର ରାଉତ । କଟକ ସିଡ଼ିଏ ସେକ୍ଟର-୬ରେ ଅବସ୍ଥିତ ଇଣ୍ଡିଆନ ସିଟିଜେନ୍ସ କାର୍ଯ୍ୟାଳୟରେ ସକାଳ ୧୧ ଘଟିକା ସମୟରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ସଭା, ସଭାପତି ଆଡ଼ଭୋକେଟ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଇଣ୍ଡିଆନ ସିଟିଜେନ୍ସ ପାର୍ଟିର କର୍ମକର୍ତ୍ତମାନେ ସହିଦ ଲକ୍ଷ୍ମଣ ନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ୧୮୯୯ ମସିହା ନଭେମ୍ବର ୨୨ ତାରିଖରେ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମିତ ଲକ୍ଷ୍ମଣ ନାୟକଙ୍କୁ ତତ୍କାଳୀନ ବ୍ରିଟିଶ ସରକାର ଏକ ମିଥ୍ୟା ହତ୍ୟା ଅଭିଯୋଗରେ ଅଭିଯୁକ୍ତ କରି ୧୯୪୩ ମସିହା ମାର୍ଚ୍ଚମାସ ୨୯ ତାରିଖରେ ବ୍ରହ୍ମପୁର ଜେଲରେ ଫାଶି ଦେଇଥିଲେ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ୧୯୪୨ ମସିହା ଅଗଷ୍ଟ ମାସ ୨୧ ତାରିଖରେ ଲକ୍ଷ୍ମଣ ନାୟକ ଏକ ଶୋଭାଯାତ୍ରାର ନେତୃତ୍ୱ ନେଇ ମାଥିଲି ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିଥିଲେ । ବ୍ରିଟିଶ ପୋଲିସ୍ର ଆଖିବୁଜା ଗୁଳିଚାଳନା ଯୋଗୁ ୪୦ ଜଣଙ୍କର ମୃତ୍ୟୁ ହେବା ସହ ୨୦୦ରୁ ଅଧିକ ଆହତ ହୋଇଥିଲେ । ପରେ ବ୍ରିଟିଶ ସରକାର ଲକ୍ଷ୍ମଣ ନାୟକଙ୍କୁ ଫରେଷ୍ଟଗାର୍ଡ଼ ଜି. ରାମାୟାଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଫଶାଇ ଦେଇଥିଲେ । ଜି. ରାମାୟା ବାସ୍ତବରେ ପୋଲିସ୍ ଗୁଳିରେ ମୃତ୍ୟୁବରଣ କରିଥିଲେ । ପାଟନା ହାଇକୋର୍ଟରେ ଆଡ଼ଭୋକେଟ ପିତାମ୍ବର ମିଶ୍ର ଲକ୍ଷ୍ମଣ ନାୟକଙ୍କ ତରଫରୁ ଅପିଲ ଦାଖଲ କରିଥିଲେ । ଜଷ୍ଟିଜ ଏଚ୍.ଆର. ମେରେଡିଥ ଓ ଜଷ୍ଟିଜ ପିଟର ଏଚ୍.ଆର ବ୍ରଫ୍ ଅପିଲ ଶୁଣିଥିଲେ ମଧ୍ୟ ତଳ କୋର୍ଟର ଫାଶି ଦଣ୍ଡାଦେଶକୁ କାଏକ ରଖିଥିଲେ । ଲକ୍ଷ୍ମଣ ନାୟକ ଫାଶି ପାଇବାର ଅଳ୍ପଦିନ ପରେ କଲିକତା ହାଇକୋର୍ଟ ଲକ୍ଷ୍ମଣ ନାୟକ ଫାଶି ପାଇଥିବା ଆଇନକୁ ବେଆଇନ ଘୋଷଣା କରିଥିଲେ ମଧ୍ୟ ସେତେବେଳେ ଲକ୍ଷ୍ମଣ ନାୟକଙ୍କୁ ଫାଶି ଦେଇସାରିଥିଲେ । ଫାଶିଖୁଣ୍ଟକୁ ଯିବା ପୂର୍ବରୁ ବ୍ରହ୍ମପୁର ଜେଲ ସୁପରିଟେଣ୍ଡଣ୍ଟ ଲକ୍ଷ୍ମଣ ନାୟକଙ୍କ ତାଙ୍କର ଶେଷ ଇଚ୍ଛା ପଚାରିଥିଲେ । ଲକ୍ଷ୍ମଣ ନାୟକ ବୀରତ୍ୱର ସହ ନିର୍ଭିକ ଭାବେ ଫାଶିଖୁଣ୍ଟକୁ ଚାଲି ଚାଲି ଯାଇଥିଲେ ଏବଂ କହିଥିଲେ ‘ସୂର୍ଯ୍ୟ ଯଦି ସତ୍ୟ ଏବଂ ଚନ୍ଦ୍ର ଯଦି ସତ୍ୟ, ତେବେ ମଦର ଇଣ୍ଡିଆ ମଧ୍ୟ ବ୍ରିଟିଶ କବଳରୁ ମୁକ୍ତ ହେବ, ଏକଥା ମଧ୍ୟ ସତ୍ୟ’ । ଅନ୍ୟମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲିକ, କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ, ଆଡ଼ଭୋକେଟ କ୍ଷୀରୋଦ କୁମାର ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


