କଟକରେ ସମସ୍ତ ପୂଜା ପର୍ବ ଶାନ୍ତିପୂର୍ଣ୍ଣ ସମ୍ପନ୍ନ, ପୂଜା ଓ ଶାନ୍ତି କମିଟିକୁ ସମ୍ବର୍ଦ୍ଧନା
କଟକ, (ଓ୍ବାଇଏନଏସ): ଐତିହାସିକ ରୌପ୍ୟନଗରୀ କଟକରେ ୨୦୨୬ ମସିହାର ଗଣେଶ ପୂଜାଠାରୁ ଆରମ୍ଭ କରି ଦୁର୍ଗାପୂଜା, କାଳୀପୂଜା, କାର୍ତ୍ତିକେଶ୍ୱର ପୂଜା ଓ ଭସାଣି ଉତ୍ସବ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏହି ସଫଳତାରେ କଟକ ମହାନଗର ନିଗମର ମେୟର ସୁବାସ ସିଂହ ଓ କମିଶନର କିରଣଦୀପ କୌର ସହୋତାଙ୍କ ସମନ୍ୱିତ ଉଦ୍ୟମ ସହ ପୂଜା କମିଟି, ଶାନ୍ତି କମିଟି, ପ୍ରଶାସନ ଓ ସହରବାସୀଙ୍କ ସହଯୋଗ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପୂଜା ଓ ଭସାଣିକୁ ସୁବ୍ୟବସ୍ଥିତ କରିବା ପାଇଁ ସିଏମ୍ସି ପକ୍ଷରୁ ରାସ୍ତା ମରାମତି, ପରିମଳ, ଆଲୋକୀକରଣ, ବିପଦଜନକ ଗଛ ଡାଳ କାଟିବା ଓ ଦେବୀଗଡ଼ାର ସୌନ୍ଦର୍ଯ୍ୟକରଣ ଭଳି ବିଭିନ୍ନ ବ୍ୟବସ୍ଥା କରାଯାଇଥିଲା। ଚଳିତ ବର୍ଷ ପ୍ରଥମ ଥର ପାଇଁ ହାଇଡ୍ରା ମେସିନ୍ ସହାୟତାରେ ମୂର୍ତ୍ତି ବିସର୍ଜନ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଥିଲା, ଯାହା ବିସର୍ଜନ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିଥିଲା। ଏହି ଅବସରରେ କଟକ ଇନ୍ କଟକସ୍ଥିତ ମଧୁ ମଞ୍ଚଠାରେ ସିଏମ୍ସି ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ପୂଜା କମିଟି, କଟକ ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଓ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ବିଭିନ୍ନ ଦଳର ନେତା, ସାମାଜିକ କର୍ମୀ ଓ ଶାନ୍ତି କମିଟିର ସଦସ୍ୟମାନେ ଯୋଗ ଦେଇଥିଲେ। ସଭାରେ ମେୟର ସୁବାସ ସିଂହ କଟକର ଐତିହାସିକ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍ଭାବନା ବଜାୟ ରଖିବାରେ ସମସ୍ତଙ୍କ ସହଯୋଗକୁ ପ୍ରଶଂସା କରିଥିଲେ। ଶେଷରେ ସିଏମ୍ସିର କର୍ପୋରେଟର ତଥା ବିରୋଧୀ ଦଳ ନେତା ଗୋପାଳ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


