ବାଲିଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ କ୍ରୁଟ ର ବଡ଼ ପଦକ୍ଷେପ, ଗଡ଼ିଲା ଅତିରିକ୍ତ ଆଉ ୨୦ ଆମ ବସ୍
କଟକ (ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରାକୁ ଆସୁଥିବା ଲକ୍ଷାଧିକ ଜନସାଧାରଣଙ୍କ ଯାତାୟାତକୁ ସୁଗମ ଓ ସୁବିଧାଜନକ କରିବା ପାଇଁ କ୍ରୁଟ ପକ୍ଷରୁ ଅତିରିକ୍ତ ୨୦ଟି ଆମ ବସ୍ ନିୟୋଜିତ କରାଯାଇଛି। ଏହାକୁ ମିଶାଇ ବାଲିଯାତ୍ରା ପାଇଁ ଚଳାଚଳ କରୁଥିବା କ୍ରୁଟ ଆମ ବସ୍ର ମୋଟ ସଂଖ୍ୟା ୭୦ରେ ପହଞ୍ଚିଛି। ପୂର୍ବରୁ ୫୦ଟି ଆମ ବସ୍ ଯାତ୍ରୀ ସେବାରେ ନିୟୋଜିତ ଥିବାବେଳେ ଯାତ୍ରୀଙ୍କ ବର୍ଦ୍ଧିତ ଭିଡ଼କୁ ଦେଖି ଏହି ଅତିରିକ୍ତ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ପ୍ରଶାସନର ଅନୁରୋଧକ୍ରମେ କ୍ରୁଟ ପକ୍ଷରୁ ନୂତନ ବସ୍ ଗୁଡ଼ିକୁ ଚଳାଚଳରେ ସାମିଲ କରାଯାଇଛି। ଏହି ନିଷ୍ପତ୍ତି ପୂର୍ବରୁ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ବାଲିଯାତ୍ରା ପଡ଼ିଆର ପାର୍କିଂ ବ୍ୟବସ୍ଥା ଅନୁଧ୍ୟାନ କରିବା ସହ ଚହଟାଠାରେ ପହଞ୍ଚି କ୍ରୁଟ ବସ୍ ଗୁଡ଼ିକର ଉପଲବ୍ଧତା ଓ ପରିଚାଳନା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଯାତ୍ରୀଙ୍କ ଆବଶ୍ୟକତା ଏବଂ ପରିବହନ ବ୍ୟବସ୍ଥାର ସ୍ଥିତିକୁ ଆକଳନ କରି ଅତିରିକ୍ତ ବସ୍ ଚଳାଚଳ ପାଇଁ ପଦକ୍ଷେପ ନିଆଯାଇଛି। ବାଲିଯାତ୍ରା ସମୟରେ ସହରରେ ଯାନବାହନ ଚଳାଚଳ ଓ ଯାତ୍ରୀଙ୍କ ଭିଡ଼ ବଢ଼ୁଥିବାରୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଅତିରିକ୍ତ ଆମ ବସ୍ ନିୟୋଜନ ଦ୍ୱାରା ଦର୍ଶକମାନେ ଯାତାୟାତରେ ଅଧିକ ସୁବିଧା ପାଇବା ସହ ପାର୍କିଂ ଅଞ୍ଚଳରୁ ମେଳା ପଡ଼ିଆକୁ ଯିବାଆସିବାରେ ସହାୟତା ମିଳିବ ବୋଲି ଆଶା କରାଯାଉଛି। ବାଲିଯାତ୍ରାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ଯାତ୍ରୀ ଅନୁକୂଳ କରିବା ଦିଗରେ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ୟମ ଭାବେ ଦେଖାଯାଉଛି।


