ନେତାଜୀ କୂଳୀନ କ୍ରାନ୍ତିର କାଳଜୟୀ କଣ୍ଠସ୍ୱର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁବାଷ ଚନ୍ଦ୍ର ବୋଷ କୂଳୀନ କ୍ରାନ୍ତିର କାଳଜୟୀ କଣ୍ଠସ୍ୱର । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜନକ ନେତାଜୀ ବଂଚିନାହାଁନ୍ତି ତାଙ୍କୁ ଷଡଯନ୍ତ୍ର କରି ମାରିଦିଆଯାଇଛି । ଭୋଟ୍ ରାଜନୀତିରେ ତାଙ୍କୁ ବ୍ୟବସାୟୀକରଣ କରାଯାଉଛି ବୋଲି ବିଶିଷ୍ଟ ଶ୍ରମିକନେତା, ସାମ୍ବାଦିକ ମାୟାଧର ନାୟକ ୩୦ ତାରିଖରେ ଭୁବନେଶ୍ୱର ଗୀତଗୋବିନ୍ଦ ଭବନରେ ଚାଲିଥିବା ଓଡିଶା ଆର୍ଟ ଆଣ୍ଡ୍ କଲ୍‌ଚର୍ ଫେଷ୍ଟିଭାଲ୍ ୨୦୨୨ର ଏକ ପ୍ୟାନେଲ୍ ବକ୍ତବ୍ୟରେ ମତବ୍ୟକ୍ତି କରିଛନ୍ତି । ଏହି ପ୍ୟାନେଲକୁ ବିଶିଷ୍ଟ ସାମ୍ବାଦିକ କେଦାର ମିଶ୍ର ସଂଯୋଜନା କରୁଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂପର୍କରେ ଗବେଷଣାରତ ବରିଷ୍ଠ ସାମ୍ବାଦିକ କିଂଶୁକ ନାଗ ପ୍ୟାନେଲ୍‌ରେ ଥିଲେ । ଏହି ଫେଷ୍ଟିଭାଲ୍ ନିର୍ଦ୍ଦେଶକ ମନୁ ଦାସଙ୍କ ପ୍ରଯୋଜନାରେ ୩ ଦିନ ଧରି ଚାଲିଥିଲା ।ଶ୍ରୀ ନାୟକ ମୂଳ ପ୍ରଶ୍ନ ନେତାଜୀ ଜୀବିତ ବା ମୃତରେ ମତାମତ ଦେଇ କହିଲେ – ନେତାଜୀ ସୁବାଷଙ୍କ ନାମ ସ୍ମରଣ ମାତ୍ରେ ପ୍ରତ୍ୟେକ ଭାରତୀୟ ମନରେ ବିପ୍ଲବୀ ଶିହରଣ ଜାଗ୍ରତ ହୁଏ । ଗାନ୍ଧୀଜୀ ସିନା ଜାତିର ଜନକ କିନ୍ତୁ ନେତାଜୀ ଥିଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜନକ । କ୍ରାନ୍ତିର କିମ୍ବଦନ୍ତୀ । ଆମେ ଭାରତବାସୀ ପିତାଜୀ (ମହାତ୍ମାଗାନ୍ଧୀ) ଚାଚାଜୀ (ଜବାହର ଲାଲ୍ ନେହେରୁ) ନେତାଜୀ (ସୁବାଷ ଚନ୍ଦ୍ର ବୋଷ)ଙ୍କୁ ବୁଝନ୍ତି । ପୃଥିବୀ ଇତିହାସରେ ଏମାନଙ୍କ ନାଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ । ମହାତ୍ମାଗାନ୍ଧୀଙ୍କୁ ଚାଚାଜୀ, ନେତାଜୀ ମାନୁଥିଲେ, କିନ୍ତୁ ଗାନ୍ଧୀଜୀ ଥିଲେ ନରମପନ୍ଥୀ, ନେତାଜୀ ଥିଲେ ଚରମପନ୍ଥୀ । ଗାନ୍ଧୀଜୀ ଅହିଂସାରେ ସ୍ୱାଧୀନତା ଆନ୍ଦୋଳନ କରୁଥିଲାବେଳେ ନେତାଜୀ କିନ୍ତୁ ଲଢେଇ କରି ସ୍ୱାଧୀନତା ହାସଲ ଚାହୁଁଥିଲେ । ସେ କହିଥିଲେ – ମୋତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବି । ହାରିଗୁହାରି କରି ସ୍ୱାଧୀନତା ଅର୍ଜନ କରାଯାଏନା । ଗୋଲାମୀରୁ ମୁକ୍ତି ପାଇଁ ଲଢିବାକୁ ହେବ । ଏହି ଚରମପନ୍ଥାରେ ଗାନ୍ଧୀଜୀ, ନେହେରୁ ରାଜିନଥିଲେ । ଏପରିକି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ନିର୍ବାଚନରେ ଗାନ୍ଧୀଜୀଙ୍କ ମନୋନୀତ ପ୍ରାର୍ଥୀଙ୍କୁ ସୁବାଷ ବୋଷ ହରାଇ ସଭାପତି ଆସନ ଅଳଙ୍କୃତ କରିଥିଲେ । କଂଗ୍ରେସ ଦଳ ଭିତରୁ ତାଙ୍କୁ ପ୍ରଚଣ୍ଡ ବିରୋଧ ହେଲା । ଷଡଯନ୍ତ୍ର ମଧ୍ୟ ହେଲା । ସାମ୍ରାଜୀବାଦୀ ଗୋଲାମୀରୁ ମୁକ୍ତି ପାଇଁ ଦେଶଛାଡି ପଳାଇ ବିଦେଶ ମାଟିରେ ଆଜାଦ୍ ହିନ୍ଦ୍ ଫୌଜ୍ ଗଢି ସଂଗ୍ରାମ ଚଳାଇଲେ । ବହୁ ଅକୁହା ଇତିହାସ ଏବେବି ଅଧିକାଂଶଙ୍କର ଗୋଚର ହୋଇନି । ଦ୍ୱିତୀୟ ଯୁଦ୍ଧ ପରେ ବ୍ରିଟିଶ୍ ଦେଶ ଛାଡିବାକୁ ପ୍ରସ୍ତୁତ ହେଉଥିବା ସମୟରେ ନେତାଜୀ ଦେଶକୁ ଫେରିବାକୁ ଘୋଷଣା କଲେ । ସେତେବେଳେ ଜବାହର ଲାଲ୍ ନେହେରୁ କହିଲେ – ସୁବାଷ ଦେଶକୁ ଫେରଲେ ମୁଁ ତାଙ୍କୁ ଖଣ୍ଡାରେ ସ୍ୱାଗତ କରିବି । ନେତାଜୀ ଫେରିଲାବେଳେ ଉଡାଜାହାଜ ଦୁର୍ଘଟଣାରେ ପ୍ରାଣ ହରାଇଲେ ବୋଲି ସମ୍ବାଦ ପ୍ରକାଶ ପାଇଲା । ଶ୍ରୀ ନାୟକ ଦୃଢ ମତବ୍ୟକ୍ତ କରି କହିଲେ – ନେତାଜୀ ମୃତ କି ଜୀବିତ ଏ ସଂପର୍କରେ ଦୀର୍ଘ ୭୭ ବର୍ଷ ତର୍କବିତର୍କ ଚାଲିଛି । କେତେ ତଦନ୍ତ କମିଶନ୍ ବସି ରାଜକୋଷରୁ କୋଟି କୋଟି ଟଙ୍କା ବରବାଦ ହେଲାଣି । କିନ୍ତୁ ଫଳଶୂନ୍ । ନେତାଜୀ ଜୀବିତ ନାହାଁନ୍ତି, ତାଙ୍କର ଷଡଯନ୍ତ୍ରମୂଳକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ଶେଷ ପ୍ରଶ୍ନରେ ଶ୍ରୀ ନାୟକ କହିଲେ – ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ନେତାଜୀଙ୍କୁ ନେଇ ଭୋଟ୍ ରାଜନୀତି ଚାଲିଛି । ତାଙ୍କ ନାଁକୁ ନେଇ ବ୍ୟବସାୟୀକରଣ କରାଯାଉଛି । ସବୁ ପ୍ରଧାନମନ୍ତ୍ରୀ ଜବାହର ଲାଲ୍ ନେହେରୁଙ୍କ ଠାରୁ ଆରମ୍ଭ କରି ମୋଦି ଏପରିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପର୍ଯ୍ୟନ୍ତ ସମସ୍ତେ ତଦନ୍ତ କମିଶନ୍ ବସାଇ ନେତାଜୀଙ୍କ ସ୍ମୃତିଚାରଣ କରୁଛନ୍ତି । ପ୍ରକୃତରେ ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାରେ ଦେଖାଯାଉନି । କେତେ ନେତା, କେତେ ମନ୍ତ୍ରୀ ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ଅଦୃଶ୍ୟ ହୋଇଯାଇପାରନ୍ତି କିନ୍ତୁ ସୂର୍ଯ୍ୟ ଚନ୍ଦ୍ର ଥିବାଯାଏ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଦର୍ଶନ ଉଜ୍ୱଳ ନକ୍ଷତ୍ର ଭଳି ପ୍ରତିହତ ହେଉଥିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ