କନ୍ଧମାଳରେ ଚିହ୍ନଟ ହେବ ଅଗ୍ନି ଅସୁରକ୍ଷିତ ସ୍ଥାନ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନି ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସର୍ବୋତ୍ତମ ସମନ୍ୱୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି। ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି, ଯାହା କନ୍ଧମାଳ ଜିଲ୍ଲାରେ ଜାନୁଆରୀ ମାସରୁ ଆରମ୍ଭ ହେବ। ସ୍ଥାନୀୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଗ୍ନି ନିବାରଣ ଏବଂ ପ୍ରଶମନ ବୈଠକରେ ଜିଲ୍ଲାରେ ଅଧିକାଂଶ ଲୋକ ଗଛ କାଟିବା ଓ ପୋଡ଼ୁ ଚାଷ କରିବା ଦ୍ୱାରା ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଉଛି ବୋଲି ମତ ପ୍ରକାଶ ପାଇଛି। ଜିଲ୍ଲାର ମୋଟ ୮ହଜାର ୨୧ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ ପ୍ରାୟ ୬ହଜାର ୩୬୮ବର୍ଗ କିଲୋମିଟର ଅଞ୍ଝଳରେ ଜଙ୍ଗଲ ରହିଛି ଅର୍ଥାତ୍ ଜିଲ୍ଲାରେ ଶତକଡ଼ା ୭୯ ଭାଗ ଜଙ୍ଗଲ ରହିଛି । ଏହି ଜଙ୍ଗଲ ସେମାନଙ୍କର ଏବଂ ସେମାନେ ଭବିଷ୍ୟତରେ ଏଥିରୁ ଲାଭବାନ ମଧ୍ୟ ହୋଇପାରିବେ। ସେମାନେ ଯଦି ବୃକ୍ଷ ନ କାଟି ଓ ନିଆଁ ନଲଗାଇ କିଛି ଦାମୀ ଔଷଧୀୟ ବୃକ୍ଷ ଲଗାଇବେ ତେବେ ବହୁ ଲାଭବାନ ହୋଇପାରିବେ। ଚାଷ ପାଇଁ ଗଛ କାଟି ନିଆଁ ଲଗାଇଦେଲେ ସେମାନଙ୍କର ଲାଭ ବଦଳରେ କ୍ଷତି ହେଉଛି ବୋଲି ଜିଲ୍ଲାପାଳ କହିଥିଲେ। ସେଥିପାଇଁ ଅଗ୍ନି ଅସୁରକ୍ଷିତ ଅଞ୍ଝଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ ବୋଲି ସେ କହିଥିଲେ। ସ୍ୱେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ କାର୍ଯ୍ୟକରୁଥିବା କୌଶିକ ସାହୁ କହିଲେ, ଯେଉଁ ଅଞ୍ଚଳର ଲୋକମାନେ ଚାଷ ଉ​ଦ୍ଦେ‌ଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଛନ୍ତି ସେହିମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ବିଶ୍ୱରାଜ୍ ପଣ୍ଡା, ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍, ଫୁଲବାଣୀ ଉପ ଜିଲାପାଳ ଶେଷଦେବ ମିଶ୍ର, ପ୍ରମୁଖ ଜିଲାରେ ଆବଶ୍ୟକ ସଚେତନତା ଉପରେ ମତ ରଖିଥିଲେ। ଜିଲ୍ଲାର ବିିଭିନ୍ନ ପଞ୍ଝାୟତ ସମିତି ଅଧ୍ୟକ୍ଷ-ଅଧ୍ୟକ୍ଷା, ବନବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତିମାନେ ସେମାନଙ୍କର ମତ ରଖିବା ସହିତ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ଅବଗତ କରାଇଥିଲେ। ଫୁଲବାଣୀ ବନଖଣ୍ଡର ସହକାରୀ ବନ ସଂରକ୍ଷକ ମଳୟ ରଞ୍ଜନ କାଲୋ ପାୱାର ପଏଣ୍ଟ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ, ନିରାକରଣ ଓ ପ୍ରତିରୋଧ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ ଏବଂ ୨୦୨୩ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରଚେଷ୍ଟା ଉପରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ନରେଶ ଶବର, ସହକାରୀ ବନ ସଂରକ୍ଷକ, ବାଲିଗୁଡ଼ା ସୌମ୍ୟରଞ୍ଜନ ସାହୁ, ସହକାରୀ ବନ ସଂରକ୍ଷକ, କେନ୍ଦୁଲିଫ୍ ଅନୀଲ କୁମାର ରାୟଙ୍କ ସମେତ ବନ ବିଭାଗ ତଥା ଅନ୍ୟ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ