କନ୍ଧମାଳ ହଳଦୀ ଚାଷକୁ ନୂଆ ଦିଗ: ଜିଲ୍ଲା ପ୍ରଶାସନ ଓ MCL ମଧ୍ୟରେ MoU ସ୍ୱାକ୍ଷରିତ
କନ୍ଧମାଳ (ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲାର ପାରମ୍ପରିକ ହଳଦୀ ଚାଷକୁ ଆହୁରି ସମୃଦ୍ଧ କରିବା ସହ ‘ସାଲେମ୍’ କିସମ ହଳଦୀ ଚାଷର ପ୍ରସାର ପାଇଁ ଜିଲ୍ଲା ପ୍ରଶାସନ ଓ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ମଧ୍ୟରେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରଠାରେ MCLର କର୍ପୋରେଟ୍ ସାମାଜିକ ଉତ୍ତରଦାୟିତ୍ୱ (CSR) ପଦକ୍ଷେପ ଅଧୀନରେ ଏହି MoU ସ୍ୱାକ୍ଷର କରାଯାଇଛି। ଏହି MoUରେ MCL ପକ୍ଷରୁ ମହାପ୍ରବନ୍ଧକ ଶ୍ରୀ ଜ୍ୟୋତିର୍ମୟ ସିଂହ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦର ଡେପୁଟି ସିଇଓ (ORMAS) ଶ୍ରୀ ଗୁଣ୍ଡିଚା ବେହେରା ପ୍ରତିନିଧିତ୍ୱ କରି ସ୍ୱାକ୍ଷର କରିଥିଲେ। ସାଲେମ୍ କିସମ ହଳଦୀରେ ପାରମ୍ପରିକ କିସମ ତୁଳନାରେ ଅଧିକ କରକ୍ୟୁମିନ୍ ଥିବାରୁ ଏହାର ଔଷଧୀୟ ଓ ବ୍ୟବସାୟିକ ମୂଲ୍ୟ ଅଧିକ ବୋଲି ପ୍ରକଳ୍ପ ପକ୍ଷରୁ ଆଶା କରାଯାଉଛି। ଏହା ସହିତ ଏହି କିସମର ଚାଷ ଦ୍ୱାରା ହଳଦୀର ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ପାଇବା ସହ ଚାଷୀମାନଙ୍କ ଆୟ ବଢ଼ିବାର ସୁଯୋଗ ସୃଷ୍ଟି ହେବ। ଜିଲ୍ଲା ପ୍ରଶାସନ ଓ MCLର CSR ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ କନ୍ଧମାଳର ହଳଦୀ ଚାଷକୁ ଅଧିକ ସଂଗଠିତ ଓ ବ୍ୟବସାୟିକ ରୂପ ଦେବାରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି। ଏହା ମାଧ୍ୟମରେ ହଳଦୀ ଚାଷୀଙ୍କ ଜୀବିକା ଓ ଆର୍ଥିକ ସ୍ଥିତିରେ ସକାରାତ୍ମକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି।


