ଶ୍ରମିକ ଭାବେ କାମ କରି ମଜୁରୀ ନପାଇବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ପଲେଇ ଗ୍ରାମପଞ୍ଚାୟତର କଣିପଡା ମୈାଜାର ଜର୍ବକାର୍ଡଧାରୀମାନେ ମନରେଗା ପ୍ରକଳ୍ପରେ ଶ୍ରମିକ ଭାବେ କାମ କରି ବର୍ଷାଧିକ କାଳ ଧରି ମଜୁରୀ ପାଇନଥିବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିରହିଛନ୍ତି । ୨୦୨୧ମସିହା ଫେବୃୟାରୀମାସ ଠାରୁ ଜୁନମାସ ପର୍ଯ୍ୟନ୍ତ ଅନଶନରେ ବସିଥିବା ଶ୍ରମିକମାନେ ମନରେଗା ଅନ୍ତର୍ଗତ ରଖିଆ ଦଣ୍ଡା ପୋଖରୀ ଖୋଳିବା, ସବଳଙ୍ଗ ବଡ ପୋଖରୀ, ଗୋହରୀ ମୁଣ୍ଡ ରାସ୍ତା କାମ ପ୍ରଭୃତି କାର୍ଯ୍ୟକରି ଏପର୍ଯ୍ୟନ୍ତ ମଜୁରୀ ପାଇନାହାନ୍ତି । ଏସମ୍ପର୍କରେ ଗ୍ରାମରୋଜଗାର ସେବକ, ଗ୍ରାମସାଥୀ, ସରପଞ୍ଚ, ବିଡିଓ ଏବଂ ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଅପରପକ୍ଷରେ ଉପରୋକ୍ତ ପ୍ରକଳ୍ପ ଗୁଡିକରେ ମାତ୍ର ୪୦ରୁ ୫୦ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ଗ୍ରାମରୋଜଗାର ସେବକ, ଗ୍ରାମସାଥୀ, ପଞ୍ଚାୟତନିର୍ବାହୀ ଅଧିକାରୀ ପ୍ରମୁଖ ଚଞ୍ଚକତା କରି କାମକରିଥିବା ଏହି ଶ୍ରମିକମାନଙ୍କ ବଦଳରେ କାମକରୁନଥିବା କେତେକ ଠକ, ଶଯ୍ୟାଶାୟୀ ଓ ୬୦ବର୍ଷରୁ ଉର୍ଦ୍ଧ୍ୱ ଲୋକମାନଙ୍କ ନାମରେ ବିଲକରି ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ତେଣୁ ଅନଶନକାରୀ ଶ୍ରମିକମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା ଏବଂ ସେହିଦିନ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଜୁରୀ ଉପରେ ସୁଧ ପ୍ରଦାନ ସହିତ କ୍ଷତିପୁରଣ ବାବଦକୁ ୫ହଜାର ଟଙ୍କା ଲେଖାଁଏ ପ୍ରଦାନ କରାଯିବାକୁ ସେମାନେ ଦାବି କରିଛନ୍ତି । ଏଥିସହିତ ବେଆଇନ ଭାବେ କାମ କରିନଥିବା ମିଛ ଶ୍ରମିକଙ୍କ ନାମରେ ଯାଇଥିବା ଅର୍ଥକୁ ଫେରସ୍ତ ଆଣାଯିବା ସହ ଏଭଳି ବେଆଇନ କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଫୈାଜଦାରୀ ମାମଲା ରୁଜୁ କରିବାକୁ ଦାବି କରାଯାଇଛି । ବିଜେପି ନେତା ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ମମତାମୟୀ ସାମଲ, ଶ୍ରମିକ ଘନଶ୍ୟାମ ଯେନା, ନାରାୟଣ ବାରିକ, ବିକାଶ ଯେନା, ଜଗବନ୍ଧୁ ଜେନା, ଖଗେଶ୍ୱର ମଲିକ, ଭରତ ଚନ୍ଦ୍ର ମଲିକ, ରତ୍ନାକର ମଲିକ, ନୃସିଂହ ମଲିକ, ଆଦିତ୍ୟ ରଞ୍ଜନ ମଲିକ, କୃଷ୍ଣ ଚନ୍ଦ୍ର ମଲିକ, ସୁବାସ ଚନ୍ଦ୍ର ମଲିକ, ଗଣେଶ୍ୱର ସେଠୀ, ନିରଞ୍ଜନ ସାହୁ, ମହେନ୍ଦ୍ର ନାଥ ସାହୁ, ନିରଞ୍ଜନ କର ପ୍ରମୁଖ ଅନଶନରେ ବସିରହିଛନ୍ତି । ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଅନଶନକାରୀମାନଙ୍କ ଭିତରୁ କେତେକଙ୍କୁ ତାଙ୍କ ଚାମ୍ବରକୁ ଡକାଇ ଆଲୋଚନା କରୁଥିବା ଦେଖାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଅନଶନକାରୀଙ୍କ ଭିତରୁ କେତେଜଣ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ