ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ସାନ୍ତସାହିସ୍ଥିତ ଶ୍ରୀବଳଦେବଜୀଉ କଲ୍ୟାଣ ମଣ୍ଡପରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପଣ୍ଡିତ ହୃଷୀକେଶ ରଥ, ବିଶିଷ୍ଠ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଗୌରାଙ୍ଗ ଚରଣ ଗିରି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରୀଷ୍ଣ ଜେନା ଯୋଗ ଦେଇଥିଲେ। ଅତିଥିମାନେ ତାଙ୍କ ଅଭିଭାଷଣରେ କହିଥିଲେ ଯେ ବରିଷ୍ଠ ନାଗରିକମାନେ ହେଉଛନ୍ତି ସମାଜର ସର୍ବଶ୍ରେଷ୍ଠ ସମ୍ବଳ। ସେମାନଙ୍କ ପରାମର୍ଶ, ଦିଗଦର୍ଶନ ଆମ୍ଭମାନଙ୍କୁ ଆଗକୁ ବଢିବାକୁ ସହାୟକ ହେବ। ବରିଷ୍ଠ ନାଗରିକମାନଙ୍କ ଧନ, ଜୀବନ, ସମ୍ମାନ ରକ୍ଷା କରିବା ପାଇଁ ସରକାର କଠୋର ନିୟମ ପ୍ରଣୟନ କରିଛନ୍ତି। ସେମାନଙ୍କୁ ସମ୍ମାନର ସହ ଜୀବନଜାପନ କରିବା ପାଇଁ ସରକାର ଅନେକ ଯୋଜନା କରିବା ସହ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଆମେ ସେମାନଙ୍କୁ ସମସ୍ତ ସହାୟତା ପ୍ରଦାନ ପାଇଁ ପରାମର୍ଶ ଦେଇଥିଲେ। ଇତ୍ୟବସରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମାନସ ଭୂଷଣ ପଣ୍ଡିତ ହୃଷିକେଶ ରଥଙ୍କୁ ଉପଢୈାକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ନାଗରିକମାନଙ୍କ ପ୍ରତି ଥିବା କର୍ତ୍ତବ୍ୟ ବିଷୟରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରି ପୁରସ୍କୃତ କରାଯାଇ ଥିଲା। ଜିଲ୍ଲାରେ ଥିବା ୧୦ ଗୋଟି ବରିଷ୍ଠ ନାଗରିକ ସଂଘକୁ ଉପଢୈାକନ, ମାନପତ୍ର ଓ ଚାରା ବୃକ୍ଷ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ନାଗରିକ ଗଗନ ଚନ୍ଦ୍ର ମହାରଣା, କାଶିନାଥ ରାଉତରାୟ, ଶରତ କୁମାର ବେହୁରା,ନରୋତ୍ତମ ଜେନା, ଫକୀର ଚରଣ ଖଟୁଆ ପ୍ରମୁଖ ବରିଷ୍ଠ ନାଗରିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ବକ୍ତବ୍ୟ ରଖିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶରୀ ବେଉରା ଅତିଥି ପରିଚୟ ପ୍ରଦାନ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା ତାଙ୍କ ଅଭିଭାଷଣରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଥିବା ସମସ୍ତ ସରକାରୀ ସୁବିଧା ସୁଯୋଗ ସମ୍ବନ୍ଧରେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ସକାଳେ ଜିଲ୍ଲା କ୍ରିଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ନେତୃତ୍ୱରେ କେନ୍ଦ୍ରାପଡା ଇଣ୍ଡୋର ଷ୍ଟାଡିୟମ ପରିସରରେ ବରିଷ୍ଠ ନାଗରିକମାନଙ୍କ ଦ୍ୱାରା ଯୋଗାସନ ଓ ମା’ ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବକ୍ରୀଷ୍ଣ ଜେନା, ଜିଲ୍ଲା ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେଉରା, କେନ୍ଦ୍ରାପଡ଼ା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରିଣୀ ସୁଦିପ୍ତା ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଅନୁଷ୍ଠିତ ଏକ ସ୍ୱାସ୍ଥ୍ୟ ଶିବିରରେ ବରିଷ୍ଠ ନାଗରିକମାନଙ୍କୁ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା। ଭାବଗ୍ରାହୀ କଳା ନିକେତନର ବିମଲ ପ୍ରସାଦ ପରିଡାଙ୍କ ନେତୃତ୍ୱରେ କଳାକାରମାନେ ନୃତ୍ୟ ଗୀତ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ ଓ ନିମାଇଁ ଚରଣ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ସହାୟତା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ, ସ୍ୱତନ୍ତ୍ର ବିଦ୍ୟାଳୟ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସର କର୍ମଚାରୀମାନେ ସହଯୋଗ କରିଥିଲେ। ସର୍ବଶେଷରେ ସଦର ମହକୁମା ମଣ୍ଡଳ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ଧନ୍ୟବାଦ ଅର୍ପଣ କରିଥିଲେ।


