ଜାତୀୟ ସେବା ଯୋଜନାର ପ୍ରାକ୍ତନ ସଂଯୋଜକ ପ୍ରଫେସର ଡ. ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କ ସ୍ମୃତିଚାରଣ ସଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍କଳ ବିଶ୍ୱ ବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୂର୍ବତନ ସଂଯୋଜକ ତଥା ବେସିକ ସାଇନ୍ସ କଲେଜର ପୂର୍ବତନ ପ୍ରଫେସର, ପିକକ୍‌, ପିପୁଲ୍ସ ଫୋରମ ଆଦି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ରୋଟାରୀ କ୍ଲବ ଅଫ ଏକାମ୍ର କ୍ଷେତ୍ରର ପୂର୍ବତନ ସଭାପତି ଡ. ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କ ଦଶାହ ଅବସରରେ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନ ପରିସରରେ ଓଡ଼ିଶା ଜାତୀୟ ସେବା ଯୋଜନା ପ୍ରାକ୍ତନ ପରିବାର ପକ୍ଷରୁ ଏକ ସ୍ମୃତିଚାରଣ ଓ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଜାତୀୟ ସେବା ଯୋଜନା ପ୍ରାକ୍ତନ ପରିବାରର ନିର୍ଦ୍ଦେଶକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଏଥିରେ ସଭାପତିତ୍ୱ କରି କହିଲେ ଯେ, ଡ. ଅଚ୍ୟୁତାନନ୍ଦ ପଟ୍ଟନାୟକଙ୍କର ଜାତୀୟ ସେବା ଯୋଜନାକୁ ଅବଦାନ ଅତୁଳନୀୟ ଥିଲା । ତାଙ୍କ ସମୟକୁ ଜାତୀୟ ସେବା ଯୋଜନାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ । ସେ କେବଳ କର୍ମଠ ନଥିଲେ, ନିଜକୁ ଜଣେ ସ୍ୱେଚ୍ଛାସେବୀ ମାନସିକତା ନେଇ କାର୍ଯ୍ୟ କରି ଅନେକ ସ୍ୱେଚ୍ଛାସେବୀ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।ଏହି ସ୍ମୃତିଚାରଣ ସଭାରେ ମୁଖ୍ୟ ଅତିଥି ଭାବରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପୂର୍ବତନ ପରାମର୍ଶଦାତା ତଥା ଜାତୀୟ ସେବା ଯୋଜନାର ପୂର୍ବତନ ସର୍ବଭାରତୀୟ ପରାମର୍ଶଦାତା ଡଃ ଭଗବାନ ପ୍ରକାଶ ଯୋଗଦେଇ କହିଲେ ଯେ, ଜ୍ଞାନ ଓ ସେବାର ସମିଶ୍ରଣ ମାଧ୍ୟମରେ ଜାତୀୟ ସେବା ଯୋଜନାର ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତ ଜୀବନ ଗଠନ କରିବା ପାଇଁ ପରାମର୍ଶ ଦିଆଯାଇଥାଏ । ଏ କ୍ଷେତ୍ରରେ ଡ. ପଟ୍ଟନାୟକ ଥିଲେ ଜଣେ ଅତ୍ୟନ୍ତ କର୍ମଠ ଓ ତ୍ୟାଗୀ ବ୍ୟକ୍ତି ଯିଏକି ସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିନେଇଥିଲେ । ତେଣୁ ତାଙ୍କ ସମୟରେ ଓଡ଼ିଶାର ଜାତୀୟ ସେବା ଯୋଜନା ସମଗ୍ର ଭାରତବର୍ଷରେ ଏକ ନମ୍ବର ସ୍ଥାନର ଅଧିକାରୀ ହୋଇପାରିଥିଲା । ତେଣୁ ଡ. ପଟ୍ଟନାୟକଙ୍କର ଆଦର୍ଶମୟ ଜୀବନୀକୁ ବର୍ତ୍ତମାନର କାର୍ଯ୍ୟକ୍ରମ ସଂଯୋଜକ ଓ କାର୍ଯ୍ୟକ୍ରମ ଅଧିକାରୀମାନେ ଅନୁକରଣ କରିବା ଉଚିତ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ସେବା ଯୋଜନାର ତାଲିମ ପ୍ରଦାନକାରୀ ସଂଯୋଜକ ଶ୍ରୀ ନିରଦ ବରଣ ଖୁଣ୍ଟିଆ, ପୂର୍ବତନ ସହ ସଂଯୋଜିକା ଡ. ସୌମ୍ୟାଶ୍ରୀ ରଥ, ଏକାମ୍ର କଲେଜର ପୂର୍ବତନ ଅଧ୍ୟକ୍ଷ ଡଃ ପରୀକ୍ଷିତ ଦାସ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ରଘୁନାଥ ମଣ୍ଡଳ, ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ ପ୍ରମୁଖ ବହୁ କାର୍ଯ୍ୟକ୍ରମ ଅଧିକାରୀ, ପୂର୍ବତନ କାର୍ଯ୍ୟକ୍ରମ ସଂଯୋଜକ, ସ୍ୱେଚ୍ଛାସେବୀମାନେ ଡ. ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ନୀରବ ପ୍ରାର୍ଥନା କରାଯିବା ସହ ଅତିଥି ମଣ୍ଡଳୀ ସ୍ୱର୍ଗତ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପଅର୍ଘ୍ୟ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ