ଦାବି ପୁରଣ ନହେଲେ ଧାରଣା ଚେତାବନୀ ଦେଲେ ଅଂଚଳବାସୀ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକର ଜୁରୁଡି, ଜଜାଙ୍ଗ , ଜଲହରି ଗ୍ରାମପନଚାୟତର ଶତାଧିକ ମହିଳାପୁରୁଷ ସ୍ଥାନୀୟ ଖଣିରେ ପରିବହନ ଓ ନିଯୁକ୍ତି ଦାବି ପୁରଣ ପାଇଁ ଶୁକ୍ରବାର ସ୍ଥାନୀୟ ଖଣି କମ୍ପାନୀକୁ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଶୁକ୍ରବାର ଅପରାହ୍ନ ପ୍ରାୟ ୧.୩୦ ମିନିଟ୍ ସମୟରେ ଜୁରୁଡି ହାଟପଦାଠାରେ ୩ଟି ପନଚାୟତର ଶହସ୍ରାଧିକ ମହିଳାପୁରୁଷ ଏକତ୍ର ହୋଇ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଲାଲଗେଟ୍ ଠାରେ ଥିବା ଖଣି କାର୍ଯ୍ୟାଳୟରେ ପହନଚି କମ୍ପାନୀ କର୍ତୁପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ପରେ ଜଜାଙ୍ଗସ୍ଥିତ ଖଣିକୁ ଯାଇ ସେଠାରେ ମଧ୍ୟ ଦାବିପତ୍ର ପ୍ରଦାନ କରିଥିଲେ । ଉକ୍ତ ଲିଖିତ ଦାବି ପତ୍ରରେ ଉଲ୍ଲେଖ ଥିବା ବିଭିନ୍ନ ଦାବି ଗୁଡିକ ଆସନ୍ତା ୩ ଦିନ ମଧ୍ୟରେ ପୁରଣ କରାନଗଲେ କମ୍ପାନୀର ମୁଖ୍ୟ ଗେଟ୍ ସମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ଜଜାଙ୍ଗ ମାରାଙ୍ଗବୁରୁ ଡେଭେଲପମେନ୍ଟ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଖଣି କମ୍ପାନୀମାନେ ସ୍ଥାନୀୟ ଅଂଚଳର ମୁଷ୍ଟିମେୟ ପୁଞ୍ଜିପତି ତଥା ଖଣି ବ୍ୟବସାୟୀଙ୍କୁ ଖଣିରେ ପରିବହନ କାର୍ଯ୍ୟ ଦେଇ ସ୍ଥାନୀୟ ଅଂଚଳବାସୀଙ୍କୁ ଉପେକ୍ଷିତ କରୁଛନ୍ତି । ସ୍ଥାନୀୟ ଅଂଚଳବାସୀ ନିଯୁକ୍ତି , ପରିବହନ ଓ ଅନ୍ୟାନ୍ୟ କାର୍ଯ୍ୟ ଦାବି କରୁଥିଲେ ହେଁ, ସେମାନଙ୍କ ଦାବିକୁ ଅଣଦେଖା କରାଯାଉଛି । ଯାହାଫଳରେ ସ୍ଥାନୀୟ ଲୋକେ ବେରୋଜଗାର ହେଉଛନ୍ତି । ବିଭିନ୍ନ ସମୟରେ ଅଂଚଳବାସୀ ଦାବି ପୁରଣ ପାଇଁ ଆନ୍ଦୋଳନ ଓ ଧାରଣା କରିଥିଲେ ହେଁ, ଖଣି କମ୍ପାନୀମାନଙ୍କ ପକ୍ଷରୁ ସ୍ଥାନୀୟ ପ୍ରଶାସନର ହାତ ବାରିଶ କରି ସେମାନଙ୍କର ସ୍ୱରକୁ ଚପାଇ ଦିଆଯାଉଛି । ଫଳରେ କାମଧନ୍ଦା ନପାଇ ଅଂଚଳବାସୀ ଅଶାନ୍ତିରେ ରହୁଥିବା ଜଜାଙ୍ଗ ମାରାଙ୍ଗବୁରୁ ଡେଭେଲପମେନ୍ଟ କମିଟିର ନେତୃତ୍ୱ ନେଉଥିବା ସଂଜୟ ବାରିକ, ପ୍ରଦୀପ ମହାକୁଡ, ଦେବାଶିଷ ବେହେରା, ନରେନ୍ଦ୍ର ମୁଣ୍ଡା, ଘାସିରାମ୍ ମାଝି ଙ୍କ ସମେତ ମହିଳା ସୁନନ୍ଦା ନାଏକ, ସୁଲୋଚନା ନାଏକ, ସବିତା ନାଏକ ପ୍ରମୁଖ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।