ଜିଲ୍ଲାପରିଷଦ ସଭ୍ୟା ନିଜ ଭତ୍ତା ଟଙ୍କାରେ ମରାମତି କଲେ ରାସ୍ତା
ନିମାପଡ଼ା, (ସନ୍ତୋଷ ଦାଶ):ଶ୍ରୀ ଜଗନ୍ନାଥଙ୍କଏନ୍ତୁଡ଼ିଶାଳ କୁହାଯାଉଥିବା ପ୍ରାଚୀ ନଦୀ କୂଳସ୍ଥ ଦେଉଳି ମଠକୁ କାକଟପୁର – କୋଣାର୍କ ମୁଖ୍ୟ ରାସ୍ତା ଠାରୁ ଯାଇଥିବା ପ୍ରାୟ ଏକ କିଲୋମିଟର ବ୍ୟାପୀ କେନାଲ ବନ୍ଧ ରାସ୍ତା ଟିର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଏଠାକୁ ଯାତାୟାତ କରିବାରେ ଘୋର ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ପୁରୀ ଜିଲ୍ଲା ର ପ୍ରସିଦ୍ଧ ଶକ୍ତି ପୀଠ ମା ମଙ୍ଗଳା ଙ୍କ ମନ୍ଦିର କୁ ବୁଲିବାକୁ ଆସୁଥିବା ଭକ୍ତ ,ଯାତ୍ରୀ ,ପର୍ଯ୍ୟଟକ ମାନେ ମନ୍ଦିର ର ଅତି ନିକଟରେ ଥିବା ଦେଉଳି ମଠ କୁ ଦେଖିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। କିନ୍ତୁ ମଠ କୁ ଯାଇଥିବା ରାସ୍ତା ର ଅବସ୍ଥା ଭଲ ନ ଥିବାରୁ ଗାଡ଼ି ଚାଳକ ମାନେ ସେଠାକୁ ଗାଡ଼ି ରେ ଯାତ୍ରୀ,ପର୍ଯ୍ୟଟକ ମାନଙ୍କୁ ବୁଲାଇ ନେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏସବୁ କୁ ଦେଖି ପୁରୀଜିଲ୍ଲା୭ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ ନିଜ ମାସିକ ଭତ୍ତା ଅର୍ଥକୁ ବିନିଯୋଗ କରି ମଠ କୁ ଯାଇଥିବା କେନାଲ ବନ୍ଧ ରାସ୍ତା କୁ ସଫେଇ ଓ ମରାମତି କରିଛନ୍ତି | ଦାରୁ ସନ୍ଧାନରେ ଆସୁଥିବା ଦଇତାପତିମାନେ ଦେଉଳି ମଠରୁ ଏହି କେନାଲବନ୍ଧ ରାସ୍ତାରେଯାଇ ମା’ମଙ୍ଗଳାଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି। ଗତ ନବକଳେବର ସମୟରେ ପ୍ରଶାସନ ପକ୍ଷରୁ ଏହି କେନାଲ ବନ୍ଧ ରାସ୍ତାର ପୁନରୁଦ୍ଧାର କରାଯାଇଥିଲା। ପ୍ରାୟ ୮ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ସ୍ଥାନୀୟ ପ୍ରଶାସନର ନଜର ଉଢୁଆଳରେ ଥିବା ଏହି ରାସ୍ତାର ମରାମତିନହେବାରୁ ଅନାବନା ଘାସ, ଉଇ ହୁଙ୍କା ଏବଂ ଖାଲ ଖମାରେ ପରିପୂର୍ଣ୍ଣ ରାସ୍ତାଟି ଯାତାୟାତ ପାଇଁ ଅନୁପଯୋଗୀ ହୋଇଯାଇଥିଲା । ଫଳରେଦେଉଳି ମଠକୁ ଆସୁଥିବା ଭକ୍ତମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅନ୍ୟପକ୍ଷରେ କେନାଲ ବନ୍ଧ ରାସ୍ତାଟି କାକଟପୁର କୁ ସିଧା ରାସ୍ତା ହୋଇଥିବାରୁ ନିକଟସ୍ଥ କୁଣ୍ଢେଇ ପଞ୍ଚାୟତର ବହୁ ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ଯାତ୍ରୀମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ ନିଜର ୮ମାସର ଭତ୍ତା ଅର୍ଥକୁ ଏହି କଚ୍ଚା ରାସ୍ତା ସଫେଇ , ମରାମତି କାର୍ଯ୍ୟରେ ବିନିଯୋଗ କରି ଏହାକୁ ଯାତାୟାତ ଉପଯୋଗୀ କରିଛନ୍ତି। ଆଉ କିଛି ଦିନ ପରେ ପ୍ରାଚୀ ପରିକ୍ରମା ନିମନ୍ତେ ଦେଉଳି ମଠକୁ ସାଧୁସନ୍ଥ ମାନେ ଏହି ରାସ୍ତା ଦେଇ ଗ୍ରସ୍ତ କରିବେ। ଜିଲ୍ଲା ପରିଷଦ ସଭ୍ୟାଙ୍କ ଏହି ମହତ କାର୍ଯ୍ୟ କୁ ବିଭିନ୍ନ ମହଲ ଓ ଜନସାଧାରଣରେ ପ୍ରଶଂସା କରାଯାଇଛି।


