ବାଲି ମାଫିଆଙ୍କ ଆକ୍ରମଣରେ ଶିକାର ବାଲେଶ୍ୱର ଉପ-ଜିଲାପାଳ

ବାଲେଶ୍ୱର, (ସରୋଜ ପଣ୍ଡା):ସଦର ବ୍ଲକର ଦହପଡ଼ା ଅଞ୍ଚଳରେ ବେଆଇନ ବାଲି ଉତ୍ତୋଳନ ଓ ଚୋରା ଚାଲାଣ ହେଉଥିବା ବେଳେ ଚଢ଼ଉ କରିବାକୁ ଯାଇ ବାଲେଶ୍ୱର ଉପ ଜିଲାପାଳ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ।ଏହି ଆକ୍ରମଣରେ ଉପ-ଜିଲାପାଳ କୁନାଲ ମୋତିରାମ ଚୌହାନ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗଗନ ବିହାରୀ ପ୍ରଧାନ ଗୁରୁତର ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ସଦର ବ୍ଳକ ଅନ୍ତର୍ଗତ ଦହପଡ଼ାର ଅଞ୍ଚଳର କିଛି ବାଲି ମାଫିଆ ବୁଢ଼ାବଳଙ୍ଗ ନଦୀରୁ ମେସିନ ଯୋଗେ ବେଆଇନ ବାଲି ଉତ୍ତୋଳନ ସହ ଚୋରା ଚାଲାଣ କରୁଥିବା ନେଇ ଅଭିଯୋଗ ପାଇ ଗୁରୁବାର ଉପ-ଜିଲାପାଳ ଶ୍ରୀ ଚୌହାନଙ୍କ ନେତୃତ୍ୱରେ ଏକ ଟିମ ଆଜି ଚଢ଼ଉ କରିଥିଲା । ନଦୀ ବାଲି ଉତ୍ତୋଳନରେ ବ୍ୟବହୃତ ମେସିନ, ଟ୍ରାକ୍ଟର ଓ ପାଖାପାଖି ୫୦୦ ଟ୍ରିପ ବାଲି ଜବତ ସହ ସ୍ଥାନୀୟ ଲୋକଙ୍କ ନିକଟରେ ଉପ-ଜିଲାପାଳ ଜିମା ଦେଇଥିଲେ । ଶୁକ୍ରବାର ସେ ଜବତ ମେସିନ, ଗାଡ଼ି ଓ ବାଲିର ସ୍ଥିତି ପରଖିବାକୁ ଘଟଣାସ୍ଥଳକୁ ଯାଇଥିବା ବେଳେ ବାଲି ମାଫିଆ ଓ ତାଙ୍କ ସହଯୋଗୀମାନେ ତାଙ୍କ ଉପରେ ଢ଼େଲାପଥର ମାଡ଼ କରିଥିଲେ । ଏହି ଆକ୍ରମଣରେ ଉପ-ଜିଲାପାଳ ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କ ଡ୍ରାଇଭର ଗୁରୁତର ହୋଇଛନ୍ତି । ଏମିତିକି ଖବର ପାଇ ନିକଟବର୍ତ୍ତୀ ଅଞ୍ଚଳକୁ ଗଞ୍ଜେଇ ଓ ଚୋରା ମଦ କାରବାର ଉପରେ ଚଢ଼ଉ ପାଇଁ ଯାଇଥିବା ଅବକାରୀ ବିଭାଗ ଟିମ ବି ସେଠାରେ ପହଞ୍ଚିଥିଲା । ଆକ୍ରମଣକାରୀ ସେମାନଙ୍କୁ ଛାଡ଼ି ନଥିଲେ । ସେମାନଙ୍କ ଗାଡ଼ିକୁ ଡେଲାପଥର ଫିଙ୍ଗି କାଚ ଭାଙ୍ଗି ଦେଇଥିବା ଜଣାଯାଇଛି । ତେବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସାମାନ୍ୟ ଆହତ ହୋଇଥିବା ଉପ-ଜିଲାପାଳ କ୍ୱାଟର୍ସ ଫେରିଯାଇଥିିବା ବେଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ତାଙ୍କ ଡ୍ରାଇଭର ଗଗନଙ୍କର ଅବସ୍ଥା ଏବେ ଭଲ ଅଛି ବୋଲି ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି ଆକ୍ରମଣ ସମ୍ପର୍କରେ ଖବର ପାଇ ଏସପି ସାଗରିକା ନାଥ ଓ ଜିଲାପାଳ ଦତାତ୍ରୟ ଭାଉ ସାହେବ ଶିନ୍ଦେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେଠାରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ସଂଧ୍ୟା ସୁଦ୍ଧା ପୁଲିସ ପକ୍ଷରୁ ଦଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି । ତେବେ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ମହିଳାଙ୍କ ସମେତ ସମସ୍ତ ଦୁବୃର୍ତ୍ତଙ୍କୁ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜିଲାପାଳ ଶ୍ରୀ ଶିନ୍ଦେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୁଲିସ ଭୟରେ ଦହପଡ଼ା ଅଞ୍ଚଳ ଏବେ ପୁରୁଷ ଶୂନ୍ୟ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ