ଭାସ୍କର୍ଯ୍ୟ କଳା ପୁରସ୍କାର ପାଇଲେ ଅଶାନ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ତାଙ୍କ ହାତ ର ସ୍ପର୍ଶ ବାଜିଲେ ମାଟି ପାଲଟିଯାଏ ଜୀବନ୍ତରୂପ। ତାଙ୍କ ହାତର ଯାଦୁରେ ଜନ୍ମ ପାଏ ସୁନ୍ଦର ସୁନ୍ଦର ପ୍ରତିମା। ତାଙ୍କର କଳାକୃତି ଦେଖି ଲୋକେ ଆଶ୍ଚଯ୍ୟ ସହ ଆନନ୍ଦିତ ହୁଅନ୍ତି।ତାଙ୍କ ହାତରୁ ସୃଷ୍ଟି ହୋଇଛି ଅନେକ ଜୀବଜନ୍ତୁ ଙ୍କ ପ୍ରତିମୂର୍ତ୍ତି। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଆଳସାହି ପଂଚାୟତ ପାଟସୁନ୍ଦରପୁର ଗ୍ରାମର ରମେଶ ଦାସ ଓ ସଂଜୁ ଦାସ ଙ୍କ ପୁତ୍ର ଅଶାନ୍ତ ଦାସ। ପିଲାଟି ବେଳୁ ତାଙ୍କ ନିଶା ହେଲା ମାଟିରେ ବିଭିନ୍ନ କାରୁକାର୍ଯ୍ୟ, ପ୍ରତିମୂର୍ତ୍ତି କରିବା।ଅଶାନ୍ତ ଙ୍କ ମା କୁହନ୍ତି ଅଶାନ୍ତ ପିଲାବେଳୁ ବାଲି ମାଟିରେ ଖେଳନ୍ତି ଓ ସୁନ୍ଦର କଣ୍ଡେଇ ତିଆରି କରନ୍ତି । ଆଜି ସେହି ନିଶା ତାଙ୍କୁ ପରିଚୟ ଦେଇଛି। ମାଟିରେ ବିଭିନ୍ନ ଦେବଦେବୀ ଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ କରି ମହାପୁରୁଷ ଏବଂ ଜୀବଜନ୍ତୁ ଙ୍କ ମୂର୍ତ୍ତି ତିଆରି କରି ଜଣେ ସଫଳ କାରିଗର ହୋଇପାରିଛନ୍ତି। ତାଙ୍କର ସଫଳତା ପାଇଁ ସେ ସମ୍ମାନୀତ ହୋଇଛନ୍ତି।ଗରିବ ପରିବାର ରେ ଜନ୍ମ ଗ୍ରହଣ କରିଛନ୍ତି ସତ ହେଲେ ତାଙ୍କ ହାତ ର ଯାଦୁ, ମାଟି ପ୍ରତି ଭଲପାଇବା ଆଜି ତାଙ୍କୁ ସଫଳ କରିଛି। ପ୍ରତ୍ୟେକ ଦିନ କିଛି ସମୟ ମାଟି ରେ ଚିତ୍ରିତ କରନ୍ତି ଯେପରିକି ଉଇ ହୁଙ୍କା ସହ ପିମ୍ପୁଡି, କାଉ କିଭଳି ପରିବେଶ କୁ ସୁରକ୍ଷିତ ରଖୁଛନ୍ତି ଏଭଳି ଅନେକ କଳାକୃତି ତିଆରି କରି ଆଜି ସେ ପରିଚୟ ପାଇଛନ୍ତି।ଓଡିଶା ଲଳିତ ଏକାଡେମୀ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ପକ୍ଷରୁ ୨୦୨୨ମସିହା ପାଇଁ ଚିତ୍ରକଳା ସ୍ଥାପତ୍ୟ କ୍ଷେତ୍ରରେ ଅଶାନ୍ତ ଦାସ ଙ୍କୁ ଭାସ୍କର୍ଯ୍ୟ କଳାରେ ପୁରସ୍କୃତ କରାଯିବା ସହ ୨ ଲକ୍ଷ ଟଙ୍କା, ତାମ୍ର ଫଳକ ଓ ଅଙ୍ଗ ବସ୍ତ୍ର ପ୍ରଦାନ କରାଯାଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅଶାନ୍ତ ଙ୍କ ଏଭଳି ସଫଳତା ଦେଖି ତାଙ୍କ ପରିବାର ରେ ଓ ସମଗ୍ର ଅସ୍ତରଙ୍ଗ ଅଞ୍ଚଳ ରେ ଆନନ୍ଦ ର ଲହରୀ ଖେଳି ଯାଇଛି। ତାଙ୍କ କଳା ଦେଇଛି ତାଙ୍କୁ ଆଜି ଦେଇଛି ପରିଚୟ । ପୁଅର ସଫଳତା ଦେଖି ତାଙ୍କ ମା ବାପା ଖୁସିରେ ବିଭୋର ହୋଇଯାଇଛନ୍ତି। ଏବେ ତାଙ୍କୁ ବିଭିନ୍ନ ମହଲ ରୁ ପ୍ରଶଂସା ଓ ଶୁଭେଶ୍ଚା ର ସୁଅ ଛୁଟୁଛି।


