ହନିଟ୍ରାପରେ ପଡ଼ି ଆଇଟିଆର ଅଧିକାରୀ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ବିଭାଗର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରୁ ପୁଣି ଚୋରି ହୋଇଛି ଗୁପ୍ତତଥ୍ୟ । ପୂର୍ବରୁ ଏଥିରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ଅର୍ଥ ଲୋଭରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ଗୋଇନ୍ଦା ସଂସ୍ଥା ଏଜେଣ୍ଟଙ୍କୁ ତଥ୍ୟ ପ୍ରଦାନ କରିଥିବା ବେଳେ ଏଥର ଆଇଟିଆରର ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ପାକିସ୍ତାନର ରାଉଳପିଣ୍ଡି ମହିଳାଙ୍କ ହନିଟ୍ରାପରେ ଶିକାର ହୋଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତାନ୍ତର କରିଥିବା ଆଇଟିଆର ଜଣେ ବରିଷ୍ଠ ଅଧିକାରୀ (ଟେକ୍ନିକାଲ)ଙ୍କୁ ପୁଲିସ ଗିରଫ କରିଥିବା ପୂର୍ବାଞ୍ଚଳ ଜୋନ ଆରକ୍ଷୀ ମହାନିରୀକ୍ଷକ (ଆଇଜି) ହିମାଂଶୁ ଲାଲ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର ସୂଚନା ଦେଇଛନ୍ତି । ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ପୁଲିସ ପକ୍ଷରୁ ଆଇଟିଆରର ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କୁ ପଚରାଉଚୁରା ଚାଲିଥିବା ସେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ଏକାଧିକ ଅଧିକାରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିବା ନେଇ ସନ୍ଦେହ ଦେଖାଦେଇଥିବା ବେଳେ ତଦନ୍ତରେ ବ୍ୟାଘାତ ସୃଷ୍ଟି ହେବା ଆଶଙ୍କାରେ ଗିରଫ ଅଭିଯୁକ୍ତ ଅଧିକାରୀଙ୍କ ନାମ ଆଇଜି ହିମାଂଶୁ ଲାଲ କିମ୍ବା ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିନଥିଲେ । ଗିରଫ ଅଭିଯୁକ୍ତଠାରୁ କେବଳ ଗୋଟିଏ ମୋବାଇଲ ଫୋନ ଜବତ କରାଯାଇଥିବା ବେଳେ ଏନେଇ ଚାନ୍ଦିପୁର ଥାନା ଏସଆଇ ଚନ୍ଦ୍ରଶେଖର ମହାନ୍ତିଙ୍କ ଏତଲା ମୂଳେ୨୫/୨୪.୨.୨୦୨୩ ନଂରେ ତଥା ୧୨୦ଏ, ୧୨୦ବି, ୩୪ ଆଇପିସି ଓ ବିଭାଗୀୟ ଗୁପ୍ତ ତଥ୍ୟ ଦଫା ୨/୩/୪ର ମାମଲା ରୁଜୁ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତ ଅଧିକାରୀ ଜଣକ ପାକିସ୍ତାନ ଗୋଇନ୍ଦା ସଂସ୍ଥାର ମହିଳା ଏଜେଣ୍ଟଙ୍କ ସହ ପ୍ରାୟ ବର୍ଷେରୁ ଅଧିକ କାଳଧରି ଲିଙ୍କରେ ଥିଲେ । ସମ୍ପୃକ୍ତ ମହିଳା ଏଜେଣ୍ଟଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ପ୍ରତିବଦଳରେ ଅଭିଯୁକ୍ତ ଅଧିକାରୀ ଆଇଟିଆରର କ୍ଷେପଣାସ୍ତ୍ର ପରୀକ୍ଷା ବାବଦୀୟ ସମ୍ବେଦନଶୀଳ ତଥା ଗୁପ୍ତ ତଥ୍ୟ ହସ୍ତାନ୍ତର କରିଥିଲେ । ଅଧିକାରୀଙ୍କର ବିଦେଶୀ ଏଜେଣ୍ଟଙ୍କ ଲିଙ୍କ ସମ୍ପର୍କରେ ଏକାଧିକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା, କ୍ରାଇମ ବ୍ରାଞ୍ଚ ଓ ଓଡ଼ିଶା ପୁଲିସ ସୂଚନା ପାଇ ତାଙ୍କ ଉପରେ ନଜର ରଖିଥିଲେ ବୋଲି ଆଇଜି ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗିରଫ ଅଭିଯୁକ୍ତଙ୍କୁ ଆଜି ଅପରାହ୍ଣରେ ବାଲେଶ୍ୱରର ଫାଷ୍ଟକ୍ଲାସ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ମୋନିକା ଆଚାର୍ଯ୍ୟଙ୍କ ସିଟି କୋର୍ଟରେ ହାଜର ବେଳେ ତାଙ୍କ ପରିଚୟ ଜଣାପଡ଼ିଲା । ସେ ହେଲେ ‘ଆଇଟିଆର’ ଟେଲିମେଟ୍ରି ବିଭାଗର ବରିଷ୍ଠ ବୈଷୟିକ ଅଧିକାରୀ ଜଳେଶ୍ୱରର ଡେମ୍ବୁରିଆ ବାଗପୁଞ୍ଜି ଅଞ୍ଚଳର ସ୍ୱର୍ଗତ ଭଗବାନ ଦେଙ୍କ ପୁତ୍ର ବାବୁରାମ ଦେ (୫୧) । ଡିଆରଡିଓ ତଥା ଅନ୍ୟାନ୍ୟ ଏଜେନ୍ସିଙ୍କ ପକ୍ଷରୁ ହେଉଥିବା ସମସ୍ତ ମିଜାଇଲ ପରୀକ୍ଷାରେ ଶ୍ରୀ ଦେଙ୍କୁ ଆଗ ଖୋଜାଯାଇଥାଏ । ପରୀକ୍ଷଣ ବେଳେ କ୍ଷେପଣାସ୍ତ୍ର ବିଜ୍ଞାନୀ ଏବଂ ବୈଜ୍ଞାନିକଙ୍କ ସହ ସେ ଉପସ୍ଥିତ ରହିଥା’ନ୍ତି । ଯେ କୌଣସି ବୈଷୟିକ ସମସ୍ୟା ଦେଖାଦେଲେ ବୈଜ୍ଞାନିକଙ୍କ ପରାମର୍ଶ କ୍ରମେ ଶ୍ରୀ ଦେ ସଙ୍ଗେ ସଙ୍ଗେ ଏହାର ସମାଧାନ କରିଥା’ନ୍ତି । ଏମିତିକି ଆଇଟିଆରରେ ହେଉଥିବା ମିଜାଇଲ ପରୀକ୍ଷା ସମ୍ପର୍କରେ ବୈଜ୍ଞାନିକଙ୍କ ପୂର୍ବରୁ ସେ ଜାଣିଥା’ନ୍ତି ବୋଲି କୋର୍ଟରେ ପ୍ରଦାନ କରାଯାଇଥିବା ଚାନ୍ଦିପୁର ଥାନା ଏସଆଇଙ୍କ ଏତଲାରୁ ଜଣାପଡ଼ିଛି । ତେବେ ଜାମିନ ନାମଞ୍ଜୁର ହେବାର ଗିରଫ ଅଭିଯୁକ୍ତ ବାବୁରାମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ