ପ୍ରାଥମିକ ବିଦ୍ୟାଳୟରେ ଯୋଜନାଭିତ୍ତିକ କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ବିରୋଧ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଗତ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରାଥମିକ ବିଦ୍ୟାଳୟରେ ୨୦ ହଜାର କନିଷ୍ଠ ଶିକ୍ଷକ (ଯୋଜନାଭିତ୍ତିକ) ଭାବେ ନିଯୁକ୍ତି ଦେବା ପାଇଁ କହିଛନ୍ତି । ଏହାକୁ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ସମ୍ପୂର୍ଣ୍ଣ ବିରୋଧ କରୁଛି । କାରଣ ଗତ ତା ୧୬.୧୦.୨୦୨୨ରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ଉଚ୍ଛେଦ ଘୋଷଣା କଲେ । ଯେଉଁଥିରୁ କନିଷ୍ଠ ଶିକ୍ଷକମାନଙ୍କୁ ପ୍ରତିଶ୍ରୁତି ଦେଲେ, କିଛିଦିନ ମଧ୍ୟରେ କନିଷ୍ଠ ଶିକ୍ଷକମାନେ ମଧ୍ୟ ନିୟମିତ ହେବେ । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ତା ୧୪.୧୨.୨୦୨୨ରିଖରେ ମାନ୍ୟବର ମୁଖ୍ୟ ଶାସନ ସଚିବ ସ୍କିମ୍ କହି ମନା କଲେ ଓ କନିଷ୍ଠ ଶିକ୍ଷକ ସଂଘକୁ କହିଲେ, ବର୍ତ୍ତମାନ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କ ଚୁକ୍ତିଭିତ୍ତିକ ଉଚ୍ଛେଦ କରାଯାଇ ନାହିଁ । ବର୍ତ୍ତମାନ ଚୁକ୍ତିଭିତ୍ତିକରେ ଥିବା ଶିକ୍ଷକ ରେଗୁଲାର (ନିୟମିତ) ହେଲା ପରେ ପ୍ରାଥମିକ ବିଦ୍ୟାଳୟରେ ନିୟମିତ ନିଯୁକ୍ତି ଦିଆଯିବ । କିନ୍ତୁ ଦୁଃଖର ବିଷୟ ପୁଣି ସରକାର ଚୁକ୍ତିଭିତ୍ତିକ ନ କରି ଯୋଜନାଭିତ୍ତିକ କରିଛନ୍ତି । ସଂଘ ପ୍ରାଥମିକ ଶିକ୍ଷାରେ ଶିକ୍ଷକ ନିଯୁକ୍ତିକୁ ସ୍ୱାଗତ ଜଣାଉଛି କିନ୍ତୁ ପୁଣିଥରେ ନୂତନ ଭାବେ ଉଚ୍ଚଶିକ୍ଷିତ ତାଲିମ ପ୍ରାପ୍ତ ଯୁବକ ଯୁବତୀଙ୍କୁ ପ୍ରଶାସନିକ କଳରେ ଚୁକ୍ତିଭିତ୍ତିକ କରି ନ ପେଶନ୍ତୁ ।ଏଣୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ, ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ସହ ବର୍ତ୍ତମାନର ବିଜ୍ଞପ୍ତିକୁ ନିୟମିତ ଶିକ୍ଷକ ନିଯୁକ୍ତି ପ୍ରଦାନ କରିବାକୁ ଅନୁରୋଧ । କାରଣ ଅବିକଳ ଗୋଟିଏ ପ୍ରେସ୍ ବିଜ୍ଞପ୍ତିରେ ଉଚ୍ଚ ବିଦ୍ୟାଳୟର ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି କରିବାକୁ କୁହାଯାଇଛି ଯାହା ସ୍ପଷ୍ଟ ଦୃଶ୍ୟମାନ ହେବ ଯେ ଓଡ଼ିଶା ସରକାରଙ୍କର ପ୍ରାଥମିକ ଶିକ୍ଷା ଏବଂ ଶିକ୍ଷକଙ୍କ ପ୍ରତି ଆନ୍ତରିକତାର ଅଭାବ ରହିଛି । ତେଣୁ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ଦିନରେ ଏହାକୁ ଘୋଷଣା କରିବାକୁ ଅନୁରୋଧ ।


