କେକେଏସ ମହିଳା କଲେଜ ଗୃହ ବିଜ୍ଞାନ ବିଭାଗରେ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ବିଶ୍ୱ ମହିଳା ଦିବସ ଉପଲକ୍ଷେ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟ ଗୃହବିଜ୍ଞାନ ବିଭାଗ ପକ୍ଷରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁବ୍ରତା ଦେବାଙ୍ଗନା ଏଥିରେ ଅଧ୍ୟକ୍ଷତା କରିବା ସହିତ ‘ଭାରତୀୟ ବିବାହ ନୀତି ଓ ମହିଳା ଅଧିକାର’ ଶୀର୍ଷକ ଆଲୋଚନାଚକ୍ରର ଆଭିମୁଖ୍ୟ ସମ୍ପର୍କରେ ପ୍ରାକ କଥା ରଖିଥିଲେ । ଆଇନଜୀବୀ ଅମୂଲ୍ୟ କୁମାର ସିଂହ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାମ୍ପ୍ରତିକ ସ୍ଥିତିରେ ଦେଶର ମହିଳା ଅଧିକାର କାର୍ଯ୍ୟକାରିତା ଓ ଭାରତୀୟ ସଂସ୍କୃତିରେ ବିବାହ ନୀତିର ଜଟିଳତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ବିଶେଷ କରି ନାରୀ ଅଧିକାର ସୁରକ୍ଷା ଆଇନର ସଫଳ କାର୍ଯ୍ୟକାରିତା ସମ୍ପର୍କରେ ସେ ଛାତ୍ରୀମାନଙ୍କୁ ବହୁ ଉପାଦେୟ ପରାମର୍ଶ ଦେଇଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ତପସ୍ୱିନୀ ମହାଳିକ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ମହେଶ୍ୱତା ପାଣ୍ଡେ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


