କନ୍ୟାଶ୍ରମରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମୋହନା ବ୍ଲକ ଅନ୍ତର୍ଗତ ଅନ୍ତରବା କନ୍ୟାଶ୍ରମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗୁରୁବାର ୧୧ ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିବା ବେଳେ ଶୁକ୍ରବାର ପୁଣି ୬ ଜଣ ଅନ୍ତେବାସୀ ଟୁନି ପାଇକ , ଲବଲୀ ଶବର , ସସ୍ମିତା ଦଳବେହେରା , ବିଷ୍ଣୁପ୍ରିୟା ଦଳାଇ, ପ୍ରିତୀ ମାଝୀ, ଅନିତା ମଣ୍ଡଳ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୋହନା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି l ମିଳିଥିବା ସୂଚନା ପ୍ରକାରେ ଗତ ମଙ୍ଗଳବାର ଦିନ କନ୍ୟାଶ୍ରମରେ ବାର୍ଷିକ ଉତ୍ସବ ପାଳନ କରାଯାଇଥିଲା ଏବଂ ଭୋଜିଭାତର ଆୟୋଜନ ମଧ୍ୟ ହୋଇଥିଲା l ବଳକା ରହିଯାଇଥିବା ବାସୀ ଖାଦ୍ୟକୁ ବୁଧବାର ଦିନ କନ୍ୟାଶ୍ରମ ଛାତ୍ରୀ ମାନେ ଖାଇଥିଲେ l ଏହାପରେ କିଛି ସମୟ ମଧ୍ୟରେ ଧୀରେ ଧୀରେ ଛାତ୍ରୀମାନେ ଅସୁସ୍ଥ ହୋଇପଡିଥିଲେ l ଏହା ପରେ ଛାତ୍ରୀ ମାନଙ୍କୁ ଝାଡାବାନ୍ତି ହୋଇଥିଲା l ଗୁରୁବାର ଦିନ ଏହା ବଢ଼ିବାରେ ଲାଗିଥିଲା। ୧୧ ଜଣ ଛାତ୍ରୀ ଆକ୍ରାନ୍ତ ହେବାପରେ ସେମାନଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। କନ୍ୟାଶ୍ରମ ମଧ୍ୟରେ ଚିକିତ୍ସା କରିବା ପରେ ବିଦ୍ୟାଳୟ କତ୍ତୃପକ୍ଷ କୌଣସି ସୁଫଳ ନପାଇ ମୋହନା ସ୍ୱାସ୍ଥ୍ୟ ବିଭାଗ ସହାୟତାରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଅସୁସ୍ଥ ଛାତ୍ରୀ ମାନଙ୍କୁ ଭର୍ତ୍ତି କରିଥିଲେ l ବର୍ତ୍ତମାନ ୧୨ଜଣ ଅନ୍ତେବାସୀ ଆକ୍ରାନ୍ତ ହୋଇଥିବା ବେଳେ ମୋହନା ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଟିମ୍ କନ୍ୟାଶ୍ରମରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି l ଖରାପ ଖାଦ୍ୟ ହିଁ ଝାଡାବାନ୍ତିର କାରଣ ବୋଲି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଟିମର ଡାକ୍ତର ଗୋପାଳ କୃଷ୍ଣ ସାହୁ ସୂଚନା ଦେଇଛନ୍ତି l ଅନ୍ୟପଟେ କନ୍ୟାଶ୍ରମର ପାନୀୟ ଜଳକୁ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଛି l ଘଟଣା ଉପରେ ନଜର ରଖାଯାଇଛି। ଅତିଶୀଘ୍ର ସ୍ଥିତିକୁ ନିୟନ୍ତ୍ରଣ କରାଯିବ ବୋଲି ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡାକ୍ତର ନମିତା ପଣ୍ଡା ସୂଚନା ଦେଇଛନ୍ତି l