ଆଉଟସୋର୍ସିଂ କର୍ମଚାରୀ ମହାସଂଘର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପ୍ରତି ସରକାରୀ ଅଣଦେଖାକୁ ନେଇ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ସମସ୍ତ ଠିକା କର୍ମଚାରୀଙ୍କୁ ସ୍ଥାୟୀ କରିବା ନେଇ ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣାରେ ଆଉଟସୋର୍ସିଂଙ୍କୁ ବାଦ ପଡ଼ିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସ୍ଥାନୀୟ ଆୟୁଷ୍ମାନ ମଣ୍ଡପରେ ଆୟୋଜିତ ଆଉଟସୋର୍ସିଂ କର୍ମଚାରୀ ମହାସଂଘ ବୈଠକରେ କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ଜିଲ୍ଲା ସଭାପତି ମନୋଜ କୁମାର ରାଉତ ଏହି ବୈଠକରେ ସଭାପତିତ୍ୱ କରିବା ସହିତ ଆଉଟସୋର୍ସିଂରେ କାର୍ଯ୍ୟରତ କର୍ମଚାରୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ୧୧ ଦଫା ଦାବିରେ ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ସମାବେଶକୁ ସଫଳ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏଥିରେ ବାଲେଶ୍ୱର ଜିଲାରୁ ହଜାର ହଜାର କର୍ମଚାରୀ ଯୋଗଦେବାକୁ୍ ଶ୍ରୀ ରାଉତ ନିବେଦନ କରିଥିଲେ । ଜଲା ସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ଉପ-ସଭାପତି ଦେବାଶିଷ ଜେନା ଓ ଆଉଟସୋର୍ସିଂ ମହାସଂଘର ଜିଲା ସୋସିଆଲ ମିଡ଼ିଆ ସଂଯୋଜକ ସାନୁ କୁମାର ଶାସମଲ, ସତ୍ୟଜିତ ଦତ୍ତ, ସୁଶାନ୍ତ ପାଲ, ମାନସ କୁମାର ଜେନା, ଜିତେନ ମଲିକ, ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଏଥିରେ ଯୋଗଦେଇ ବିଭିନ୍ନ ଦାବି ଉପସ୍ଥାପନ ସହ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୂଚନା ଦେଇଥିଲେ । ବିଶେଷ କରି ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ, ବାର୍ଷିକ ୧୦ ପ୍ରତିଶତ ଦରମା ବୃଦ୍ଧି, ଦୁର୍ଘଟଣା ଜନିତ ସହାୟତା, ମହିଳା କର୍ମଚାରୀଙ୍କୁ ପ୍ରସବକାଳୀନ ଛୁଟି ଆଦି ୧୧ ଦଫା ଦାବି ବିଷୟରେ ସେମାନେ ବିସ୍ତୃତ ଆଲୋଚନା କରିଥିଲେ । ହକ ଆଦାୟ ପାଇଁ ସମସ୍ତେ ସଂଗଠିତ ହୋଇ ମହାସଂଘକୁ ମଜବୁତ କରିବା ଓ ଭୁବନେଶ୍ୱର ସମାବେଶକୁ ସଫଳତା କରିବା ନିମନ୍ତେ ସେମାନେ ସମସ୍ତଙ୍କୁ ନିବେଦନ କରିଥିଲେ । ଏହି ବୈଠକରେ ଜିଲାର ବିଭିନ୍ନ ଦପ୍ତରରେ କାର୍ଯ୍ୟରତ ବହୁ ଆଉଟସୋର୍ସିଂ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ