ପୀତାମ୍ବରା ସିଦ୍ଧମହାଶକ୍ତି ପୀଠରେ ନବରାତ୍ର ପୂଜା ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ଦୁର୍ଗତିନାଶିନୀ ମାଆ ଦୁର୍ଗାଙ୍କ ବାସନ୍ତୀକ ପୂଜା ଅବସରରେ ବୁଧବାର ପ୍ରତିପଦ ତିଥିରୁ ବିଭିନ୍ନ ଶକ୍ତିପୀଠାରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ପ୍ରାତଃକାଳରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧା ଓ ନିଷ୍ଠାର ସହିତ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଏନେଇ ଜିଲାର ବିଭିନ୍ନ ଶକ୍ତିପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ସହର ଉପକଣ୍ଠ ତାମୁଳିଆ ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠରେ ସ୍ୱତନ୍ତ୍ର ନୀତିକାନ୍ତିରେ ଆରମ୍ଭ ହୋଇଛି ନବରାତ୍ର ପୂଜା । ପଞ୍ଚ ଦେବତାଙ୍କ ଘଟ ଓ ମଣ୍ଡଳାଦି ସ୍ଥାପନ ସହ ଷୋଡ଼ଶ ଉପଚାର ପୂଜା ଏବେ ଜାରି ରହିଛି । ସଂଧ୍ୟାରେ ସପ୍ତସତୀ ଚଣ୍ଡିପାଠ ଓ ରାତିରେ ୧୦୮ ଆହୁତି ଆଦି କର୍ମକାଣ୍ଡ ମାଧ୍ୟମରେ ପ୍ରଥମ ଦିନରେ ପୀଠର ଅଧିଷ୍ଠାତ୍ରୀ ମା’ ବଗଳାମୁଖୀଙ୍କର ପୂଜାର୍ଚ୍ଚନା କରାଯାଇଛି । ପ୍ରଥମ ଦିନରେ ଆଜି ମା’ଙ୍କୁ ପର୍ବତ ରାଜା ହିମାଳୟଙ୍କ କନ୍ୟାଭାବେ ଶୈଳପୁତ୍ରୀ ସ୍ୱରୂପରେ ପୂଜା କରାଯାଇଛି । ଦିନରେ ବ୍ରହ୍ମଚାରିଣୀ, ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନରେ କୁଷ୍ମାଣ୍ଡା, ୫ମ ଦିନରେ ସ୍କନ୍ଦମାତା, ଷଷ୍ଠ ଦିନରେ କାତ୍ୟାୟନୀ, ସପ୍ତମ ଦିନରେ କାଳରାତ୍ରି, ଅଷ୍ଟମ ଦିନରେ ମହାଗୌରୀ ଏବଂ ନବମ ଦିବସରେ ଆଦିଶକ୍ତି ‘ସିଦ୍ଧିଦାତ୍ରୀ’ ସ୍ୱରୂପରେ ମା’ଙ୍କୁ ଅର୍ଚ୍ଚନ କରାଯିବ ବୋଲି ପୀତାମ୍ବରା ସିଦ୍ଧ ମହାଶକ୍ତି ପୀଠର କର୍ମକର୍ତ୍ତା ସୂଚନା ଦେଇଛନ୍ତି ।