ପ୍ରାଚୀନ ଯୁଗରେ ସମାଜ ଥିଲା ମାତୃକୈନ୍ଦ୍ରିକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରାଚୀନ ଯୁଗରେ ସମାଜ ଥିଲା ମାତୃକୈନ୍ଦ୍ରିକ । ପରିବାରରେ ନାରୀର ସ୍ଥାନ ବହୁ ଉଚ୍ଚରେ ଥିଲା । ନାରୀ ନିର୍ଦ୍ଦେଶରେ ସମାଜ ଓ ପରିବାର ପରିଚାଳିତ ହେଉଥିଲା । ସ୍ନେହ, ପ୍ରେମ, ତ୍ୟାଗ ଓ ବୀରତ୍ୱର ସେ ଥିଲା ମୂର୍ତ୍ତିମନ୍ତ ପ୍ରତୀକ । ପ୍ରାଚୀନ ଯୁଗରେ ନାରୀର ବୀରତ୍ୱ ଓ ପରାକାଷ୍ଠାର ରହିଛି ଅନେକ ଉଦାହରଣ । ଶତ୍ରୁକୁ ଦମନ କରିବାଠାରୁ ଯୁଦ୍ଧ ବିଦ୍ୟାର ପାରଦର୍ଶିତା ଲାଭ କରିବାରେ ବି ଅନେକ ନଜୀର ରହିଛି । ପ୍ରାଚୀନ ଯୁଗରେ ଶିକ୍ଷା କ୍ଷେତ୍ରରେ ନାରୀ ଅଲୌକିକ ପ୍ରତିଭା ପ୍ରଦର୍ଶନର ବି ଅଜସ୍ର ଉଦାହରଣ ରହିଛି । ଯେପରି ଗାର୍ଗୀ, ମୈତ୍ରେୟୀ, ଲୋପାମୁଦ୍ରା, ଲୀଳାବତୀ ପ୍ରଭୃତି ବିଦୂଷୀ ରମଣୀ ନିଜ ନିଜର ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ । ଜ୍ଞାନ, ବୁଦ୍ଧି କୌଶଳରେ ମଧ୍ୟ ସେମାନେ ପୁରୁଷମାନଙ୍କୁ ପଛରେ ପକାଇ ଦେଇଥିଲେ ବୋଲି ଶ୍ରୀ ସତ୍ୟସାଇ ମହିଳା ମହାବିଦ୍ୟାଳୟର ଦର୍ଶନ ବିଭାଗ ଓ ଆଇ.କ୍ୟୁ.ଏ.ସିର ମିଳିତ ସହଯୋଗରେ ଆୟୋଜିତ ‘ପ୍ରାଚୀନ ଭାରତୀୟ ସଂସ୍କୃତିରେ ନାରୀର ସ୍ଥାନ’ ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇଥିବା ଅତିଥିମାନେ ମତ ପ୍ରକାଶ କରିଥିଲେ । ଦର୍ଶନ ବିଭାଗର ମୁଖ୍ୟ ପ୍ରଧ୍ୟାପିକା ଡ. ମୃଣ୍ମୟୀ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମୁଖ୍ୟବକ୍ତା ରୂପେ ଐତିହାସିକ ଡ.ଲାରୀ ଆଜାଦ୍, ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ଦେବଜାନୀ ସିଂ, ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ପ୍ରଧ୍ୟାପକ ସୁନୀଲ କୁମାର ରଥ, ପ୍ରଫେସର ବୀଣାପାଣି ମିଶ୍ର, ଅଧ୍ୟାପିକା ଅର୍ଚ୍ଚନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ମୀନା ମହାନ୍ତି, ବିନ୍ଦୁଲତା ପଣ୍ଡା, ଦେବରାଜ ରାଉତ, ନିରୁପମା ନାୟକ, ନିବେଦିତା ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।