ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନିତ କରିଥିବା ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନୟାପଲ୍ଲୀ ଥାନାରେ ଏତଲା ଦେଲା ଶ୍ରୀଜଗନ୍ନାଥ ଯୁବ ବାହିନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶାର ପରିଚୟ, ଓଡ଼ିଶାର ଗର୍ବ, ଗୌରବ ସାଢେ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଅପମାନିତ କରିଥିବା ଜଗତସିଂହପୁର ଜିଲ୍ଲା ସୁବାସ ନାୟକ ବିରୁଦ୍ଧରେ ଶ୍ରୀଜଗନ୍ନାଥ ଯୁବ ବାହିନୀ ପକ୍ଷରୁ ୩ ତାରିଖ ଦିନ ନୟାପଲ୍ଲୀ ଥାନାରେ ଏତଲା ଦିଆଯାଇଛି । ଅଭିଯୁକ୍ତ ସୁବାସ ନାୟକ ଏକ ନିର୍ଦ୍ଦିଷ୍ଟ ରାଜନୀତି ଦଳର କର୍ମୀ ଓ ସେ ସୋସିଆଲ ମିଡ଼ିଆରେ ଓଡ଼ିଶାର ପରିଚୟ ହିଁ ନବୀନ । ଓଡ଼ିଶାବାସୀଙ୍କର ସୁଖ ସୁବିଧାରେ ନବୀନ । ଜଗନ୍ନାଥ ଏକ କାଳ୍ପନିକ ନିର୍ଜୀବ କାଠର ମୂର୍ତ୍ତି, କିଛି ଭଣ୍ଡଙ୍କର ରୋଜଗାରର ପନ୍ଥା ବୋଲି ଉଲ୍ଲେଖ କରିଥିଲେ । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମନକୁ କୁଠାରଘାତ କରିଛି । ଜୀବିତ ମଣିଷଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହିତ ତୁଳନା କରିବା କେତେଦୂର ଯୁକ୍ତିଯୁକ୍ତ? ଇତି ମଧ୍ୟରେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ବିଶେଷ କରି ଶ୍ରୀଜଗନ୍ନାଥ ଯୁବ ବାହିନୀ ତୀବ୍ର ନିନ୍ଦା କରିଛି । ଅଭିଯୁକ୍ତ ସୁବାସ ନାୟକଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ସର୍ବସମ୍ମୁଖରେ ପୁରୀ ବଡ଼ଦାଣ୍ଡରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀଜଗନ୍ନାଥ ଯୁବ ବାହିନୀ ତରଫରୁ ନୟାପଲ୍ଲୀ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀଙ୍କୁ ଏତଲା ପ୍ରଦାନ କରାଯାଇଛି । ଏଥିସହିତ ହିନ୍ଦୁ ଦେବାଦେବୀଙ୍କୁ ନେଇ ଅଶ୍ଲିଳ ନୃତ୍ୟ ପରିବେଷଣ, ବ୍ୟଙ୍ଗଚିତ୍ର କରିବା ଓ ଅଶାଳୀନ ମନ୍ତବ୍ୟ ଦେବା, ଅପସଂସ୍କୃତି ପ୍ରଚାର କରୁଥିବା ବ୍ୟକ୍ତିମାନଙ୍କ ବିରଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀଜଗନ୍ନାଥ ଯୁବ ବାହିନୀ ତରଫରୁ ଆବାହକ ବିଶ୍ୱରଞ୍ଜନ ଜେନା, ସଭାନେତ୍ରୀ ମେନକା ପରିଡ଼ା, ମହିଳା ସଭାନେତ୍ରୀ ସନ୍ତୋଷୀ ଦେଓ, ଶୁଭାଶିଷ ଷଡ଼ଙ୍ଗୀ, ଦେବାନନ୍ଦ ମହାରଣା, ବିକାଶ ବେହେରା, ନିରୋଜ କୁମାର ବେହେରାଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଅଭିଯୁକ୍ତ ସୁବାସ ନାୟକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହିତ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି ନ କରିବା ପାଇଁ ଶ୍ରୀଜଗନ୍ନାଥ ଯୁବ ବାହିନୀ ନିବେଦନ କରିଛି । ଯଦି ସୁବାସ ନାୟକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆଗାମୀ ଦିନରେ ଶ୍ରୀଜଗନ୍ନାଥ ଯୁବ ବାହିନୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ