ପଞ୍ଚଦିବସୀୟ ବ୍ୟକ୍ତିତ୍ୱ ବିକାଶ ଶିବିର, ସ୍ୱାମୀ ଚିଦାନନ୍ଦ ସ୍ୱାଧ୍ୟାୟ କେନ୍ଦ୍ର ଓ ଆଧ୍ୟାତ୍ମିକ ସମ୍ମିଳନୀ ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ଜାଗମଠ କୈାଶଲ୍ୟା ପଡିଆ ପରିସରରେ ପଞ୍ଚଦିବସୀୟ ବ୍ୟକ୍ତିତ୍ୱ ବିକାଶ ଶିବିର, ସ୍ୱାମୀ ଚିଦାନନ୍ଦ ସ୍ୱାଧ୍ୟାୟ କେନ୍ଦ୍ର ଓ ଆଧ୍ୟାତ୍ମିକ ସମ୍ମିଳନୀକୁ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରବିବାର ସନ୍ଧ୍ୟାରେ ଉଦଘାଟନ କରିଥିଲେ । ଏହି ଅବସରରେ ଗଜପତି ମହାରାଜା ଶ୍ରୀ ଦେବ କହିଥିଲେ ଯେ ଏହି ବ୍ୟକ୍ତିତ୍ୱ ବିକାଶ ଶିବିରରେ ଅଧିକରୁ ଅଧିକ ସଂଖ୍ୟାରେ ଭାଇଭଉଣୀମାନେ ଯୋଗଦେବା ଆବଶ୍ୟକ । ଫଳରେ ଆଦର୍ଶ ବ୍ୟକ୍ତିତ୍ୱର ମଣିଷମାନଙ୍କର ଗଠନ ହେବା ସହିତ ଉତ୍ତମ ଭାରତର ଗଠନ ହୋଇପାରିବ । ଏଭଳି ଏକ ଶିବିରର ଆୟୋଜନ କରିଥିବାରୁ ଦିବ୍ୟ ଜୀବନ ସଙ୍ଘ କେନ୍ଦ୍ରାପଡା ଶାଖାର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କୁ କୃତଜ୍ଞତା ଜଣାଇଥିଲେ । ଆଦର୍ଶ ମଣିଷର ଅଭାବ ଯୋଗୁଁ ଘରଠୁ ଆରମ୍ଭ କରି ରାଷ୍ଟ୍ର୍ର ପର୍ଯ୍ୟନ୍ତ ସବୁଠିଁ ଅଶାନ୍ତି, ବିଶୃଙ୍ଖଳା ଚାଲିଥିବାରୁ ଆମକୁ ଏକ ଉତ୍ତମ ସମାଜ ଗଠନ ପାଇଁ ପ୍ରୟାସ ଜାରି ରଖିବାକୁ ପଡିବ । ଏକ ଶାନ୍ତି ଓ ସଦ୍ଭାବପୂଣ୍ଣ ସମାଜ ଗଠନ ନିମନ୍ତେ ଆଧ୍ୟାତ୍ମିକ ପରିବେଶ, ଆଧ୍ୟାତ୍ମିକ ଆଲୋଚନା, ଚିନ୍ତାଧାରା ଓ ଆଧ୍ୟାତ୍ମିକ ଜ୍ଞାନର ଆବଶ୍ୟକତା ରହିଥିବାରୁ ଏଭଳି ଶିବିରର ଆୟୋଜନ କରାଯିବା ଉଚିତ । ଧିରେ ଧିରେ ଆଧ୍ୟାତ୍ମିକ ଜୀବନ, ଜ୍ଞାନ, ବିଚାର ଓ ଚିନ୍ତନ କମିଯାଉଥିବାରୁ ସେତିକି ପରିମାଣର ଜୀବନ ନଷ୍ଟ ହୋଇଯିବ । ଏଭଳି ଶିବିରର ସୁବର୍ଣ୍ଣ ସୁଯୋଗ ନେଇ ଜଣେ ଜଣେ ଉତ୍ତମ ତଥା ଆଦର୍ଶ ବ୍ୟକ୍ତିତ୍ୱ ଗଠନ କରିବାକୁ ଯୁବପିଢୀଙ୍କୁ ଗଜପତି ମହାରାଜା ପରାମର୍ଶ ଦେଇଥିଲେ । ଦକ୍ଷିଣ ଓଡିଶା ଦିବ୍ୟ ଜୀବନ ସଙ୍ଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକଙ୍କ ପରିଚାଳନାରେ ଏବଂ ଦିବ୍ୟ ଜୀବନ ସଙ୍ଘ କେନ୍ଦ୍ରାପଡା ଶାଖାର ଅଧ୍ୟକ୍ଷା ଶ୍ରୀମା ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବାଲିଘାଇ ପ୍ରଜ୍ଞାମିଶନର ସ୍ୱାମୀ ସମର୍ପଣାନନ୍ଦ ସରସ୍ୱତୀ, ପରିବ୍ରାଜକ ସନ୍ଥ ସ୍ୱାମୀ ଉମାନନ୍ଦ ସରସ୍ୱତୀ, କଟକ ଚିନ୍ମୟ ମିଶନର ସ୍ୱାମୀ ଓମ୍କାରାନର୍ସରସ୍ୱାତୀ, ହରିଦ୍ୱାର ସାଧନାସଦନର ସ୍ୱାମୀ ରାମେଶ୍ୱରାନନ୍ଦ ସରସ୍ୱତୀ, କଟକର ବ୍ରହ୍ମଚାରୀ ସତ୍ୟଚୈତନ୍ୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅର୍ଶ୍ରିବଚନ ରଖିଥିଲେ । ସାମ୍ବାଦିକ ସଚ୍ଚିକାନ୍ତ ନାଥ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଶାସକ ଅଶ୍ୱିନୀ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗଜପତି ମହାରାଜା ବିଶ୍ୱର ସମସ୍ତ ସନ୍ଥମାନଙ୍କର ବାଣୀ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଭାଗବତପୁର ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସାଲ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଥମେ ଗଜପତି ମହାରାଜା ସେଠାରେ ପହଞ୍ଚିବା ପରେ ରାଜାଙ୍କୁ ପୁଷ୍ପଗୁଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ଗଜପତି ମହାରାଜା ନବ ନିର୍ମିତ ଜଗନ୍ନାଥ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ପୂଜାର୍ଚ୍ଚନା ଓ କର୍ପୁର ଆଳତି କରିବା ପରେ ସ୍ୱାମୀ ଚିଦାନନ୍ଦ ସ୍ୱାଧ୍ୟାୟ କେନ୍ଦ୍ର ଉଦଘାଟନ କରି ସଭା ମଞ୍ଚକୁ ଆସିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲ୍ଲିକ, ସମାଜସେବୀ ଇଂ ମୂରଲୀଧର ମଲ୍ଲିକ, ଯୁବନେତା ରାଜେଶ ପଣ୍ଡା, ଅଧ୍ୟାପକ ଅଜୟ କୁମାର ରାଉତ, ସୁଦର୍ଶନ ମହାପାତ୍ର, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳି ସେଠୀ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ନିର୍ମଳା ମହାନ୍ତି, ପ୍ରାକ୍ତନ ସରପଞ୍ଚ ଗାୟତ୍ରୀ ମହାନ୍ତି, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ହରିବୋଲ ହୁଳହୋଳିରେ ସଭାସ୍ଥଳକୁ ପ୍ରକମ୍ପିତ କରିଦେଇଥିଲେ ।