ବିଶାଳକାୟ ହାତୀ କଙ୍କାଳ ନିଲାମ
ବ୍ରିଟେନ୍ର ଅକ୍ସନ ହାଉସ୍ ଦ୍ବାରା ୪ଟି ବିଶାଳୟକାୟ ହାତୀ କଙ୍କାଳ ନିଲାମ କରାଯିବ । ରୁଷିଆରୁ ଆବିଷ୍କୃତ କରାଯାଇଥିବା ଏହି କଙ୍କାଳ ମଧ୍ୟରେ ଏକ ଛୁଆ ହାତୀର କଙ୍କାଳ ରହିଛି । ଏହି କଙ୍କାଳ ମଧ୍ୟରୁ ୨ଟି ମାଈ ହାତୀର ଓ ଦୁଇଟି ଅଣ୍ଡିରା ହାତୀର ବୋଲି ଜଣାଯାଇଛି । ବୟସ୍କା ମାଈ ହାତୀର ଉଚ୍ଚତା ୨ମିଟରରୁ ସାମାନ୍ୟ ଉଚ୍ଚା ଥିବାବେଳେ ଏହାର ଓଜନ ୨.୮ଟନ୍, ହାତୀଟି ପ୍ରାୟ ୪୫ ବର୍ଷ ବଞ୍ଚି ରହିଥିବା ତାର ଦାନ୍ତ ପରୀକ୍ଷାରୁ ଜଣାଯାଇଛି । ପୁରୁଷ ହାତୀର ଉଚ୍ଚତା ମାଈ ହାତୀ ଠାରୁ ସାମାନ୍ୟ ଅଧିକ । ଦ୍ୱିତୀୟ ମାଈ ହାତୀର ଦନ୍ତ ଓ ଅସ୍ଥି ପରୀକ୍ଷାରୁ ଏହା ୮ରୁ ୯ ବର୍ଷ ବଞ୍ଚିଥିବା ଜଣାଯାଇଛି । ୪ଟି କଙ୍କାଳ ମଧ୍ୟରୁ ଭଲ ଭାବେ ସଂରକ୍ଷିତ ଥିବା କଙ୍କାଳଟି ଏକ ଛୋଟ ହାତୀ ଛୁଆର । ବିଶ୍ୱରେ ସଂପୂର୍ଣ୍ଣ ହାତୀ କଙ୍କାଳ ମିଳିବା କ୍ଷେତ୍ରରେ ଏହା ଦ୍ୱିତୀୟ ବୋଲି ଅକ୍ସନ ହାଉସ୍ ପକ୍ଷରୁ କୁହାଯାଇଛି । ଏମାନେ ଦଳ ବାନ୍ଧି ରହୁଥିବାରୁ ଏହି କଙ୍କାଳ ଗୋଟିଏ ପରିବାର ଓ ଗୋଟିଏ ପ୍ରଜାତିର ବୋଲି ନେଚ୍ୟୁରାଲ ହିଷ୍ଟ୍ରି କ୍ୟୁରେଟର ଏରୋଲ ଫୁଲେର ପ୍ରକାଶ କରିଛନ୍ତି । ପାଖାପାଖି ୨୦ ହଜାର ବର୍ଷ ତଳେ ଏଭଳି ବିଶାଳକାୟ ହାତୀ, ୟୁରୋପ, ଏସିଆ ଓ ଉତ୍ତର ଆମେରିକାର ବିସ୍ତୀର୍ଣ୍ଣ ଅଞ୍ଚଳରେ ବିଚରଣ କରୁଥିବାର ଗବେଷଣାରୁ ଜଣାଯାଇଛି ।