ବୌଦ୍ଧପୂର୍ଣ୍ଣିମା ରେ ଦ୍ବାଦଶ ଭାଗବତ ଗାଦି ମେଳନ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ପ୍ରାଚୀ ଉପତ୍ୟକାର ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର ସାନହୁଲି ଗ୍ରାମ ନିକଟସ୍ଥ ରତ୍ନବଟ ଠାରେ ବୌଦ୍ଧପୂର୍ଣ୍ଣିମା ଅବସର ରେ ଦ୍ୱାଦଶ ଭାଗବତ ଗାଦି ମେଳଣ ଅନୁଷ୍ଠିତ ହୋଇଥିଲା।ରତ୍ନବଟ ର ପୂଜକ ରାଜକିଶୋର ଶତପଥୀ ଆନୁଷ୍ଠାନିକ ଭାବେ ଦ୍ବାଦଶ ଭାଗବତ ଗାଦି କୁ ବୁଧବାର ଦିନ ନିମନ୍ତ୍ରଣ କରିବାପରେ ଆଜି ପ୍ରତ୍ୟୁଷ ରୁ ଥାନପତି ତୁଳସୀପୁର ଗ୍ରାମ ର ବାସୁଦେବ ଠାକୁର ଏକ ସୁସଜ୍ଜିତ ବିମାନ ରେ ମେଳଣମଣ୍ଡପ ଠାରେ ପହଞ୍ଚି ଉପବେସନ କରିବା ପରେ ବାରଗାଦି ଠାକୁର ସ୍ୱ ସୁସଜ୍ଜିତ ବିମାନ ରେ ଆସି ମଣ୍ଡପ ଠାରେ ବସିଥିଲେ। ଏହି ମେଳନ ରେ ତୁଳସୀପୁର, ଭାଣପୁର, ସାନହୁଲି, ବାସେନାଖଣ୍ଡ, ଚହଟା, ବାଲୁଙ୍କ କେସେରାଇପୁର, ଦଣ୍ଡିକିରା, ଛଣିଜଙ୍ଗ, ବଳଭଦ୍ରପୁର, ବନମାଳୀପୁର , ଜାହାଙ୍ଗୀରପୁର ପ୍ରଭୁତି ଗ୍ରାମ ର ବାସୁଦେବ ଗାଦି ଠାକୁର ଯୋଗ ଦେଇଥିଲେ । ରତ୍ନ ବଟ ପକ୍ଷରୁ ଠାକୁର ମାନଙ୍କ ନିକଟରେ ବାଳଭୋଗ କରାଯିବା ପରେ ଠାକୁର ମାନଙ୍କ ନିକଟରେ ଦ୍ବାଦଶସ୍କନ୍ଦ ଭାଗବତ ପାଠ କରା ଯାଇଥିଲା। ମଧ୍ୟାର୍ଣ୍ଣ ରେ ଠାକୁର ମାନଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଯିବା ସହିତ ଅପରାହ୍ନ ରେ ବାରଗାଦି ମେଳନ କମିଟି ପକ୍ଷରୁ ଲଉଡି ଖେଳ ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ରେ ଠାକୁର ମାନେ ହରିବୋଲ, ହୁଳହୁଳି, ସଂକ୍ରିତ୍ତନ ମଧ୍ୟରେ ମଣ୍ଡପରୁ ଉଠି ସ୍ୱ ଗ୍ରାମ କୁ ଯାଇ ଘର ଘର ଭୋଗ ଖାଇ ମନ୍ଦିର କୁ ପ୍ରବେଶ କରିଥିଲେ। ଦ୍ବାଦଶ ଗାଦି ମେଳଣ ପାଇଁ ରତ୍ନବଟ ଉତ୍ସବ ମୁଖର ହୋଇ ପଡ଼ିଥିଲା। ଭେଟ ପଡ଼ିଆ ଠାରେ ମେଳା ବସିଥିଲା। ବାରଗାଦି ମେଳଣ କମିଟି ପକ୍ଷରୁ ରାତିରେ ଆତସବାଜି ପ୍ରଦର୍ଶନ କରାଯାଇଥିଲା।