ଶଙ୍ଖଣା ଗାଁରେ ଦିନ ଦିପହରେ ପସିଲା ହାତୀ , ଲୋକେ ଭୟଭୀତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ କାନପୁର ଅଞ୍ଚଳରେ ଗତ କିଛିଦିନ ହେବ ପୁଣି ହାତୀ ଆତଙ୍କ ଦେଖା ଦେଇଛି । ଆମ୍ବ ପଣସ ପାଚିବା ସମୟ ହୋଇଗଲେ ଗତ ୫ବର୍ଷ ହେବ ଦୁଇଟି ଦନ୍ତା ହାତୀ ହଦଗଡର ହସ୍ତୀ ଅଭୟାରଣ୍ୟ ମଧ୍ୟରୁ ସୋସୋ କାନପୁର ଅଞ୍ଚଳକୁ ପଳାଇ ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥାନ୍ତି । ଏପରିକି ଗତ ଦୁଇବର୍ଷ ତଳେ ଅନେକ ଲୋକଙ୍କୁ ମଧ୍ୟ ଆକ୍ରମଣ କରି ମାରିଦେଇଥିଲେ । ଏବେ ଗତ କିଛିଦିନ ହେବ ଗୋଟିଏ ଦନ୍ତା ହାତୀ ସୋସୋ, କାନପୁର, ନିଉଦାନୀ, ଦନେଇପୁର, ନୁଆଗାଁ, ବାଘୁଆ, ଅଞ୍ଚଳରେ ଚଳପ୍ରଚଳ କରୁଥିବାବେଳେ ଗତ ୪ତାରିଖ ଦିନ ଦିପହରେ ହାତୀଟି ବାଘୁଆ ଗାଁ ଭିତରକୁ ପସିଆସିବା ବେଳେ ଆଜି ବାଙ୍ଗୋର ପଞ୍ଚାୟତର ଶଙ୍ଖଣା ଗାଁ ଭିତରକୁ ପସି ଆସିଥିଲା । ଫଳରେ ଲୋକମାନେ ଭୟଭୀତ ହୋଇ ପଡିଥିଲେ । ଗାଁରେ ଘରେ ଘରେ ତାଟି କବାଟ ପଡି ଯାଇଥିଲା । ଏହାକୁ ନେଇ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସନ୍ଧ୍ୟା ହେଲେ ଲୋକମାନେ ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । ତେଣୁ ବନ ବିଭାଗ ତୁରନ୍ତ ହାତୀଟିକୁ ଘଉଡାଇବା ଲାଗି ପଦକ୍ଷେପ ନେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।


