ସେବାନିବୃତ୍ତ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ୟୁନିଟ୍‌-୮ ଉଚ୍ଚ ବିଦ୍ୟାଳୟର ଆଦର୍ଶ ଶିକ୍ଷୟତ୍ରୀ ଉଷାରାଣୀ ଆଚାର୍ଯ୍ୟ ଓ ସହକାରୀ ଶିକ୍ଷୟତ୍ରୀ ଗୀତାରାଣୀ ସାବତ ସେବାନିବୃତ୍ତ ହେବା ଅବସରରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୩୦ ତାରିଖ ଶୁକ୍ରବାର ଦିବା ୧୧ ଘଟିକା ସମୟରେ ଆରମ୍ଭ ହୋଇଥିବା ଏହି ସମ୍ବର୍ଦ୍ଧନା ଉତ୍ସବରେ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ବିଶିଷ୍ଟ ଅତିଥି ଭାବେ ଭାରତୀୟ ଶରୀର ଓ ଅଙ୍ଗଦାନ ସମିତିର ଜାତୀୟ ଅଧ୍ୟକ୍ଷ ପ୍ରଭାସ କୁମାର ଆଚାର୍ଯ୍ୟ ଏବଂ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ନିହାର ରଞ୍ଜନ ମହାନ୍ତି, ସ୍ୱତନ୍ତ୍ର ଅତିଥି ଭାବେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ବୃନ୍ଦାବନ ଶତପଥୀ ଏବଂ ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ଯୁଗ୍ମ ସଚିବ କୃଷ୍ଣଚନ୍ଦ୍ର ଶତପଥୀ, ମୁଖ୍ୟବକ୍ତା ଭାବେ ଖୋର୍ଦ୍ଧାଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରେଇ ପ୍ରମୁଖ ଯୋଗ ଦେଇଥିଲେ । ଦୀର୍ଘଦିନର ସେବା ଦ୍ୱାରା ପ୍ରଧାନ ଶିକ୍ଷୟତ୍ରୀ ଅନେକ ମେଧାବୀ ଛାତ୍ର ଗଢିବା ସହ ରାଜ୍ୟ ତଥା ଦେଶର ମାନବ ସମ୍ବଳକୁ ସୁଦୃଢ କରିଥିବାରୁ ଅତିଥିମାନେ ରାଜ୍ୟର ଗୌରବ ବୋଲି ଅଭିହିତ କରିଥିଲେ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଯୁଗ୍ମ ସଚିବ ମନୋଜ କୁମାର ସ୍ୱାଇଁ, ୪୭ ନମ୍ବର ୱାର୍ଡ଼ର କର୍ପୋରେଟର ସମିତା ମହାନ୍ତି, ଆଲୁମିନି ସଭ୍ୟା ସୁନନ୍ଦା ମେକାପ, ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରଜ୍ଞା ପାରମିତା ଜେନା, ଏସ୍‌ବିଆଇର ଶାଖା ପରିଚାଳକ ଜ୍ୟୋତିରଞ୍ଜନ ରାଉତ, ଦ ଲିଙ୍କ ଆଇ ହସ୍ପିଟାଲର ସିଇଓ ଆଲୋକ କୁମାର ସାହୁ ପ୍ରମୁଖ ଯୋଗଦେଇ ପ୍ରଧାନ ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଉତ୍ସବରେ ଏସ୍‌ଏମ୍‌କ୍ୟୁସି ସଭ୍ୟ ସୁଶାନ୍ତ କୁମାର ଶତପଥୀ ତଥା ମୋ ସ୍କୁଲ୍ ସଭ୍ୟ ଓ ପୃଷ୍ଠପୋଷକ ସଭ୍ୟ ତଥା ଅନେକ ଅତିଥି ଯୋଗ ଦେଇ ପ୍ରଧାନ ଶିକ୍ଷୟତ୍ରୀଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠା, ତ୍ୟାଗ, ଛାତ୍ରବତ୍ସଳତା ଆଦର୍ଶର ଭୂରୀ ଭୂରୀ ପ୍ରଶଂସା କରିଥିଲେ । ପରିଶେଷରେ ବନ୍ଧୁମିଳନ ଓ ପ୍ରସାଦ ସେବନ ସହ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ