ବିକାଶ ପଥେ ଟମାଟୋ
ଅନାମିକା ଦାସ
ଆଠଦିନ ହେଲା ଝିପି ଝିପି ବର୍ଷୁଛି ଯେ ବର୍ଷୁଛି । ଚାଷ ବାସ ସବୁ ଗଲାଣି । ଋତୁ ଅନୁସାରେ ଆମେ କିଛି ଚାଷୀ ବି ରକମ ରକମ ଚାଷ କରୁଛୁ । ଶୀତ ଦିନେ ଫୁଲ କୁ ଅନ୍ୟ ଦିନେ ପରିବା ପତ୍ର । ଏମିତି ବର୍ଷାରେ ବାହାର ରାଜ୍ୟରୁ ବି ଆମଦାନି ଖୁବ୍ କମିଛି । ଟି.ଭି.ରେ ବାରମ୍ବାର ଖବର ଆସୁଛି ବାଇଗଣ ଶହେ ଟପିଲା, ଅଦା ଚାରି ଶହ….ମୁଁ ଏବେଯାଏଁ ଜମିରୁ ଟମାଟ ଅମଳ କରିନଥିଲି । ଯେମିତି ଖବର ଶୁଣିଛି ଟମାଟ ବି ଦେଢ଼ ଶହ ହେଇଛି ବୋଲି ସତେ ଆଉ ରାତିରେ ନିଦ ନାହିଁ । କେମିତି ସକାଳୁ ବିଲକୁ ଯାଇ ବୋଝେ ଟମାଟ ବଜାରକୁ ନେବି । ହଉ ମତେ ଖତେଇ ହେଉଥିବା ପାଖ ବିଲର ଭେଣ୍ଡି, ଫୁଲକୋବିଙ୍କ ଅବସ୍ଥା ତ ଦେଖିବା ଭଳି ହେଇଥିବ । ମୋ ବିଲର ହଳଦିଆ ପଡି ଆସୁଥିବା ଟମାଟ ପତ୍ର ସହ ମିଶି ମାଟିରେ ଲୋଟିଥିଲେ, ଆଉ ପାଖ ବିଲର ଛନଛନିଆ ସବୁଜ ପତ୍ର ଭିତରୁ ଛୋଟ ଛୋଟ ଭେଣ୍ଡି ଆଉ ଅତି ଗର୍ବରେ ସବୁଜ ପତ୍ର ଘୋଡେଇ ହେଇ ଉଣ୍ଡୁଥିବା ଧୋବ ଫରଫର ଫୁଲ କୋବିଗୁଡା ଦେଖି ମୋ ମନ ସବୁ ଦିନ ପିତା ହେଇଯାଉଥିଳା । ମୁଁ ମୋ ବିଲରେ ଲୋକ ଲଗାଏ ନାହିଁ, ସ୍ତ୍ରୀ ତ ମୋର ରୋଜଗାରିଆ …. ମାନେ ଅଙ୍ଗନବାଡିରେ ଛତୁଆ କାମ କରେ, ଆଉ ଚାଷୀମାନଙ୍କୁ ମିଳୁଥିବା ସୁବିଧା, ଋଣ ଛାଡ- ମାଗଣା ସାର, ଆହୁରି ଅଭାବି ବିକ୍ରିର ଲାଭକୁ ଫସଲର ପାଇକାରୀ ଦର କମିଲେ ଆମ ନେତାଏ ଆମକୁ ରାଜଧାନୀ ଯାଏଁ ନେଇଯାଆନ୍ତି । ଏମିତି ଭାବୁ ଭାବୁ ଆଖି ଲାଗିପଡିଲା । ଉଠିଲା ବେଳକୁ ବର୍ଷା ବି ଟିକେ କମିଛି, ସିଧା ଧାଇଁଲି ବିଲ ଆଡେ, ଆଗେ ପାଖ ବିଲକୁ ତନଖିକି ଦେଖିଲି ବାଃ ସବୁ ଗଛ ବେକ ଭାଙ୍ଗି ପଡିଛନ୍ତି । ଫୁଲକୋବି ଗୁଡା କାଦୁଅଭିତରେ ଲୁଚି ଯାଇଛନ୍ତି । ମୋ ବିଲରେ ବି ବର୍ଷା ଯୋଗୁ ଟମାଟ ଗୁଡା ମଇଳା ଦିଶୁଥିଲେ, ବୋଝଟା ଧରି ଆଗ ଚିକଣିଆ ଟମାଟୋ ଗୁଡା ନ ତୋଳି ଟିକେ ପୋକା-ବଙ୍କା ଦରପାଚିଲା ଗୁଡା ତୋଳି ପକେଇଲି । ହଁ ଏ ପ୍ରାୟ ଚାଳିଶ କିଲୋ ହେଇଥିବ । ଗାଁ ମୁଣ୍ଡ ନଳକୁଅ ପାଖେ ବୋଝ ଥୋଇ ଭଲରେ ଧୋଇ ଧାଇ ଚାଲିଲି ଛକ ମୁଣ୍ଡ ହୋଲସେଲର ପାଖକୁ । କେଜି ଅଶିରୁ କମିବନି ଶୁଣିବି ସେ ବାବୁ ଚୁପ୍ଚାପ୍ ସବୁ ଟମାଟ ନେଲେ । ଆଉ ମୁଁ ଟଙ୍କା ଗଣି ଗଣି ମୋ ଘର ମୁହାଁ, ହଠାତ୍ ବୁଲିପଡି ମୋ ଟମାଟୋ ଗଦା ଆଡେ ଚାହିଁଲି ସତେ କି ଟମାଟେ ମତେ ଡାକିଲା । କ’ଣ କିହୋ ଚାଷୀ ଭାଇ ଏଇ ମାସ କେଇଟା ଆଗରୁ ପରା ଆମକୁ ପିଚୁ ରାସ୍ତାରେ ଢ଼ାଳି, ଗୋରୁ ମୁହଁରେ ଦେଇ ସରକାରଙ୍କ ଠାରୁ ଋଣ ଛାଡ କରେଇବାରେ ଲାଗିଥିଲ, ଆଉ ଆଜି କ’ଣ ଆମକୁ ଏତେ ଶ୍ରଦ୍ଧା! ନା’ ନା’ କେହି କିଛି କହିନି, ନିଜେ ନିଜକୁ କହି ଚାଲିଲି ମୋ ଘରକୁ । ବେଲେ ପଖାଳ ଖାଇଦେଇ ଉପର ବେଳା ପୁଣି ଗଲି ବିଲ ଆଡେ । ରାତି ସୁଧା ଆଉ ବୋଝେ ଟମାଟୋ ତୋଳି ଦେଇ, ସକାଳୁ ବଡ ବଜାର ନେଇଯିବି ଯେ ପୁରା ଶହେ କୋଡିଏରେ ବିକିବି । ହେଁ…. ଏ କ’ଣ ପାଖ ବିଲ ଉଜୁଡି ପଡିଥିବାରୁ ଗୋରୁ-ଗାଈ ତା ବିଲ ସହ ମୋ ବିଲକୁ ବି ଦଳି ଚକଟି ପକେଇଛନ୍ତି । ଆହା ….ଭଲ ସାଇଜିଆ ଟମାଟୋ ଗୁଡା ସକାଳେ ତୋଳି ନଥିଲି, ସେ ଗୁଡା ଅଶିରେ ଗଲା, ହେଲେ ଏଗୁଡା ତ ଶହେ ଉପରେ ଯାଇଥାନ୍ତା । ତଥାପି ଧାଇଁଯାଇ ଗୋରୁ ଅଡେଇ ମାଟି-ଗଛ ଅଣ୍ଡାଳି କିଛି ଟମାଟୋ ତୋଳିଲି, ଚେପା-ଚକଟା ଟମାଟୋ ଗୁଡା ମିଟି-ମିଟି କରି ମତେ ଅନେଇଥିଲେ । ଆଜି ସେମାନେ ମତେ ଖତେଇ ହେଉଥିଲେ ଯେମିତି…. କହୁଥିଲେ କିରେ ମନ କିଆଁ ଦୁଃଖ? ନିଜେ ପରା ଆମକୁ ଗୋରୁ ମୁହଁରେ ଦିନେ ଦେଇଥିଲୁ! ଅବେଳରେ ଗୋଟିଏ ଟମାଟୋ ଚକଟି ପେଟେ ପଖାଳ ଖାଉଛୁ ଆଉ ଯେବେ ଆମେ ବେଶୀ ଫଳୁ ତୁ ରାଜ ରାସ୍ତାରେ ଗଡେଇ ଦେଇ ଆସୁ ପରା! ଏବେ ବୁଝ ଆମ ମହତ…. ଲଜ୍ୟାରେ ମୋ ମୁଣ୍ଡ ତଳକୁ ହେଇଯାଉଥିଲା । ସତରେ ତ କିଛି ଭୁଲ୍ କହିନି ଏ ଟମାଟୋ, ଏଇ ବିଲରୁ କେବେ ଟମାଟୋ ଯାଇ ତେଲ ଘଷା ହେଇ ଏ.ସି. ଦୋକାନରେ ପହଞ୍ଚେ, ତ କେବେ ପାଣି ପାଗ, ରୋଗ-ବାଟ ଯୋଗୁ ଦର ହୁଏନି, ଦିନେ ଦୁଇ ଟଙ୍କାର ବୋଲି ଫିଙ୍ଗା ହେଉଥିଲୁ ଆମେ ଆଉ ଆଜି ଦୁଇଶହ …. ଆମର ବିକାଶରେ ତମେ କିଆଁ ଦୁଃଖି, ତମେ ଯେ ବିକାଶ ପରେ ବିକାଶ କରିଚାଲିଛ, ଗୋବର ଖତ ଜାଗାରେ ସାର, ହଳ ଲଙ୍ଗଳ ଜାଗାରେ ମେସିନ୍….. ମତେ ସ୍ୱପ୍ନ ଭଳି ଲାଗୁଥିଲା, ହେଲେ ଟମାଟର କଥା ତ ମିଛ ନୁହେଁ………
ପ୍ରଶାସନିକ ଅଧିକାରୀ
ଭାରତ ସ୍କାଉଟସ୍ ଏବଂ ଗାଇଡସ୍, ଭୁବନେଶ୍ୱର, ଓଡିଶା
ମୋ- ୭୦୦୮୩୯୬୬୫୪


