କରଗୋଳା ଘାଟରୁ ବେଆଇନ ବାଲି ଉତ୍ତୋଳନକୁ ଗ୍ରାମବାସୀଙ୍କ ବିରୋଧ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ତହସିଲ ଅଧିନସ୍ଥ ବୈତରଣୀ ନଦୀର କରଗୋଳା ବାଲିଘାଟରୁ ଦିନ ଦିପହରେ ଶହଶହ ଟ୍ରାକ୍ଟର ବାଲି ଚୋରା ଚାଲାଣ ହେଉଛି । ଗ୍ରାମର କିଛି ମୁଷ୍ଟିମେୟ ଲୋକ ଆଜକୁ ପ୍ରାୟ ଦୁଇମାସ ହେବ ଟ୍ରାକ୍ଟର ସାହାଯ୍ୟରେ ଦିନକୁ ଦୁଇଶହରୁ ଉର୍ଦ୍ଧ ଟ୍ରାକ୍ଟର ବାଲି ବାହାରକୁ ଚାଲାଣ କରୁଛନ୍ତି । ଫଳରେ ସରକାରଙ୍କ ଲକ୍ଷ ଲକ୍ଷ ଯଙ୍କାର ରାଜସ୍ୱ ହାନୀ ହେବାସହ ସ୍ଥାନୀୟ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେୁଛନ୍ତି । ଏପରିକି ଏତେ ସଂଖ୍ୟକ ଟ୍ରାକ୍ଟର ଯାତାୟତ କରିବା ଦ୍ୱାରା ସାଧାରଣ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍କୁଲ ଓ ଅଙ୍ଗନବାଡି ଛାତ୍ରଛାତ୍ରୀ ମାନେ ମଧ୍ୟ ସ୍କୁଲକୁ ଯିବା ଆସିବା କରିବାକୁ ଭୟ କରୁଛନ୍ତି । ଟ୍ରାକ୍ଟର ଯାତାୟତ ଦ୍ୱାରା ରାସ୍ତା ଗୁଡିକ ଖାଲଖମାରେ ଭର୍ତ୍ତି ହୋଇଗଲାଣି । ଏହାକୁନେଇ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାୁଥିବାବେଳେ ଯିଏ ବିରୋଧ କରୁଛି ତାକୁ ବାଲି ମାଫିଆ ମାନେ ଧମକ ଚମକ ଦେଉଥିବାରୁ ସେମାନେ ବାଧ୍ୟ ହୋଇ ନୀରବତା ଅବଲମ୍ବନ କରୁଛନ୍ତି । ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଆନନ୍ଦପୁର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ଏହି ବାଲିଘାଟରେ ୧୪୪ଧାରା ଜାରିକରି ବାଲି ଉତ୍ତୋଳନକୁ ବନ୍ଦ କରିବା ପାଇଁ ଗ୍ରାମବାସୀମାନେ ନିବେଦନ କରିଛନ୍ତି ।


