କୋଟିଏ ଟଙ୍କା ଆତ୍ମସାତ କରି ପେଟ୍ରୋଲ ପମ୍ପ ମ୍ୟାନେଜର ଫେରାର
କେନ୍ଦ୍ରାପଡା – ୧ କୋଟିରୁ ଉର୍ଦ୍ଧ ଟଙ୍କା ଆତ୍ମସାତ କରି ହିସାବପତ୍ର ନ ଦେଇ ପେଟ୍ରୋଲ ପମ୍ପ ଏବଂ ସିନେମା ହଲର ମ୍ୟାନେଜର କେଉଁ ଆଡେ ଫେରାର ହୋଇଯାଇଥିବାର ସଦର ଥାନାରେ ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ, ଟାଉନ ଥାନା ଅନ୍ତର୍ଗତ ବଡହାଟ ଗ୍ରାମର ରବିନ୍ଦ୍ର ମୋହନ ସାହୁଙ୍କ ଆଇନ କଲେଜ ରୋଡରେ ଥିବା ପେଟ୍ରୋଲ ପମ୍ପ ଏବଂ ଅଦାଲତ ନିକଟରେ ଥିବା ଭାଷ୍କର ସିନେମା ହଲର ମ୍ୟାନେଜର ଭାବେ ଦୀର୍ଘ ଦିନ ଧରି କାମ କରୁଥିବା ଦିଲାର ପୁର ବଡହାଟ ଗ୍ରାମର ରବିନ୍ଦ୍ର ସାହୁ କାର୍ଯ୍ୟ କରି ଆସୁ ଥିଲେ । ରବିନ୍ଦ୍ର ୨ଟି ସଂସ୍ଥାର ବ୍ୟାଙ୍କ ନେଣ ଦେଣ ଓ ସମସ୍ତ ବିଷୟ ବୁଝାବୁଝି କରିଥାନ୍ତି । ତାଙ୍କୁ ସହଯୋଗ କରିବା ପାଇଁ ସଦର ଥାନା ବାବୁରାମପାଟଣା ଗ୍ରାମର ରତ୍ନାକର ଦାସଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ଉକ୍ତ ପେଟ୍ରୋଲ ଟାଙ୍କିଟି କିଛି ଦିନ କ୍ଷତିରେ ଚାଲିବାରୁ ରବିନ୍ଦ୍ର ମୋହନ ସାହୁଙ୍କ ପୁଅ ତଥା ପେଟ୍ରୋଲ ପମ୍ପର ମାଲିକ ପ୍ରଦିପ କୁମାର ସାହୁ ଏହି ୨ ମ୍ୟାନେଜରଙ୍କୁ ହିସାବ ମାଗିଥିଲେ । ସେ ଦୁହେଁ ହିସାବ ନ ଦେଇ ଚଳିତ ମାସ ୫ ତାରିଖରୁ ମାଲିକଙ୍କୁ ନଜଣାଇ କେଉଁ ଆଡେ ପଳାଇଯାଇଥିବା ଅଭିଯୋଗ ହୋଇଛି । ଏହି କ୍ଷତିର ଆନୁମାନିକ ମୂଲ୍ୟ ୧ କୋଟି ୧୫ ଲକ୍ଷରୁ ଉର୍ଦ୍ଧ ହେବା ସହିତ ରତ୍ନାକର ଦାସ ଏବଂ ରବିନ୍ଦ୍ର କୁମାର ସାହୁ ଉକ୍ତ ଟଙ୍କାକୁ ଆତ୍ମସାତ କରିଛନ୍ତି ବୋଲି ପ୍ରଦିପ ସାହୁ ସଦର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ସଦର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି ।


