କେନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଶୁକ୍ରବାର ସକାଳେ ହିଞ୍ଜିଳି ଥାନା ମୋହନାପଲ୍ଲୀ ଗ୍ରାମ ନିକଟସ୍ଥ ୯ ନମ୍ବର କେନାଳରୁ ଜଣେ ଯୁବକଙ୍କ ମୃତଦେହକୁ ହିଞ୍ଜିଳି ପୁଲିସ ଉଦ୍ଧାର କରିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମ ବେଲପଡା ସାହିର କୃଷ୍ଣ ସାହୁ। ଏ ନେଇ ମୃତକଙ୍କ ଶଶୁର ଭଗବାନ ସାହୁ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନା କେସ ନମ୍ବର ୨୩/୨୩ ରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ ଜବତ ପରେ ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ ସୂଚନା ଦେଇଛନ୍ତି । ପ୍ରକାଶ ଯେ, ଗୁରୁବାର ରାତିରେ କୃଷ୍ଣ ବାଇକ୍ ଯୋଗେ କେନାଳ ନିକଟକୁ ଯାଇ କେନାଳର ସେତୁ ଚଟାଣରେ ବସିଥିବା ନେଇ ଗ୍ରାମର କିଛି ଲୋକ ଦେଖିଥିଲେ । ଶୁକ୍ରବାର ସକାଳେ କେନାଳ ପାଣିରେ ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ହିଞ୍ଜିଳି ପୁଲିସକୁ ଜଣାଇଥିଲେ । ଖବର ପ୍ରଚାରିତ ହେବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା । ଖବର ପାଇ ହିଞ୍ଜିଳି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । କେନାଳ ସେତୁ ଉପରେ ବସିଥିବା ବେଳେ ଯୁବକ ଜଣଙ୍କ ଭାରସାମ୍ୟ ହରାଇ କେନାଳ ଭିତରକୁ ଖସି ପଡ଼ିଥିଲେ ନା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୋଜନାବଦ୍ଧ ଭାବେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କଲା ପରେ କେନାଳ ଭିତରକୁ ଠେଲି ଦେଇଛି,ତାହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। କେନାଳ ନିକଟରେ ମୃତକଙ୍କ ମୋଟର ସାଇକେଲ ରହିଥିବା ବେଳେ ଯୁବକଙ୍କ ମୃତ୍ୟୁକୁ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସେଠୀ କହିଛନ୍ତି । ପ୍ରକାଶ ଥାଉକି ଗତ କିଛି ଦିନ ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ ଥାନା ଅଞ୍ଚଳରେ ୨ଟି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିବା ବେଳେ ଶୁକ୍ରବାର ହିଞ୍ଜିଳି ଥାନା ଅଞ୍ଚଳରେ କେନାଳ ଭିତରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହେବା ଘଟଣା ସନ୍ଦେହ ଘେରରେ ରହିଛି।