୫୦୦ ଟଙ୍କା ଭତ୍ତା ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇଲା ନବନିର୍ମାଣ

ଭୁବନେଶ୍ବର, (ଯୁଗାବ୍ଦ ନ୍ୟୁଜ):ବହୁ ଦାବୀ, ଆନ୍ଦୋଳନ, ବିଭିନ୍ନ ବ୍ଲକରେ ଶୋଭାଯାତ୍ରା ପରେ ଚାପ ଗ୍ରସ୍ତ ହୋଇ ସରକାର ନିର୍ବାଚନ ଦୃଷ୍ଟିରୁ ଭତ୍ତା ବୃଦ୍ଧି କରିଛନ୍ତି ମାସକୁ ୫୦୦ ଟଙ୍କା। ହେଲେ, ମହଙ୍ଗା ଯୁଗରେ ଦିନକୁ କିଭଳି ୩୩ ଟଙ୍କାରେ ଲୋକେ ଚଳିବେ ବୋଲି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ତଥା ଭତ୍ତା ବୃଦ୍ଧି ଆନ୍ଦୋଳନର ନେତା ଶେଷଦେବ ନନ୍ଦ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀ ନନ୍ଦ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, କଲେଜ ପିଲା ରିଲ୍ କଲେ ମିଲର ଦାମ୍ ୩୬୦ ଟଙ୍କା, ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀରେ ମିଲ୍ ଗୋଟାକ ୧,୨୫୦ ଟଙ୍କା। ଅଥଚ୍ ଘରେ ରାନ୍ଧି ବାଢ଼ି ଦି‘ ବକତ ଖାଦ୍ୟ ପାଇଁ ସରକାର ୩୩ ଟଙ୍କା ଦେବା ଅତ୍ୟାନ୍ତ ଲଜ୍ୟାଜନକ। ସମ୍ବିଧାନର ଧାରା ୪୧ କହୁଛି ବରିଷ୍ଠ ରୋଗଗ୍ରସ୍ତ ଓ ଭିନ୍ନକ୍ଷମ ଲୋକଙ୍କ ଦାୟିତ୍ବ ସରକାର ନେବେ। ୧,୦୦୦ ଟଙ୍କାରେ ଏ ଦାୟିତ୍ବ ପୂର୍ଣ୍ଣ ହୋଇ ପାରିବତ ? ତେଲେଙ୍ଗାନା ଓ ଆନ୍ଧ୍ରରେ ଭତ୍ତା ୩,୦୦୦ ଟଙ୍କା ଓ ପଣ୍ଡିଚେରୀ, ହରିୟାଣା, ଦିଲ୍ଲୀରେ ଯଥାକ୍ରମେ ୩,୫୦୦, ୨,୮୦୦, ୨,୫୦୦ ହେଲା ବେଳେ ଆମେ ଭତ୍ତା ୧,୦୦୦ ଟଙ୍କା କରିବା କେତେ ଯଥାର୍ଥ ଓ ନ୍ୟାୟପୂର୍ଣ୍ଣ ବୋଲି ଶ୍ରୀ ନନ୍ଦ ପ୍ରଶ୍ନ ଉଠାଇଛନ୍ତି। ସରକାରଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି ଯେ, ଅନ୍ୟମାନଙ୍କୁ ଦେଲା ବେଳେ ସରକାର ହାତ ଖୋଲି ଦେଉଛନ୍ତି। କିନ୍ତୁ ଅଧ କୋଟି ଲୋକଙ୍କୁ ଦେଲା ବେଳକୁ ସରକାରଙ୍କ ହାତ କାହିଁକି ମୁଠା ହେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେ ଭଳି ଭତ୍ତାର ବୃଦ୍ଧି ବେଳେ ଯେଉଁ ଏକ୍ସପର୍ଟ କମିଟି ଏହି ଦର ସ୍ଥିର କରିଛନ୍ତି, ସେମାନେ କେଉଁ ଆଧାରରେ ଏହି ବୃଦ୍ଧି କରିଛନ୍ତି ତାହା ସରକାର ବିଜ୍ଞାପନ ମାଧ୍ୟମରେ ବୁଝନ୍ତୁ। ଜଣେ କମିଶନର ପାହ୍ୟା ଅଫିସର ଦିନକୁ ୪,୧୬୬ ଟଙ୍କା ଭତ୍ତା ପାଇଲା ବେଳେ ଜଣେ ଗରିବ ଅସହାୟ ଲୋକ ମାତ୍ର ୩୩ ଟଙ୍କାରେ ତା ପରିବାର କିଭଳି ପୋଷିବ ସେ ନେଇ ଚର୍ଚ୍ଚ ହେବା ଉଚିତ୍। ଗଲା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆମେ ବିଭିନ୍ନ ଅଞ୍ଚଳରେ ଭତ୍ତା ବୃଦ୍ଧି ପାଇଁ ଲଢ଼େଇ କରି ଆସୁଥିଲୁ। ମାତ୍ର ସରକାର ନାଗରିକଙ୍କୁ ବା ନିଜର ମାଲିକଙ୍କୁ କେବଳ ଭୋଟର ଭାବେ ଦେଖୁଥିବାରୁ ନିର୍ବାଚନ ଘୋଷଣା ମାସରୁ ଏହି ଭତ୍ତା ବୃଦ୍ଧି ଘୋଷଣା କଲେ। ଦିନକୁ ଦି ବକତ ମିଲ୍ ଓ ବକତେ ଜଳଖିଆ ଦି ଖଣ୍ଡ ଗାମୁଛାର ଖର୍ଚ୍ଚ ସରକାର ଦେଇଥିଲେ କାହା ବାପାର ପାଟି ଫିଟାଇବାର ନଥିଲା। କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଓ ବୋନସରେ କୋଟି କୋଟି ଟଙ୍କା ଗଲା ବେଳେ ସମାଜର ବରିଷ୍ଠ ଅସହାୟ ଲୋକଙ୍କୁ ସହାଯ୍ୟର ସାମ୍ବିଧାନିକ ଦାୟିତ୍ବ ନିଭାଇବାରେ ସରକାର ବ୍ୟର୍ଥ ହୋଇଛନ୍ତି। ସମ୍ବିଧାନର ୪ ସ୍ତମ୍ଭରୁ ଲେଖା ହୋଇଥିବା ନ୍ୟାୟ ଓ ସମାନତା ଏହି ୧,୦୦୦ ଟଙ୍କା ଘୋଷଣାରେ ଆଦୌ ପ୍ରତିଫଳିତ ହୋଇନାହିଁ। ଆଜି ବି କୋଟିଆର ଅଧିକାଂଶ ଲୋକ ୩,୦୦୦ ଟଙ୍କା ଭତ୍ତା ଆଶାରେ ଆନ୍ଦ୍ର ପ୍ରଦେଶ ଭୋଟର ତାଲିକାରେ ନାମ ଲେଖାଉଛନ୍ତି। ଏହି ଘଟଣାରୁ ଓଡ଼ିଶା ସରକାର କିଛି ବି ଶିକ୍ଷା ଲାଭ କଲା ଭଳି ମନେ ହେଉନାହିଁ। ଅଭାବି ଆନ୍ଦ୍ର ପ୍ରଦେଶ ତାଙ୍କ ଲୋକଙ୍କୁ ୩,୦୦୦ ଟଙ୍କା ଦେଲା ବେଳେ ଆମେ ୧,୦୦୦ ଦେଇ କେତେ ଦାତା ପଣିଆ ଦେଖାଇଲୁ ତାହା ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶ ଦାତା ଆତ୍ମ ସମୀକ୍ଷା କରିବାକୁ ଶ୍ରୀ ନନ୍ଦ ଆହ୍ବାନ ଦେଇଛନ୍ତି। ଭତ୍ତା ୨,୦୦୦ କରିବା ପାଇଁ ଚାଲିଥିବା ଅଭିଯାନ ଆଗକୁ ଚାଲୁ ରହିବ ବୋଲି ଶ୍ରୀ ନନ୍ଦ ଏକ ପ୍ରେସ୍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ