ସାଇ ଇଂଟରନ୍ୟାସନାଲ ସ୍କୁଲ, ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ସମାରୋହରେ : ଉପରାଷ୍ଟ୍ରପତି
ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସହିତ ବାର୍ତାଳାପ କରିବା ଏବଂ ନିଜର ବିଚାର ବ୍ୟକ୍ତ କରି ମୁଁ ଆନନ୍ଦ ଅନୁଭବ କରୁଛି । ମୁଁ ଯେତେବେଳେ କୌଣସି ସ୍କୁଲ କିମ୍ବା କଲେଜ ଗସ୍ତ କରିଥାଏ, ଦେଶର ଭବିଷ୍ୟତକୁ ନେଇ ମୋ ମନରେ ଏକ ତୀବ୍ର ଆଶା ଜାଗ୍ରତ ହୋଇଥାଏ ।ମୁଁ ସବୁବେଳେ ଏହି ଚିନ୍ତାଧାରା ପୋଷଣ କରିଥାଏ ଯେ ବିଦ୍ୟାଳୟ କେବଳ ଶିକ୍ଷା ଗ୍ରହଣର ମନ୍ଦିର ନୁହେଁ ବରଂ ଏହା ଦେଶର ଭାଗ୍ୟ ନିର୍ମାଣ କରିବାରେ ମୌଳିକ ଭୂମିକା ନିର୍ବାହ କରିଥାଏ । ବିଦ୍ୟାଳୟ ହେଉଛି ଭବିଷ୍ୟତର ଶିକ୍ଷକ, ବୈଜ୍ଞାନିକ, ଡାକ୍ତର, ଇଞ୍ଜିନିୟର, ଚାର୍ଟାର୍ଡ ଆକାଉଂଟାଂଟ, ରାଜନେତା ଏବଂ ବିଭିନ୍ନ କ୍ଷେତ୍ରର ବିଦ୍ୱାନମାନଙ୍କ ସୃଷ୍ଟିର ମଂଚ । ତେଣୁ କେବଳ ଶିକ୍ଷା ଦାନ ଉପଲବ୍ଧି ବ୍ୟତୀତ ଛାତ୍ରଛାତ୍ରୀଙ୍କ ସାମଗ୍ରୀକ ବିକାଶ ଉପରେ ଗୁରୁତ୍ୱାରୋପ କରୁଥିବା ଉତମ ବିଦ୍ୟାଳୟ ଶିକ୍ଷାଦାନ କୁନି କୁନି ଛାତ୍ରଛାତ୍ରୀଙ୍କୁ ଦେଶର ଦାୟିତ୍ୱସମ୍ପନ୍ନ, ଯତ୍ନଶୀଳ ଏବଂ ସହାନୁଭୂତିଶୀଳ ନାଗରିକ ଭାବେ ଗଢ଼ିତୋଳିବା ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରିୟ ଛାତ୍ରଛାତ୍ରୀ, ଆପଣମାନେ ସମସ୍ତେ ନିଜ ପରୀକ୍ଷା ଦେଇସାରିଛନ୍ତି ଏବଂ ଖୁବଶୀଘ୍ର ଉପର ଶ୍ରେଣୀରେ ନୂଆ ଶିକ୍ଷାବର୍ଷରେ ଯୋଗଦେବେ । ମୁଁ ଆପଣମାନଙ୍କ କ୍ୟାରିଅରରେ ସଫଳତା ଏବଂ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି । ବିଦ୍ୟାଳୟରେ ଆମେ, ରଙ୍ଗୀନ ନୂତନ ବିଚାର, ସରଳ ଆଦର୍ଶବାଦ, ଅନ୍ତର୍ନିହିତ ନୈତିକତା ଏବଂ ନୈତିକ ମୂଲ୍ୟବୋଧ ସହ ଆଶା ଏବଂ ଉତ୍ସାହକୁ ନେଇ ସ୍ୱପ୍ନ ପୂରଣ ଦିଗରେ ଯାତ୍ରାକୁ ପାଳନ କରିଥାଉ । ଆମର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବଦୁଲ କଲାମ ଛାତ୍ରଛାତ୍ରୀଙ୍କୁ ସ୍ୱପ୍ନ ଦେଖିବାକୁ କହୁଥିଲେ – “ସ୍ୱପ୍ନ ବିଚାରରେ ପରିଣତ ହେଉ ଏବଂ ବିଚାର କାର୍ଯ୍ୟରେ ପରିଣତ ହେଉ” । ଆପଣମାନଙ୍କ ସ୍ୱପ୍ନ, ଆଦର୍ଶ ଏବଂ ବିଚାର ଏ ମହାନ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ କରିବ । ଶିକ୍ଷା କେବଳ ନିଯୁକ୍ତି ପାଇଁ ନୁହେଁ, ଏହା ଜ୍ଞାନ ଏବଂ ବୁଦ୍ଧିମତା ଜରିଆରେ ଜଣେ ବ୍ୟକ୍ତିର ସଶକ୍ତିକରଣ ଲାଗି ଉଦ୍ଦିଷ୍ଟ । ଜ୍ଞାନ ପ୍ରଦାନ କରିବା ଏବଂ ଶିକ୍ଷାଦାନର ନବୀନତମ ପଦ୍ଧତି ସହ ତାଳ ମିଳାଇ ଚାଲିବା ସହିତ ବିଦ୍ୟାଳୟଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ଆମର ପ୍ରାଚୀନ ସଭ୍ୟତା, ସଂସ୍କୃତି, ପରମ୍ପରା, ଐତିହ୍ୟ ଓ ଇତିହାସ ସମ୍ପର୍କରେ ପରିଚିତ କରାଇବା ଉଚିତ । ପକ୍ଷପାତ ବିନା ସମ୍ପୂର୍ଣ୍ଣ ଏବଂ ବିସ୍ତୃତ ଭାବେ ଇତିହାସକୁ ବୁଝାଯିବା ଉଚିତ । ଗାନ୍ଧୀଜୀଙ୍କ ଦ୍ୱାରା ପ୍ରତିପାଦିତ ୭ଟି ଘାତକ ସାମାଜିକ ପାପ ମଧ୍ୟରୁ, ଗୋଟିଏ ପାପ ହେଉଛି ଚରିତ୍ର ନିର୍ମାଣ କରୁନଥିବା ଶିକ୍ଷା । ଜ୍ଞାନ ଏବଂ ବୁଦ୍ଧିମତା ସହିତ ଭବିଷ୍ୟତର ନାଗରିକମାନଙ୍କୁ ସଶକ୍ତ କରିବା ବ୍ୟତୀତ ଶିକ୍ଷାରେ ସାମାଜିକ, ନୈତିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ରହିବା ଆବଶ୍ୟକ । ଅନ୍ୟ ନାଗରିକ, ଜୀବମାନଙ୍କ ପ୍ରତି ଆପଣମାନଙ୍କ ମନୋଭାବ, ପରିବେଶ ସୁରକ୍ଷା ଏବଂ ସମାଜର ବ୍ୟାପକ କଲ୍ୟାଣ ପାଇଁ ଆପଣମାନଙ୍କ ପ୍ରତିବଦ୍ଧତା ହେଉଛି ଗୁରୁତ୍ୱପୂର୍ଣ୍ଣ । ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଏକ ଅତି ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ: “ପ୍ରାଣୀଙ୍କ ପ୍ରତି ବ୍ୟବହାରରୁ ହିଁ କୌଣସି ରାଷ୍ଟ୍ରର ମହାନତା ପ୍ରତିପାଦିତ ହୋଇଥାଏ” । ବାସ୍ତବ ଶିକ୍ଷା ଆପଣମାନଙ୍କୁ ଅଜ୍ଞାନତାର ବନ୍ଧନରୁ ମୁକ୍ତ କରିଥାଏ । ଏହା ପ୍ରଗତି ବିରୋଧୀ ଚିନ୍ତାଧାରା ଏବଂ ଅନ୍ଧବିଶ୍ୱାସ ଦୂର କରିବା ଆବଶ୍ୟକ । ଭାରତୀୟ ପରମ୍ପରାରେ କୁହାଯାଇଛି- “ଯା ବିଦ୍ୟା ସା ବିମୁକ୍ତୟେ”- ଜ୍ଞାନ ଯାହା ମୁକ୍ତି ପ୍ରଦାନ କରିଥାଏ । ଏହା ମାନବ ଜୀବନର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଯାହା ଜଣେ ବ୍ୟକ୍ତିକୁ ସଭ୍ୟ, ଶୁଦ୍ଧ, ସୁସଂସ୍କୃତ ଏବଂ ଶିକ୍ଷିତ କରିଥାଏ ।
ହଜାର ହଜାର ବର୍ଷ ଧରି ଭାରତ ବିଶ୍ୱ ଗୁରୁ ହୋଇ ରହିଥିଲା । ଭୌତିକ ବିଜ୍ଞାନ ଏବଂ ପ୍ରୟୋଗାତ୍ମକ ପ୍ରଯୁକ୍ତିରେ ଆମେ ଉକ୍ରର୍ଷ ହାସଲ କରିଥିଲୁ । ସେତେବେଳେ ବୌଦ୍ଧିକ ସମ୍ପତି ଅଧିକାରକୁ ନେଇ ଦାବି କରାଯାଉନଥିଲା । ବରଂ, ଆମେ ଏହି ବିଶ୍ୱାସ କରୁଥିଲୁ ଯେ ପ୍ରଚାରିତ ଏବଂ ପ୍ରସାରିତ ହେଲେ ଜ୍ଞାନ ବୃଦ୍ଧି ପାଇଥାଏ । ଆମର ଆଦର୍ଶକୁ ପାଳନ କରି, ଆମେ ଆମର ଜ୍ଞାନ ଏବଂ ଉକ୍ରର୍ଷକୁ ବିଶ୍ୱ ସମୁଦାୟ ସହ ବାଂଟିଲୁ । ତକ୍ଷଶୀଳା, ନାଳନ୍ଦା ଭଳି ଆମର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଅନ୍ୟ କ୍ଷେତ୍ରର ଛାତ୍ରଛାତ୍ରୀ, ବିଦ୍ୱାନମାନଙ୍କ ପାଇଁ ସେମାନଙ୍କ ଦ୍ୱାର ଉନ୍ମୁକ୍ତ କରିଥିଲେ । ଆମେ ଆମର ଜ୍ଞାନ ଏବଂ ଭାଗ୍ୟକୁ ପ୍ରତ୍ୟେକଙ୍କ ସହିତ ବାଂଟିଥିଲୁ କାରଣ ଆମେ “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା” ଦର୍ଶନରେ ବିଶ୍ୱାସ କରୁ ଯାହା ହେଉଛି- ସମସ୍ତେ ସନ୍ତୁଷ୍ଟ ରୁହନ୍ତୁ, ସମସ୍ତେ ରୋଗ ଏବଂ ଅସୁସ୍ଥତାରୁ ମୁକ୍ତ ରୁହନ୍ତୁ । ବାଂଟିବା ଏବଂ ଯତ୍ନ ନେବା କେବଳ ଏକ ଆଦର୍ଶ ନଥିଲା ବରଂ ଆମର ସୁଦୀର୍ଘ ପରମ୍ପରା ଓ ବିଶ୍ୱାସର ଏକ ପ୍ରତୀକ ଥିଲା । ଏହି ଅନନ୍ତ ଗୁଣ ଆମ ଶିକ୍ଷା ବ୍ୟବସ୍ଥାର ମୂଳରେ ରହିଆସିଛି, ଯାହାର ପିଢ଼ି ପରେ ପିଢ଼ି ଏକ ଦୃଢ଼ ମୂଲ୍ୟବୋଧ ରହିଛି । ବାସ୍ତବ ଶିକ୍ଷା ନୈତିକତା ଏବଂ ନୈତିକ ମୂଲ୍ୟବୋଧରେ ଦୃଢ଼ତା ଉପରେ ଆଧାରିତ ଏକ ସମାଜ ବିକାଶ ପାଇଁ ମୂଳଦୁଆ ପ୍ରତିଷ୍ଠା କରିଥାଏ ଯାହା ଜୀବନରେ ଶାନ୍ତି ଓ ସନ୍ତୋଷ ପ୍ରାପ୍ତିରେ ସହାୟକ ହୋଇଥାଏ ।
ଦୁର୍ଭାଗ୍ୟବଶତଃ, ବର୍ଷ ବର୍ଷ ଧରି ଆମେ ସମାଜରେ ନୈତିକତା ଓ ନୀତିଆଦର୍ଶର ସାମଗ୍ରୀକ ପତନ ଦେଖି ଆସୁଛୁ । ଏହି ଅବାଂଛନୀୟ ପ୍ରବୃତି ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବା ଆବଶ୍ୟକ ଏବଂ ସ୍କୁଲଗୁଡ଼ିକ ଏହି ପରିବର୍ତନ ଆଣିପାରିବେ ।
ଭାରତୀୟ ପରମ୍ପରାରେ କୁହାଯାଇଛି, “ଜ୍ଞାନ ବିନୟତା ପ୍ରଦାନ କରିଥାଏ, ବିନୟତା ଆପଣଙ୍କୁ ଯୋଗ୍ୟତା ପ୍ରଦାନ କରିଥାଏ, ଯୋଗ୍ୟତା ବଳରେ ଧନ ଅର୍ଜନ କରାଯାଏ ଏବଂ ଧନ ଆପଣଙ୍କୁ ଧାର୍ମିକ କରିଥାଏ ଯାହା ଶେଷରେ ପରମ ଆନନ୍ଦ ପ୍ରଦାନ କରିଥାଏ” । ଶିକ୍ଷା ଏବଂ ଜ୍ଞାନ ସଭ୍ୟ ଜୀବନର ଆଧାର । ତିରୁକ୍କୁରାଲ କହିଛନ୍ତି, “ଅନ୍ୟ କିଛି ସମ୍ପଦ ନୁହେଁ; ବିଦ୍ୟାର୍ଜନ ହେଉଛି ପ୍ରକୃତ ସମ୍ପତି” ।
ପ୍ରିୟ ଯୁବଗୋଷ୍ଠୀ,
ମୁଁ ଆଶା କରୁଛି ଆପଣ ଆମ ପୂର୍ବସ୍ଥିତିକୁ ଫେରାଇ ଆଣି ପାରିବେ । ଆମେ ପୁଣିଥରେ ବିଶ୍ୱଗୁରୁ ହେବା ପାଇଁ ଆଶା କରୁଛୁ । ତେଣୁ ଆମେ ଆମର ନୈତିକ ସାଧନକୁ ନହରାଇ ଶ୍ରେଷ୍ଠ ଶିକ୍ଷାପଦ୍ଧତି, ବିଶ୍ୱର ଶ୍ରେଷ୍ଠ ଶିକ୍ଷାଦାନ ପ୍ରଣାଳୀ ଏବଂ କୌଶଳକୁ ଆପଣାଇବା ଉଚିତ ।
ଆମେ ଏକ ଅତ୍ୟନ୍ତ ଚମକ୍ରାର ସମୟରେ ଅଛୁ ଯେତେବେଳେ ପ୍ରଯୁକ୍ତିଜ୍ଞାନ ଆହରଣ ପାଇଁ ନୂତନ ସମ୍ଭାବନାର ଦିଗ ବିସ୍ତାରିତ କରିଛି । ଆଜି ଅନଲାଇନ ପାଠ୍ୟକ୍ରମ ଏବଂ ଅଧ୍ୟୟନ ସାମଗ୍ରୀ ଆପଣଙ୍କ ସ୍ମାର୍ଟଫୋନ୍ରେ ଉପଲବ୍ଧ ହେଉଛି । ଇଂଟରନେଟ ଜରିଆରେ ଆପଣ ବିଶ୍ୱର ପ୍ରାୟତଃ ସବୁକିଛି ସୂଚନା ସବୁ ସ୍ଥାନରେ ପାଇପାରିବେ ।
ବିଶ୍ୱ ବାସ୍ତବରେ ଏକ ବୈଶ୍ୱିକ ଗ୍ରାମରେ ପରିଣତ ହୋଇଛି ଓ ଜ୍ଞାନ ଆହରଣ ପାଇଁ ଥିବା ବାଧାବିଘ୍ନଗୁଡ଼ିକ ପୂର୍ବାପେକ୍ଷା ଖୁବ ଶୀଘ୍ର ଦୂରେଇ ଯାଉଛି । ଏହି ଜ୍ଞାନ ପରିଚାଳିତ ଡିଜିଟାଲ ଯୁଗରେ ସ୍କୁଲଗୁଡ଼ିକୁ ଘୋଷା ପଦ୍ଧତିରେ ଶିକ୍ଷାଦାନକୁ ତ୍ୟାଗ କରି ଅଭିନବ ଏବଂ ସୃଜନଶୀଳ ବିଚାରକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ସବୁବେଳେ ନୂଆକଥା ଜାଣିବା ଲାଗି ଆଗ୍ରହୀ ରହିବା ଏବଂ ଉପଯୁକ୍ତ ବିଚାର ସହିତ ଆଗକୁ ଆସିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା ଏବଂ ସବୁବେଳେ ପ୍ରଶ୍ନ କରିବାର ମାନସିକତାକୁ ସେମାନେ ପ୍ରୋତ୍ସାହିତ କରିବା ଆବଶ୍ୟକ ।
ସ୍କୁଲଗୁଡ଼ିକ ପ୍ରଯୁକ୍ତିର ଦ୍ରୁତ ବିକାଶ ସହିତ ତାଳ ଦେଇ ଚାଲିବା ଉଚିତ ଏବଂ ଆବଶ୍ୟକତା ଅନୁଯାଇ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ଏହା ସହିତ ଶ୍ରେଣୀବଦ୍ଧ କରିବା ଉଚିତ । ସେମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟମିତା ଉତ୍ସାହକୁ ପ୍ରୋତ୍ସାହିତ କରିବା ଆବଶ୍ୟକ ।
ଏଥିସହିତ ଆମର ଶିକ୍ଷାକୁ ସମାଜ ଉପଯୋଗୀ ଏବଂ ତଥା ଆମର ସାଂସ୍କୃତିକ ମୂଲ୍ୟବୋଧ ଆଧାରିତ କରିବା ଲାଗି ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱୟଂସେବୀ ଭାବନା ଜାଗ୍ରତ କରାଯିବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ଏନସିସି, ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ଭଳି ସଂଗଠନ ସହିତ ଯୋଡ଼ି ହୋଇ ଜୀବନ ଦକ୍ଷତା ଏବଂ ସ୍ୱୟଂସେବୀ ଭାବନା ଜାଗ୍ରତ କରିବା ଆବଶ୍ୟକ ।
ପାରିପାଶ୍ୱିର୍କ ଗୋଷ୍ଠୀ ସେବା ପାଇଁ ସ୍କୁଲଗୁଡ଼ିକ ସମ୍ବଳ କେନ୍ଦ୍ର ହେବା ଆବଶ୍ୟକ । ବିଦ୍ୟାଳୟ ଏବଂ ପାରିପାଶ୍ୱର୍ିକ ଗୋଷ୍ଠୀଗୁଡ଼ିକ ମଧ୍ୟରେ ବ୍ୟାପକ ଯୋଗସୂତ୍ର ରହିବା ଉଚିତ । ଛାତ୍ରଛାତ୍ରୀମାନେ ସଂଘବଦ୍ଧ କାର୍ଯ୍ୟ ଗ୍ରହଣ କରିବା ଉଚିତ ଏବଂ ସ୍ୱେଚ୍ଛାକୃତ ଭାବେ ପାରିପାଶ୍ୱର୍ିକ ଗୋଷ୍ଠୀ ଓ ନିକଟବର୍ତୀ ଗ୍ରାମରେ କାମ କରିବା ଉଚିତ । ସ୍ଥାନୀୟ ପ୍ରସଙ୍ଗରେ ପ୍ରଶାସନ ସହିତ ବାର୍ତାଳାପ କରିବା ଆବଶ୍ୟକ ତଥା ଗୋଷ୍ଠୀ ଏବଂ ଗ୍ରାମୀଣ ବିକାଶ ପାଇଁ ଅଭିନବ ସମାଧାନ ସୂତ୍ର ବାହାର କରିବା ଉଚିତ । ଭାରତର ଅଧିକାଂଶ ଭାଗ ଗ୍ରାମାଂଚଳରେ ରହିଛି । ସାମାଜିକ ସଚେତନ ଛାତ୍ରଛାତ୍ରୀ ଆମ ଗ୍ରାମୀଣ ଜୀବନର ମାର୍ଗ ଉପରେ ଉତମ ବୁଝାମଣା ଓ ଉପଯୁକ୍ତ ଦୃଷ୍ଟିକୋଣ ରଖିବା ଲାଗି ଗ୍ରାମାଂଚଳରେ ରହିବା ଉଚିତ । ପ୍ରିୟ ଯୁବଗୋଷ୍ଠୀ, କୃଷି ଅର୍ଥନୀତି ସହ ଜଡ଼ିତ କାର୍ଯ୍ୟ ସହିତ ଧନ୍ଦାମୂଳକ ଦକ୍ଷତା ହାସଲ କରିବା ଛାତ୍ରଛାତ୍ରୀ ଭାବେ ଆପଣମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ଏବଂ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ । ଅବଲୋକନ, ଅଧ୍ୟୟନ, ଆଲୋଚନା, ପ୍ରତିଫଳନ, ତର୍ଜମା ଏବଂ ଆତ୍ମଚିନ୍ତନ କରିବାରେ ହିଁ ବାସ୍ତବ ଜ୍ଞାନ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ବିଦ୍ୟାଳୟ କ୍ଷେତ୍ର ପରିବର୍ତନ ସହିତ ପରୀକ୍ଷାମୂଳକ ଶିକ୍ଷାଦାନ ପ୍ରଚଳନ କଲେ ଏହା ସମ୍ଭବ ହୋଇପାରିବ । ଛାତ୍ରଛାତ୍ରୀଙ୍କୁ ତର୍କସଂଗତ ଓ ସ୍ୱାଧୀନ ଭାବେ ଚିନ୍ତା କରିବା ଏବଂ ଦୃଢ଼ ଭାବେ ବ୍ୟକ୍ତ କରିବା ଲାଗି ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ । କୌତୁହଳ ଓ ଜିଜ୍ଞାସା, ସୃଜନଶୀଳତା, ଗଭୀର ବିଚାର, ଯୋଗାଯୋଗ ସୃଷ୍ଟି କରିବା ଉପରେ ବିଦ୍ୟାଳୟ ଶିକ୍ଷା ଗୁରୁତ୍ୱାରୋପ କରିବା ଉଚିତ । ମୁଁ ଦୃଢ଼ ବିଶ୍ୱାସ କରେ ଯେ ବିଦ୍ୟାଳୟ ଶିକ୍ଷାର ଲକ୍ଷ୍ୟ ଛାତ୍ରଛାତ୍ରୀଙ୍କୁ ସହାନୁଭୂତିଶୀଳ ଏବଂ ସମ୍ବେଦନଶୀଳ ତଥା ସ୍ନେହୀ ମଣିଷ ହେବାରେ ସହାୟକ ହେବା ଉଚିତ । ଆମେ ମଧ୍ୟ ପ୍ରତ୍ୟେକ ଶିଶୁଠାରେ ରାଷ୍ଟ୍ରବାଦ ଏବଂ ଦେଶପ୍ରେମର ଭାବନା ପ୍ରବେଶ କରାଇବା ଆବଶ୍ୟକ । ପ୍ରିୟ ଛାତ୍ରଛାତ୍ରୀଗଣ, ଆପଣମାନେ ଏ ଦେଶର ଉଜ୍ଜ୍ୱଳ ଐତିହ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ବିବିଧତାକୁ ନେଇ ଗର୍ବ କରିବା ଉଚିତ । ଆପଣମାନେ ମଧ୍ୟ ଭାରତର ସମୃଦ୍ଧ ଓ ଜୀବନ୍ତ ଭାଷାଗତ ଐତିହ୍ୟର ଉତରାଧିକାରୀ । ଆମେ ଆମର ମାତୃଭୂମି ଏବଂ ମାତୃଭାଷାକୁ ସମ୍ମାନ କରିବା ଓ ଏହାକୁ ନେଇ ଗର୍ବ କରିବା ଉଚିତ । ତୁମେମାନେ ନିଜକୁ ଅଭିନବ ଭାବେ ବ୍ୟକ୍ତ କରିବା ଏବଂ ଓ ଏହାର ସାହିତ୍ୟକୁ ଆହୁରି ସମୃଦ୍ଧ କରିବା ଲାଗି ନିଜ ମାତୃଭାଷାର ଉପଯୋଗ କର । ମୁଁ ଆନନ୍ଦିତ ଯେ ଆଜି କ୍ରୀଡ଼ା ଆମର ଯୁବକମାନଙ୍କୁ ଏକ ସଫଳ କ୍ୟାରିଅର ସମ୍ଭାବନା ପ୍ରଦାନ କରୁଛି । ଏହା କେବଳ ଆପଣମାନଙ୍କ ମନ ଏବଂ ଶରୀରକୁ ତାଲିମ ଦେଉନାହିଁ ବରଂ ଏହା ଆପଣଙ୍କ ମଧ୍ୟରେ ଦଳଗତ ଓ ନେତୃତ୍ୱ ଭାବନାକୁ ଜାଗ୍ରତ କରିଥାଏ । ନିଜ ପାଠପଢ଼ା ସହିତ ଆପଣମାନେ କ୍ରୀଡ଼ାକୁ ଗ୍ରହଣ କରିବା ସହ ଏ କ୍ଷେତ୍ରରେ ଉକ୍ରର୍ଷ ହାସଲ କରିବା ଉଚିତ । ଯୁବ ବନ୍ଧୁଗଣ, ଆପଣମାନେ ସମସ୍ତେ ନିଜ ସ୍ୱପ୍ନକୁ ବାସ୍ତବ ରୂପ ଦେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରନ୍ତୁ । ମୁଁ ମଧ୍ୟ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଶିକ୍ଷକ ଏବଂ ଅଭିଭାବକମାନଙ୍କୁ ପ୍ରଶଂସା ଏବଂ ଅଭିନନ୍ଦନ ଜଣାଉଛି ।