ଓଡିଆ ପୁଅ ବିଜେପିର ମୁଖ୍ୟମନ୍ତ୍ରୀ ହବ ଜିଲ୍ଲା ବିଜେପିର ସାମ୍ବାଦିକ ସମ୍ମିଳନୀ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଗତ ୨୫ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାର ଦୁର୍ନୀତିରେ ବୁଡିରହିଛି । ରାଜ୍ୟରେ ଯେଭଳିି ବିକାଶ ହେବା କଥା ତାହା ହୋଇନାହିଁ । ଚଳିତ ନିର୍ବାଚନ ପରେ ଓଡିଶାରେ ବିଜେପିର ମୁଖ୍ୟମନ୍ତ୍ରୀ ଜଣେ ଓଡିଆ ହେବେ ବୋଲି ଆଜି ଗରାପୁର କୋଠି ଛକସ୍ଥିତ ଏକ ହୋଟେଲରେ ଜିଲ୍ଲା ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦକ ଦିଲ୍ଲୀପ କୁମାର ମଲ୍ଲିକ ସୂଚନା ଦେଇଛନ୍ତି । ଆଉ ମାତ୍ର କେଇଦିନ କେନ୍ଦ୍ରାପଡା ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ୩ଟି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆକ୍ରମଣାତ୍ମକ ଢଙ୍ଗରେ କାଦୁଅ ଫିଙ୍ଗାଫିଙ୍ଗି ହେଉଛନ୍ତି । ବିଜେଡି, ବିଜେପି ଅନେକ ବିକାଶ କରିଥିବାର କହୁଥିବା ବେଳେ କଂଗ୍ରେସ ଉଭୟ ସରକାରଙ୍କୁ ସମାଲୋଚନା କରୁଛି । ଏହି ସ୍ଥିତିରେ ଭାରତୀୟ ଜନତା ପାର୍ଟି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଜେଡି ସରକାର ଏବଂ କଂଗ୍ରେସର କାରବାରକୁ ସମାଲୋଚନା କରିଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସମ୍ପାଦକ ଶ୍ରୀ ମଲ୍ଲିକ ଯୋଗଦେଇ ବିଜେଡି ସରକାରର ବିଫଳତା ଉପରେ ଆଲୋକପାତ କରି ରାଜ୍ୟର ବିଜେଡି ସରକାର କିଭଳି କେନ୍ଦ୍ରୀୟ ଯୋଜନା ସବୁକୁ ନିଜ ନାମରେ ମୋହର ମାରି ଜନସାଧାରଣଙ୍କୁ ଭୂଆଁ ବୁଲାଉଛନ୍ତି ସେ ସମ୍ପର୍କରେ ବିଷୋଦଗାର କରିଥିଲେ । ପାନୀୟ ଜଳ ସମସ୍ୟାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରାଯାଉନି । କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ବିକାଶରେ ବିଫଳ ହୋଇଛ ବିଜେଡିି । ଶିଳ୍ପବିହୀନ କେନ୍ଦ୍ରାପଡା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଜମି ଗ୍ରହଣ ହୋଇନଥିବା ବେଳେ ବିଜେଡି ସରକାର ଶିଳ୍ପ ପ୍ରତିଷ୍ଠାର ବାହାଦୁରି ମାରୁଛି । କେନ୍ଦ୍ରାପଡା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇନଥିବା ବେଳେ ଜିଲ୍ଲାବାସୀ ଦାବି କରିଥିବା ଭେଷଜ ମହାବିଦ୍ୟାଳୟ (ମେଡିକାଲ କଲେଜ) ପ୍ରତିଷ୍ଠା କରିବାକୁ ବିଜେଡି ସରକାର ସକ୍ଷମ ହୋଇନି । ବିଜେପି ସରକାର ହେବ । ଆସନ୍ତା ଜୁନ ୧୦ତାରିଖରେ ଏକ ଓଡିଆ ପୁଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଶ୍ରୀ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଥିଲେ । ସରକାର ଗଠନ ହେବା ପରେ ଧାନ କ୍ୱିଣ୍ଟାଲ ପିଛା ୩୧୦୦ଟଙ୍କା ପ୍ରଦାନ କରାଯିବ । ଶୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ଆର୍ôଥକ ସହାୟତା ଯୋଗାଇ ଦିଆଯିବ । ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ବାର୍ଦ୍ଧକ୍ୟ ଭତ୍ତାକୁ ୨୫୦୦ଟଙ୍କାକୁ ବୃଦ୍ଧି କରାଯିବ । ପ୍ରତି ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ବିକାଶ ଅଣାଯିବ । ରାଜ୍ୟ ତଥା ଜିଲ୍ଲାର ବିକାଶ ପାଇଁ ବିଜେପି ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ପୂର୍ବତନ ସାଂସଦ ତଥା ବିଜେପି ନେତ୍ରୀ ଅର୍ଚ୍ଚନା ନାୟକ, ରାଜ୍ୟ ବିଜେପି ସମ୍ପାଦକ ସଞ୍ଜୟ ରଥ, କେନ୍ଦ୍ରାପଡା ବିଧାନସଭା ବିଜେପି ସଂଯୋଜକ ସୁନାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


