ଚେକଡ୍ୟାମ କରାଇ ଦେବା ନାମରେ ଆଦିବାସୀଙ୍କ ଠାରୁ ଲକ୍ଷାଧିକ ଠକେଇ, ଅଭିଯୁକ୍ତ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରା.ଉଦୟଗିରି ବ୍ଲକ୍ର ବିଭିନ୍ନ ଅଞ୍ଚଳର ନିରୀହ ଆଦିବାସୀଙ୍କୁ ଚେକଡ୍ୟାମ ଓ ବିଭିନ୍ନ ପ୍ରକଳ୍ପ କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ନେଇ ରା.ଉଦୟଗିରି ଥାନାରେ ଏକ ମାମଲା ରୁଜୁ କରିଛି। ଏହି ମାମଲାରେ ପୋଲିସ ଅଭିଯୁକ୍ତ କାଳୀପ୍ରସାଦ ପ୍ରଧାନକୁ ଗିରଫ କରାଯାଇଛି. କେସ ନଂ ୧୦୨/୨୪ରେ ଦଫା ୪୨୦, ୨୯୪, ୫୦୬, ୩୨୩ ଓ ଜାତିଆଣ ଆପେକ୍ଷ ମାମଲା ରୁଜୁ ହୋଇଛି. ସୂଚନା ପ୍ରକାରେ ୨୦ ଲକ୍ଷ ଟଙ୍କାର କାଳୀପ୍ରସାଦ ଚେକଡ୍ୟାମ କରାଇଦେବା ନାମରେ ପାରିଭେଟା ଗ୍ରାମର ତିତସ ଭୂୟାଁଙ୍କ ଠାରୁ ୨୫ ହଜାର ଟଙ୍କା, ୩ଲକ୍ଷ ଟଙ୍କାର କୋଠଘର କରାଇଦେବା ନାମରେ ଅନୁକ ରଇତଙ୍କ ଠାରୁ ୨୦ହଜାର ଟଙ୍କା, ଶବର ସମାଜ ଗୃହ କରାଇଦେବା ନାମରେ ମଙ୍ଗଳା ଗମାଙ୍ଗଙ୍କ ଠାରୁ ୧୭ହଜାର ଟଙ୍କା, ୫ଲକ୍ଷ ଟଙ୍କାର କୋଠଘର ନାମରେ ସିମିରି ଗ୍ରାମର ତରଣିସେନ ରଇତଙ୍କ ଠାରୁ ୧୦ହଜାର ଟଙ୍କା ଆବାସ ଯୋଜନା ଓ ଧନଲକ୍ଷ୍ମୀ ଯୋଜନାରେ ଘର କରାଇଦେବା ନାମରେ ସୁଣ୍ଡୁରୁବା ଗ୍ରାମର ରାମଚନ୍ଦ୍ର ରଇତଙ୍କ ଠାରୁ ୨୦ହଜାର ଟଙ୍କା, ଅର୍ଜୁନ ରଇତଙ୍କ ଠାରୁ ୧୯ହଜାର ଟଙ୍କା, ଏସ୍ଏସ୍ଏମ୍ଇ ଯୋଜନାରେ କୋଟିଏ ଟଙ୍କାର ପ୍ରକଳ୍ପ କରାଇଦେବା ନାମରେ ଛେଳିଗଡ଼ର ସମ୍ପଦ ନାୟକଙ୍କ ଠାରୁ ୧ଲକ୍ଷ ୨୦ ହଜାର ହଡପ କରିଥିବା ନେଇ ରା.ଉଦୟଗିରି ଥାନାରେ ଅଭିଯୋଗ ହୋଇଛି| ୪ବର୍ଷ ତଳୁ ଏମିତି ମିଛ କହି ଟଙ୍କା ଠକି ନେଇଥିବା କାଳୀପ୍ରସାଦ ଏକ ପ୍ରମୁଖ ରାଜନୈତିକ ଦଳର ପ୍ରଭାରୀ ବୋଲି ପରିଚୟ ଦେଇ ଏମିତି କାଣ୍ଡ କରିଥିବା ଅଭିଯୋଗ ହୋଇଛି |