‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ
କଟକ, (ଓ୍ବାଇଏନଏସ): କଟକ ମହାନଗର ନିଗମ (କେଏମସି) ପକ୍ଷରୁ ଆରମ୍ଭ କରାଯାଇଥିବା ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ଅଧୀନରେ ମାନବିକତା ଓ ସାମାଜିକ ସମ୍ପର୍କର ଏକ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ଅବସରରେ କଟକ ମହାନଗର ନିଗମର ମେୟର ଶ୍ରୀ ସୁବାସ ସିଂହ ଓ କମିଶନର ସୁଶ୍ରୀ କିରଣଦୀପ କୌର ସହୋତା ଶାନ୍ତି କମିଟିର ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ଭିକାରୀ ଦାସଙ୍କ ବାସଭବନକୁ ଯାଇ ତାଙ୍କୁ ସାକ୍ଷାତ କରିଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀ ଭିକାରୀ ଦାସ କିଛି ଦିନ ଧରି ଅସୁସ୍ଥ ଥାଇ ନିଜ ବାସଭବନରେ ବିଶ୍ରାମ ନେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ମେୟର ଓ କମିଶନର ତାଙ୍କ ଘରକୁ ଯାଇଥିଲେ। ସେମାନେ ଶ୍ରୀ ଦାସଙ୍କ ସହ ଆଲୋଚନା କରି ତାଙ୍କ ଚିକିତ୍ସା, ସ୍ୱାସ୍ଥ୍ୟବସ୍ଥା ଓ ଆବଶ୍ୟକ ସହାୟତା ବିଷୟରେ ପଚାରି ବୁଝିଥିଲେ। ଏଥିସହ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିବା ସହ ଆଗାମୀ ଦିନରେ ଯେକୌଣସି ପ୍ରକାରର ସହଯୋଗ ଆବଶ୍ୟକ ହେଲେ ସିଏମସି ପକ୍ଷରୁ ସହଯୋଗ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ।ସାକ୍ଷାତକାର ସମୟରେ ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, ସହରର ଉନ୍ନତି ଓ ସାମାଜିକ ଏକତା ପାଇଁ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବା ବରିଷ୍ଠ ନାଗରିକ, ସମାଜସେବୀ ଓ ବିଭିନ୍ନ ସଂଗଠନର ପ୍ରତିନିଧିମାନଙ୍କ ସହ ନିୟମିତ ଯୋଗାଯୋଗ ରଖିବା ସିଏମସିର ଦାୟିତ୍ୱ। ‘ଆପଣ କେମିତି ଅଛନ୍ତି’ କାର୍ଯ୍ୟକ୍ରମ ମାଧ୍ୟମରେ ଅସୁସ୍ଥ, ବରିଷ୍ଠ ଓ ସମାଜ ପାଇଁ ଅବଦାନ ରଖିଥିବା ବ୍ୟକ୍ତିମାନଙ୍କ ଖବର ନେବା ସହ ତାଙ୍କ ସହ ଆତ୍ମୀୟତା ବଢ଼ାଇବା ଏହାର ପ୍ରମୁଖ ଲକ୍ଷ୍ୟ ବୋଲି ସେ ଉଲ୍ଲେଖ କରିଥିଲେ। କମିଶନର ସୁଶ୍ରୀ କିରଣଦୀପ କୌର ସହୋତା ମଧ୍ୟ ଶ୍ରୀ ଭିକାରୀ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ତାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରିଥିଲେ। ସିଏମସି ପକ୍ଷରୁ ନାଗରିକମାନଙ୍କ ସୁଖଦୁଃଖରେ ସାମିଲ ହେବା ଏବଂ ଆବଶ୍ୟକ ସମୟରେ ସେବା ଯୋଗାଇଦେବାକୁ ପ୍ରାଥମିକତା ଦିଆଯାଉଛି ବୋଲି ସେ କହିଥିଲେ। ଏହି ଅବସରରେ ସିଏମସିର ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, ଷ୍ଟାଣ୍ଡିଂ କମିଟି ଅଧକ୍ଷ୍ୟା ଶ୍ରୀମତୀ ପ୍ରଳୟା ବେହୁରା, କର୍ପୋରେଟର ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀମତୀ ଆରତି ସାହୁ,ଶ୍ରୀ ନିମାଇଁ ବିଶ୍ୱାଳ, ଶ୍ରୀ ଦେବେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି, ସିଏମସି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଶ୍ରୀ ଭିକାରୀ ଦାସ ମେୟର, କମିଶନର ଓ ସିଏମସି ପ୍ରତିନିଧିମାନଙ୍କ ଏହି ଆତ୍ମୀୟ ସାକ୍ଷାତକୁ ସ୍ୱାଗତ କରିବା ସହ ଧନ୍ୟବାଦ ଜଣାଇଥିଲେ। ସିଏମସିର ଏହି ପଦକ୍ଷେପ ସହରବାସୀଙ୍କ ମଧ୍ୟରେ ମାନବିକତା, ସହଯୋଗ ଓ ସାମାଜିକ ଦାୟିତ୍ୱବୋଧକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି।


