ଖରିଫ ଧାନ ବିକ୍ରି ଓ ଚାଷୀଙ୍କ ନାମ ପଞ୍ଜୀକରଣ ପାଇଁ ସଚେତନତା ରଥର ଶୁଭାରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ୧୫ ଜୁଲାଇରୁ ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜୀକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି I ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ | ଜିଲ୍ଲାର ୪୩ ସମବାୟ କେନ୍ଦ୍ର ଓ ୨ ଲ୍ୟାମ୍ପରେ ମୋଟ ୪୫ କେନ୍ଦ୍ରରେ ଚାଷୀଙ୍କ ପଞ୍ଜୀକରଣ କରିବା ପାଇଁ ସଚେତନ କରାଯିବ । ଏହା ବିଭାଗର ୱେବସାଇଟରେ ମଧ୍ୟ ଉପଲବ୍ଧ | ପଞ୍ଜୀକରଣ ପାଇଁ ଇଛୁକ ଚାଷୀ ସେମାନଙ୍କ ପଞ୍ଜୀକରଣ ଫର୍ମ ସହିତ କାଗଜପତ୍ର ନକଲ ଦାଖଲ କରିବା କରିବାକୁ କୁହାଯାଇଛି। ବ୍ୟାଙ୍କ ପାସ୍ ବୁକର ପ୍ରଥମ ପୃଷ୍ଠା, ଚାଷ ଜମିର ପ୍ରମାଣ ପତ୍ର, ଆଧାର କାର୍ଡ, ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ। ଯେଉଁ ଚାଷୀ ଆଗାମୀ ଖରିଫ୍ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜୀକରଣ କରିନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପଞ୍ଜୀକରଣ କରିବାକୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ସମବାୟ ସମିତିର ଉପନିବନ୍ଧକ ହରୀହର ସେଠ୍, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରା, ପାରଳାଖେମୁଣ୍ଡି ଆରଏମସି ସେକ୍ରେଟାରୀ ରେବତୀ ମୋହନ ରାଉତ, ଉପସହକାରୀ ନିବନ୍ଧକ ନାରାୟଣ ସେଠୀ ଓ ଡେପୁଟି କଲେକ୍ଟର ଲିପିନା ଦାଶ ଉପସ୍ଥିତ ଥିବା ବେଳେ ସମବାୟ ସମିତି, ଆରଏମସି ଓ ଜିଲ୍ଲା ଯୋଗାଣ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।


