ଜିଲ୍ଲାସ୍ତରୀୟ ଇଂରାଜୀ ତର୍କ ପ୍ରତିଯୋଗିତାରେ ସାଇ ସୌମ୍ୟ ପ୍ରଥମ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ଠାରେ ୭୮ତମ ସ୍ବାଧୀନତା ଦିବସ ପାଳନ ସମାରୋହରେ ନାଉଗାଁ ବ୍ଳକସ୍ଥିତ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ସାଇ ସୌମ୍ୟ ଦାସ ଇଂରାଜୀ ତର୍କ ପ୍ରତିଯୋଗିତାରେ ସମଗ୍ର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜେ ସୋନାଲ ପ୍ରମାଣପତ୍ର ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଉତ୍ସବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ପି.ଆରଙ୍କ ସହିତ ବହୁ ବିଶିଷ୍ଟ ପଦାଧିକାରୀ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ। ସାଇ ସୌମ୍ୟ ଅଲଣା ଗ୍ରାମର ଓମ୍ ପ୍ରକାଶ ଦାସ ଓ ସସ୍ମିତା ଦାସଙ୍କର କନିଷ୍ଠ ପୁତ୍ର ଅଟନ୍ତି। ସାଇ ସୌମ୍ୟଙ୍କର ଏହି ସଫଳତା ପାଇଁ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଭାରାପ୍ରାପ୍ତ ବ୍ଳକ ଶିକ୍ଷାଧିକାରୀ କୈଳାସ ପାଢ଼ୀ, ବିଦ୍ୟାଳୟର ପ୍ରାକ୍ତନ ବିଦ୍ୟାର୍ଥୀ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ରାୟ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ପବିତ୍ର କୁମାର ମନ୍ଥନ, ଶିକ୍ଷକ ଅମୂଲ୍ୟ ମିଶ୍ରଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହି ଧାରାକୁ ବଜାୟ ରଖି ଅଂଚଳର ସୁନାମ ଆଣିବାକୁ ପରାମର୍ଶ ଦେଇଛନ୍ତି।


