ମା’ଙ୍କ ପରେ ଚାଲିଗଲେ ବାପା, ଅନାଥ ଭାଇଭଉଣୀଙ୍କୁ ପ୍ରଶାସନର ସହାୟତା
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପାଞ୍ଚ ବର୍ଷ ତଳେ ମା’ଙ୍କ ମୃତ୍ୟୁ ଘଟିଥିଲା। ଚିକିତ୍ସା ଅଭାବରୁ ଏବେ ଆରପାରିକୁ ଚାଲିଗଲେ ବାପା।ବାପା ଓ ମାଙ୍କୁ ହରାଇ ଅନାଥ ହୋଇଗଲେ ଚାରି ଭାଇଭଉଣୀ।ବାପାଙ୍କ ମୃତ୍ୟୁ ପରେ ୧୧ ବର୍ଷର ପୁଅ କ୍ରିୟାକର୍ମ କରୁଛି।ଘରେ ରୋଜଗାରିଆ ମଣିଷ ବୋଲି କେହି ନାହିଁ। ବାପାମା ଛେଉଣ୍ଡ ଚାରି ନାତିନାତୁଣିଙ୍କ ସହ ସାହି କୋଠଘରେ ଦିନ କାଟୁଛନ୍ତି ୬୫ ବର୍ଷୀୟ ବୃଦ୍ଧା ଲକ୍ଷ୍ମୀ ବେହେରା।ଏପରି ସ୍ଥଳେ ଶୁବଳଙ୍କ ଦଶାହ ଓ ଏକାଦଶ କାର୍ଯ୍ୟ କରିବାକୁ ପାଖରେ ଟଙ୍କା ଟିଏ ମଧ୍ୟ ନଥିଲା। ସୋମବାର ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଉକ୍ତ ପରିବାରକୁ ରେଡକ୍ରସରୁ ୧୦,୦୦୦ ଟଙ୍କା ସହାୟତା ପ୍ରଦାନ କରିଛନ୍ତି।
ଭଞ୍ଜନଗର ସହର ୫ ନମ୍ବର ଓ୍ବାର୍ଡ ନାହାତୋଠ ସାହିର ଚାରି ଅନାଥ ଭାଇ ଭଉଣୀ ଖୁସି, ଲୁସି, ମାମାଲି ଓ ମହାବୀର। ଏମାନଙ୍କ ଜୀବନ ଯନ୍ତ୍ରଣାର କାହାଣୀ କହିଲେ ସରିବନି। ପୁର୍ବରୁ ଜେଜେ ବାପା କିଶୋର ବେହେରାଙ୍କୁ ହରାଇଥିଲେ। ଗତ ୨୦୧୯ ମସିହାରେ ମା ପୁଷ୍ପା ବେହେରାଙ୍କ ମୃତ୍ୟୁ ଘଟିଲା। ଆଉ ଏବେ ଅର୍ଥାଭାବରୁ ଚିକିତ୍ସା ସେବା ନପାଇ ଗତ ୨୩ ତାରିଖ ସୋମବାର ବାପା ଶୁବଳ ବେହେରା ଆରପାରିକୁ ଚାଲିଗଲେ। ବାପା, ମା ଓ ଜେଜେବାପାଙ୍କ ମୃତ୍ୟୁ ପରେ ଘରେ ଆଉ ରୋଜଗାରିଆ ମଣିଷ କେହି ନାହାନ୍ତି। ଜେଜେ ମା ଲକ୍ଷ୍ମୀ ମାଛ ବିକ୍ରି କରି ଯାହା ଆଣନ୍ତି ସେତକରେ ପରିବାର ଚଳେ।ସରକାରୀ ସୁବିଧା କହିଲେ ଗୋଟିଏ ଝିଅକୁ ଦିବ୍ୟାଙ୍ଗ ଭତ୍ତା ଓ ରାସନ ସାମଗ୍ରୀ ମିଳୁଛି। ଘର ଚଳାଉଥିବା ଭେଣ୍ଡିଆ ପୁଅ ଓ ବୋହୂଙ୍କ ମୃତ୍ୟୁ ପରେ ଚାରି ନାତିନାତୁଣି ୬୫ ବର୍ଷୀୟ ବୃଦ୍ଧା ଲକ୍ଷ୍ମୀଙ୍କ ପାଇଁ ବୋଝ ପାଲଟିଯାଇଛନ୍ତି। ଏମିତିକି ପୁଅ ଶୁବଳଙ୍କ ଶୁଦ୍ଧିକ୍ରିୟା ପାଇଁ ପାଖରେ ଟଙ୍କା ଟିଏ ମଧ୍ୟ ନଥିଲା। ଏପରି ସ୍ଥଳେ ନିଜ ପେଟ ଚାଖଣ୍ଡକ ଓ ଚାରି ନାତିନାତୁଣିଙ୍କ ମୁହଁରେ ମୁଠାଏ ଦାନା ଦେବାକୁ ଲକ୍ଷ୍ମୀ ହାତ ପତାଉଛନ୍ତି। ଏଭଳି ସମୟରେ ଅନାଥ ଭାଇଭଉଣୀଙ୍କୁ ଉପଜିଲ୍ଲାପାଳ ସହାୟତାର ହାତ ବଢାଇଛନ୍ତି। ତତ୍କାଳ ସେମାନଙ୍କୁ ୧୦,୦୦୦ ଟଙ୍କା ଦିଆଯାଇଛି।ଏହା ସହ ଆଗମୀ ଦିନରେ ଅନାଥ ପୁଅଝିଅଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ ସେଠୀ କହିଛନ୍ତି।