ଖଣି ଅଞ୍ଚଳରେ ଜିଲ୍ଲା ପ୍ରଶାସନର ଚଢ଼ାଉ
ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ଜିଲ୍ଲାରେ ବେଆଇନ ଖଣି, ଖାଦାନ ଏବଂ ଚାଲାଣ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି । ଆଜି ପୂର୍ବାହ୍ନ ୯.୦୦ ଘଟିକା ସମୟରେ ସୋର ତହସିଲ ଅଧିନସ୍ଥ ବାଗୁଡ଼ି ପଥର ଖାଦାନ ଏବଂ କ୍ରସର ଉପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣି ବିଭାଗର ମିଳିତ ସହଯୋଗରେ ଚଢ଼ାଉ କରାଯାଇଥିଲା । ଏହି କାର୍ଯ୍ୟାନୁଷ୍ଠାନ ସମୟରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଜିଲ୍ଲା ଖଣି ଅଧିକାରୀ, ସୋରୋ ତହସିଲଦାର, ୭ ଜଣ ଆରାଇ ଏବଂ ଆରାଇ, ସୋର ଥାନା ଅଧିକାରୀ, ଏସଡିପିଓ ସହିତ ଅନେକ ସରକାରୀ କର୍ମଚାରୀ ଓ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲ୍ଲାପାଳ ପଥର ଖନନ ଓ ପଥର କ୍ରସର କାର୍ଯ୍ୟକଳାପର ଚଢ଼ାଉ କରିଛନ୍ତି। ଏହି ଚଢ଼ାଉ ସମୟରେ ଗୋଟିଏ ପଥର ଖଣିକୁ ଜବତ କରାଯାଇଥିବାବେଳେ ୫ଟି ପଥର କ୍ରସରକୁ ସିଲ୍ କରାଯାଇଛି। ଏହା ସହିତ, ଜେସିବି ଓ ପ୍ରୋକ୍ଲିନ୍ ସମେତ ୨୩ଟି ଭାରୀ ଯାନକୁ ଅଟକ ରଖାଯାଇଛି। ୬ଟି କମ୍ପ୍ରେସରକୁ ମଧ୍ୟ ଅଟକ ରଖାଯିବା ସହିତ ୬ ଜଣ ଅପରେଟରଙ୍କୁ ଅଟକ ରଖାଯାଇଛି। ଏହି ଚଢ଼ାଉ ସମୟରେ ୭ଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି ଖଣି ଅଞ୍ଚଳରେ ବେଆଇନ ପଥର ଖନନ ଓ ଅନିୟମିତତା ରୋକିବା ସହିତ ଖଣି ନିୟମର ଉଲ୍ଲଂଘନ ଉପରେ ରୋକ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ଯାଞ୍ଚ ଓ ଚଢ଼ାଉ କରାଯାଉଛି। ଖଣି ନିୟମର ଉଲ୍ଲଂଘନ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ପ୍ରାକୃତିକ ସମ୍ପଦର ସୁରକ୍ଷା, ବେଆଇନ ଖନନ ନିୟନ୍ତ୍ରଣ ଏବଂ ଖଣି ଓ ଖଣିଜ ପଦାର୍ଥ ସମ୍ବନ୍ଧୀୟ ନିୟମର କଡ଼ାକଡ଼ି ଅନୁପାଳନ ସୁନିଶ୍ଚିତ କରିବା ଦିଗରେ ଜିଲ୍ଲା ପ୍ରଶାସନ ପ୍ରତିବଦ୍ଧ ରହିଛି ।


