ତୋ ବିଚାର
କହିବି କହିବି
ମନେ ମୁଁ ଭାବୁଛି
କହି ପାରୁ ନାହିଁ ତୋତେ,
ଏତେ ଦୂରେ ଅଛି
କେମିତି କହିବି
ଶୁଣି ପାରିବୁ କି ସତେ ।
କଥା କହିବାକୁ
ଧାଇଁ ଆସିଥିଲେ
ମାଡ ଗାଳି ଖୁଆଇଲୁ,
ବଳରାମ ଦାସ
ବନ୍ଧୁ ମହାନ୍ତିଙ୍କୁ
ବାର ହିନସ୍ତା କରିଲୁ ।
ନୁହେଁ ସାଲବେଗ
ଦାସିଆ ବାଉରୀ
ଭକ୍ତି ଡୋରେ ବାନ୍ଧି ତୋତେ,
ନ କହି ପାରିଲେ
ମନେ ଭାବିଦେଲେ
ସବୁ ଶୁଭିଯିବ ସତେ ।
ଏ କୂଳର ନୁହେଁ
ସେ କୂଳର ନୁହେଁ
ମଝିରେ ଭାସୁଛି ମୁହିଁ,
ଦୁଇ କୂଳ କଥା
ମନେ ଭାବି ଭାବି
ପାଟି ମୋଟେ ଫିଟୁ ନାହିଁ ।
ଏବେ ତୋ ବିଚାର
ଯାହା କରିପାର
ମଝି ମଝିୟାଙ୍କ ପାଇଁ,
କହୁ କହୁ ତୋତେ
ସବୁ କହିଦେଲି
ଆଉ କିଛି ବାକି ନାହିଁ ।
ଗଦାଧର ସାହୁ,
ବ୍ରହ୍ମଗିରି,ପୁରୀ