ଆସିକା ତହସିଲକୋଠାର ମରାମତି ଦିଗରେ ପ୍ରଶାସନର ନୀରବତାକୁ ନେଇ ଅସନ୍ତୋଷ ବୃଦ୍ଧି
ଆସିକା, (ଯୁଗାବ୍ଦ ନ୍ୟୁଜ):ସରକାରୀ କୋଠାଗୁଡିକର ଭିତ୍ତିଭୂମୀର ବିକାଶ ସକାଶେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଚାଲିଛି । କିନ୍ତୁ କେତେକ ସ୍ଥାନରେ ବାସ୍ତବ ସ୍ଥିତି ସଂପୁର୍ଣ୍ଣ ଭିନ୍ନ । ଏହିଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଆସିକା ତହସିଲ କାର୍ଯ୍ୟାଳୟରେ । ଆସିକା ସମେତ ଗୁଣ୍ଠପଡା, ବାଲିସିରା, ନିମିନା, ଗହଙ୍ଗୁ, ଭେଟନଇ, ବାବନପୁର, ନଳବଣ୍ଟା, ହରିଡାପଦର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟକୁ ନେଇ ଆସିକା ତହସିଲ କାର୍ଯ୍ୟାଳୟ ଗଠନ ହୋଇଛି । ଆସିକା ତହସିଲ କାର୍ଯ୍ୟାଳୟ ବର୍ଷକୁୁ କୋଟି କୋଟି ଟଙ୍କା ବିଭିନ୍ନ ବାବଦରୁ ରାଜସ୍ୱ ଆଦାୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସାଙ୍ଗକୁ ପ୍ରତ୍ୟେକ ବର୍ଷ ରାଜସ୍ୱ ଆଦାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଛି । ଆସିକା ତହସିଲ କାର୍ଯ୍ୟାଳୟରେ ଲୋକଙ୍କୁ ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଜମିଜମା ପଟ୍ଟା, ଆୟଗତ ପ୍ରମାଣପତ୍ର, ବନ୍ୟାବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସହାୟତା ସମେତ ବହୁ କଲ୍ୟାଣକାରୀ କାର୍ଯ୍ୟକ୍ରମ କରାଯାଉଛି । ଜନସାଧାରଣଙ୍କ ବହୁବିଧ କାର୍ଯ୍ୟକୁ ସମାଧାନ ପାଇଁ ଆସିକା ତହସିଲ କାର୍ଯ୍ୟାଳୟ ନିଜର ପ୍ରୟାସ ଜାରି ରଖିଛି । ତେବେ ୧୯୩୬ ମସିହାରେ ସ୍ଥାପିତ ହୋଇଥିବା ଆସିକା ତହସିଲ କାର୍ଯ୍ୟାଳୟର ଅତି ପୁରାତନ କୋଠାକୁ ମରାମତି ଓ ନବୀକରଣ କରିବା ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ତହସିଲ କାର୍ଯ୍ୟାଳୟର ସଂସ୍ଥାପନା ବିଭାଗ, ଜବରଦଖଲ ବିଭାଗ, ରେକର୍ଡ ରୁମ୍, ଭୂସଂସ୍କାର ବିଭାଗ, ବେବନ୍ଦୋବସ୍ତ ବିଭାଗ, ହାଇଟେକ୍ ସର୍ଭେ ବିଭାଗ, ଜନଗଣନା ବିଭାଗ, ନିଜାରତ ବିଭାଗ, ଲିଜ୍ ବିଭାଗ, ଜମି ଅଧିଗ୍ରହଣ ବିଭାଗର କୋଠା ସମେତ ଅନ୍ୟ କେତେକ କୋଠା ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିବା ବେଳେ ସାମାନ୍ୟ ବର୍ଷାରେ ବର୍ଷାପାଣି ଝରି ଆସବାବପତ୍ର ଓ ସରକାରୀ କାଗଜପତ୍ର ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଦେଶ ସ୍ୱାଧୀନତାର ୭୭ ବର୍ଷ ପରେ ବି ଆସିକା ତହସିଲ କାର୍ଯ୍ୟାଳୟର କେତେକ କୋଠା ଆଜବେସ୍ଟସ୍ ଘରେ ପରିଚାଳିତ ହେଉଥିବା ଲକ୍ଷ୍ୟ କରାଯାଇଛି । କେତେକ ବିଭାଗର କାନ୍ଥରେ ଗଛ ଉଠିବା ସାଙ୍ଗକୁ କାନ୍ଥଗୁଡିକ ଫାଟି ଆଁ କଲାଣି । କେତେବେଳେ କଣ ଘଟିବ ତାହା କହିବା ଅସମ୍ଭବ । କେତେକ କୋଠା ବିଷାକ୍ତ ସର୍ପଙ୍କ ଚରାଭୂଇଁ ପାଲଟିଥିବା ମଧ୍ୟ ଅଭିଯୋଗ ହେଉଛି । ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାକୁ ଆସିଯାଇଥିବା ଆସିକା ତହସିଲର କେତେକ କୋଠାରେ କର୍ମଚାରୀମାନେ ଭାଗ୍ୟକୁ ଆଦରି ଲୋକଙ୍କୁ ସେବା ଯୋଗାଉଥିବା ଦେଖିବାକୁ ମିଳୁଛି । ଆସିକା ତହସିଲ କାର୍ଯ୍ୟାଳୟର କୋଠାକୁ ପୁନରୁଦ୍ଧାର ଓ ନବୀକରଣରେ ବିଳମ୍ବ ସଂକ୍ରାନ୍ତରେ ରାସ୍ତା ଓ କୋଠାବାଡି ବିଭାଗ (ପୁର୍ତ୍ତ)ର ଯନ୍ତ୍ରୀ ଇଂ ରାମକୃଷ୍ଣ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଆସିକା ତହସିଲ କାର୍ଯ୍ୟାଳୟର କୋଠାକୁ ନୂତନ ଭାବେ ନିର୍ମାଣ କରିବା ଲାଗି ପ୍ରାୟ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଏକ ଅଟକଳ ଅନୁମୋଦନ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇସାରିଛି । ଅନୁମୋଦନ କାର୍ଯ୍ୟ ସଂପାଦନ ପରେ ଅତିଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଆସିକା ଅଞ୍ଚଳରେ ଜନସାଧାରଣଙ୍କୁ ହାତପାହାନ୍ତାରେ ରାଜସ୍ୱ ସେବା ଯୋଗାଇବା ପାଇଁ ଦୀର୍ଘ ବର୍ଷ ତଳେ ସ୍ଥାପିତ ହୋଇଥିବା ତହସିଲ କାର୍ଯ୍ୟାଳୟକୁ ନବୀକରଣ କରିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।