ଭୋଟ୍ ପାଇଁ ଅକ୍ଳାନ୍ତ ପରିଶ୍ରମ
ମଥୁରା/ମୁମ୍ବାଇ(ଏଜେନ୍ସି): ପ୍ରଚଣ୍ଡ ଟାଣ ଖରା ସତ୍ତେ୍ୱ ଆଜି ସାଂସଦ ତଥା ବଲିଉଡ୍ର ଡ୍ରିମ୍ଗାର୍ଲ ଅଭିନେତ୍ରୀ ହେମାମାଳିନୀ ନିଜ ନିର୍ବାଚନ ମଣ୍ଡଳୀର ଜଣେ ଚାଷୀଙ୍କ ଜମିକୁ ଯାଇ କ୍ଷେତରୁ ଗହମ କାଟିଛନ୍ତି । ଚଳିତ ନିର୍ବାଚନରେ ମଥୁରା ଆସନରୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଥିବା ହେମାମାଳିନୀ ପ୍ରାୟ ଘଣ୍ଟାଧିକ କାଳ ଏହି ଅଞ୍ଚଳର ଚାଷୀଙ୍କ ସହ ଆଲୋଚନା କରିବା ଦେଖିବାକୁ ମିଳିଥିଲା । ସେହିପରି ନିକଟରେ କଂଗ୍ରେସର ହାତ ଧରିଥିବା ତଥା ପ୍ରଥମଥର ପାଇଁ ଲୋକସଭା ନିର୍ବାଚନ ଲଢ଼ୁଥିବା ଅଭିନେତ୍ରୀ ରଙ୍ଗିଲା ଗାର୍ଲ ଉର୍ମିଳା ମାତୋଣ୍ଡକର ମଧ୍ୟ ଆଜି ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଭୋଟରମାନଙ୍କ ସହ ମିଶିଛନ୍ତି । ସେଠାରେ ସେ କିଛି ଅଟୋ ଚାଳକଙ୍କ ସହ କଥା ହେବାସହ ଏକ ଅଟୋକୁ ଚଲାଇଥିଲେ । ଉର୍ମିଲା ମାତୋଣ୍ଡକର ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଉତ୍ତର ମୁମ୍ବାଇରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ତେବେ ଏହି ଦୁଇ ଅଭିନେତ୍ରୀଙ୍କ ଆଜି ଦିନ ତମାମର ସମସ୍ତ କାର୍ଯ୍ୟକଳାପର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟିଏ ପଟେ ହେମାମାଳିନୀ ଗହମ କ୍ଷେତରେ ଗହମ କାଟିବାର ଫଟୋ ଓ ଅନ୍ୟପଟେ ଉର୍ମିଳାଙ୍କ ଅଟୋ ଚଲାଇବାର ଫଟୋ ଏବେ ସବୁଠି ରହିଛି ଚର୍ଚ୍ଚାରେ । ଭୋଟ୍ ପାଇବା ପାଇଁ ଏହି ଦୁଇ ଅଭିନେତ୍ରୀଙ୍କ ଏପ୍ରକାର ପ୍ରଚାରକୁ ପସନ୍ଦ କରାଯିବା ଅପେକ୍ଷା ଅଧିକ ମାତ୍ରାରେ ଟ୍ରୋଲ କରାଯାଉଥିବା ସମ୍ପର୍କରେ ସୂଚନା ମିଳିଛି ।