ହିଣ୍ଡାଲକୋର ସିଏସଆର କାର୍ଯ୍ୟକଳାପକୁ ବନ୍ଦ କରିବାକୁ ଦାବି
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲାର ମାଳି ପର୍ବତ ଅଞ୍ଚଳରେ ହିଣ୍ଡାଲକୋର ସିଏସଆର କାର୍ଯ୍ୟକଳାପକୁ ବନ୍ଦ କରିବାକୁ ମାଳି ପର୍ବତ ସୁରକ୍ଷା ସମିତି ତରଫରୁ କୋରାପୁଟ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରା ଯାଇଛି। ଏହି ଦାବିପତ୍ର କୁ ଜିଲ୍ଲା ପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠୀ ଗ୍ରହଣ କରିଥିଲେ। ମାଳି ପର୍ବତ ଅନ୍ତର୍ଗତ ଖୁଡି, ପାକଝୋଲା, ଦଲେଇଗୁଡ଼ା ଓ ସୋରିଷପଦର ପଞ୍ଚାୟତର ଏକାଧିକ ଗ୍ରାମରେ ହିଣ୍ଡାଲକୋ କର୍ମଚାରୀ ମାନେ ଆସି ନଳକୂଅ ଖନନ, ବୃକ୍ଷ ରୋପଣ, ପାଖ ଜଙ୍ଗଲରେ ତାର ବାଡ ନିର୍ମାଣ, ରାସ୍ତାକଡ଼ରେ ସୋଲାର ବିଜୁଳିକରଣ,ସ୍କୁଲ ପିଲାଙ୍କୁ ବ୍ୟାଗ ବଣ୍ଟନ, ପାଣି ଟାଙ୍କି ନିର୍ମାଣ ଓ ମାଳି ପର୍ବତ ପାଦ ଦେଶରେ ସିମେଣ୍ଟ ଖୁଣ୍ଟି ପୋତିବା କାମ କରୁଛନ୍ତି ଯାହାକୁ ସୁରକ୍ଷା ସମିତି ବିରୋଧ କରୁଛି ବୋଲି ସଭାପତି ବିଜୟ ଖିଲ କହିଛନ୍ତି। ସିଏସଆର କାର୍ଯ୍ୟକଳାପ କରିବା ପାଇଁ ଗ୍ରାମସଭାରେ କୌଣସି ପ୍ରସ୍ତାବ ଗୃହୀତ ହୋଇ ନାହିଁ ଏବଂ ଗ୍ରାମବାସୀଙ୍କ ସହ ସାମୁହିକ ଆଲୋଚନା ମଧ୍ୟ କରାଯାଇ ନାହିଁ ବୋଲି ସଭାପତି ବିଜୟ ଖିଲ ଅଭିଯୋଗ କରିଛନ୍ତି।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ କଂପାନୀର ସିଏସଆର କାର୍ଯ୍ୟକଳାପକୁ ବନ୍ଦ କରିବାକୁ ସେ ଦାବି କରିଛନ୍ତି ।ଯଦି ଦାବି ସମାଧାନ ନ ହୁଏ ତେବେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି। ସଭାପତି ବିଜୟ ଖିଲଙ୍କ ନେତୃତ୍ୱରେ ତ୍ରିଲୋଚନ ମୁଦୁଲି, ଦାସୀ ନନ୍ଦିବାଲିଙ୍କ ସହ ଶତାଧିକ ପୁରୁଷ ଓ ମହିଳା କୋରାପୁଟ ଆସି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ।