ଦିବ୍ୟାଙ୍ଗଙ୍କ ସଶକ୍ତୀକରଣ ଦିଗରେ ପ୍ରଶାସନର ପଦକ୍ଷେପ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗମାନଙ୍କୁ ସାମିଲ କରିବା ସହ ସେମାନଙ୍କୁ ସରକାରୀ ସୁବିଧା ଓ ସାମାଜିକ ସୁରକ୍ଷାର ପରିସରଭୁକ୍ତ କରିବା ଲକ୍ଷ୍ୟରେ ଲମତାପୁଟ ପଞ୍ଚାୟତ ସମିତି ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଛି। ଶିବିରରେ ବିଭିନ୍ନ ବର୍ଗର ମୋଟ ୧୯୬ ଜଣ ଦିବ୍ୟାଙ୍ଗ ପଞ୍ଜୀକରଣ କରିବା ସହ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଶିବିରରେ ଅସ୍ଥିଶଲ୍ୟଜନିତ ସମସ୍ୟାରେ ପୀଡ଼ିତ ୬୭ ଜଣ, ଦୃଷ୍ଟିବାଧିତ ୨୦ ଜଣ, ଶ୍ରବଣ ଓ ବାକ୍ଶକ୍ତି ବାଧିତ ୩୨ ଜଣ, ମାନସିକ ସମସ୍ୟାଗ୍ରସ୍ତ ୪୬ ଜଣ ଏବଂ ସିକଲସେଲ ରୋଗରେ ଆକ୍ରାନ୍ତ ୩୧ ଜଣ ପଞ୍ଜୀକୃତ ହୋଇଥିଲେ। ଶହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟ ଓ କୋରାପୁଟ ଜିଲ୍ଲା ଚିକିତ୍ସାଳୟର ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ଆବଶ୍ୟକୀୟ ଚିକିତ୍ସା ପରୀକ୍ଷା କରିବା ସହ ଦିବ୍ୟାଙ୍ଗ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଅନୁମୋଦନ କରିଥିଲେ। ଏଥିସହ ଆବଶ୍ୟକତା ଅନୁଯାୟୀ ତିନିଜଣ ଦିବ୍ୟାଙ୍ଗଙ୍କୁ ସହାୟକ ଉପକରଣ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବ୍ଲକ ଅଧ୍ୟକ୍ଷ ତାପସ କୁମାର ଚାଲାଣ, ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଙ୍ଗୀ, ବିଧାୟକ ପ୍ରତିନିଧି ପ୍ରଦ୍ୟୁମ୍ନ ପୂଜାରୀ, ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ପାଙ୍ଗୀ, ସମିତିସଭ୍ୟ ଜଗନ୍ନାଥ ହନ୍ତାଳ, ସିଡିପିଓ ଇନ୍ଦୁମତି ପାଣିଗ୍ରାହୀ ଏବଂ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶିବାନୀ ମୁଦୁଲି ଉପସ୍ଥିତ ରହି ଶିବିରର କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ।
ବିଡିଓ ଜୟନ୍ତ କୁମାର ମେହେର ଙ୍କ ସହ ଅତିରିକ୍ତ ବିଡିଓ ନିଲମ ମାନସୀ ଭତ୍ରା ଶିବିରର ସମସ୍ତ କାର୍ଯ୍ୟକୁ ସୁସଂଗଠିତ ଭାବେ ପରିଚାଳନା କରିଥିଲେ। ଅନ୍ୟପକ୍ଷରେ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଶିବିରକୁ ଆସିଥିବା ଦିବ୍ୟାଙ୍ଗଙ୍କ ସମେତ ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇଥିଲା। ଦିବ୍ୟାଙ୍ଗମାନଙ୍କୁ କେବଳ ସହାନୁଭୂତି ନୁହେଁ, ବରଂ ସମାନ ସୁଯୋଗ, ସମ୍ମାନ ଓ ସ୍ୱାବଲମ୍ବନର ପଥ ପ୍ରଦାନ କରିବା ଦିଗରେ ଏଭଳି ଶିବିର ଏକ ଉଲ୍ଲେଖନୀୟ ପ୍ରଶାସନିକ ପ୍ରୟାସ ଭାବେ ପରିଗଣିତ ହୋଇଛି।


