ଫେବୃଆରୀ ୧୦ରୁ ଚତୁର୍ବିଂଶତମ ସଂକୀର୍ତ୍ତନ ମହୋତ୍ସବ
ବେତନଟୀ,(ଉଦିତ କୁମାର ପରିଡା): ବେତନଟୀ ଉପକଣ୍ଠ ପଣ୍ଡୁଗଡିଆଠାରେ ଫେବ୍ରୁଆରୀ ୧୦ତାରିଖରୁ ଆରମ୍ଭ ହେବ ଚତୁର୍ବିଂଶତମ ବାର୍ଷିକ ସଂକୀର୍ତ୍ତନ ମହୋତ୍ସବ। ପଣ୍ଡୁଗଡିଆ ସାଂସ୍କୃତିକ ସଂଘ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ଏହି ଷୋହଳ ପ୍ରହର ଅଖଣ୍ଡ ନାମଯଜ୍ଞ କାର୍ଯ୍ୟକ୍ରମରେ ଓଡିଶା ଓ ଝାଡ଼ଖଣ୍ଡରୁ ବଛାବଛା ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିବେ। ଫେବୃଆରୀ ୧୦ତାରିଖରେ ଅଧ୍ବବାସ, ୧୧ରେ ଘଟତ୍ତୋଳନ ସହିତ ନାମ ଆରମ୍ଭ କାର୍ଯ୍ୟକ୍ରମ ରହିଛି। ୧୨ ତାରିଖରେ ମାଘ ପୂର୍ଣ୍ଣିମା ଏବଂ ଅଖଣ୍ଡ ନାମ ଚାଲିବା ସହିତ ସନ୍ଧ୍ୟା ୭ଟାରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ମେଳି କାର୍ଯ୍ୟକ୍ରମ ରହିଛି। ୧୩ ତାରିଖରେ ଷୋହଳପ୍ରହର ଅଖଣ୍ଡ ନାମଯଜ୍ଞର ନାମ ସମାପନ ସାଙ୍ଗକୁ ସମସ୍ତ ସଂକୀର୍ତ୍ତନମଣ୍ଡଳୀଙ୍କୁ ନେଇ ସମାପନୀ ମେଳି ପରେ ନଗର ପରିକ୍ରମା ଓ ଦଧୂଭଞ୍ଜନ ପୂର୍ବକ ସଂକୀର୍ତ୍ତନ ମହୋତ୍ସବର ଉଦ୍ଯାପନୀ ରହିଛି। ଏହି ଅଖଣ୍ଡପ୍ରହର ନାମଯଜ୍ଞ ସାଙ୍ଗକୁ ସାମୁହିକ ପ୍ରସାଦ ସେବନରେ ବେତନଟୀ, ବଡ଼ସାହି ସମେତ ଆଖପାଖ ବ୍ଲକରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ସମାଗମକୁ ଦୃଷ୍ଟିରେ ରଖି ଆୟୋଜକ ପଣ୍ଡୁଗଡିଆ ସାଂସ୍କୃତିକ ସଂଘ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ପୁରା ଗାଁ ଜୋରଦାର ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଭିଡ଼ ନିୟନ୍ତ୍ରଣ ସାଙ୍ଗକୁ ଶାନ୍ତିଶୃଙ୍ଖଳା ପାଇଁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏହି ମହୋତ୍ସବରେ ଦେଉଳି ଉପକଣ୍ଠ କାଣିମହୁଲି, ଝାଡ଼ଖଣ୍ଡର ଟାଟା, ବମ୍ବେ ଛକ ଉପକଣ୍ଠ ସାନଚାଟରା, ବାଲେଶ୍ଵର ଜିଲ୍ଲା ସୋର ଉପକଣ୍ଠ ତୁଡିଗଡ଼ିଆ ଏବଂ ମୟୁରଭଞ୍ଜ ଜିଲ୍ଲା ନୂଆଗାଁରୁ ନାମି ଦାମୀ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।


