ବାଙ୍କୀ ବ୍ଲକରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର
କଟକ, (ଯୁଗାବ୍ଦ ନ୍ୟୁଜ):ବାଙ୍କୀ ବ୍ଲକରେ ଆଜି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ କରାଯିବା ଓ ଜନସାଧାରଣଙ୍କ ସହଯୋଗରେ ପ୍ରଶାସନର କାର୍ଯ୍ୟକୁ ଅଧିକ ଲୋକାଭିମୁଖୀ କରିବା, ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବାଙ୍କୀ ବ୍ଲକର ଜନସାଧାରଣ ଯୋଗଦେଇ ନିଜ ନିଜର ବ୍ୟକ୍ତିଗତ ଓ ସାମୁହିକ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ବିଭିନ୍ନ ଅଭିଯୋଗ ମଧ୍ୟରେ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା, କୃଷି,ରାଜସ୍ଵ, ଫୌଜଦାରୀ, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ବିଭିନ୍ନ ସମସ୍ୟା ସମ୍ପକିତ ମୋଟ ୧୦୩ ଟି ଅଭିଯୋଗର ଜନଶୁଣାଣୀ କରି ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦେଶ ପ୍ରଦାନ କରିଥିଲେ। ଉକ୍ତ ଅଭିଯୋଗ ଶୁଣାଣି ଶିବିରରେ କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ସିଂହ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବୋ ଟପ୍ପୋ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ, କଟକ ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡଃ ପ୍ରଶାନ୍ତ କୁମାର ହୋତା, ଉପଖଣ୍ଡ ଚିକିତ୍ସାଳୟ୍ ଅଧିକ୍ଷକ ଶ୍ରୀ ବନବାସୀ ବେହେରା, ବାଙ୍କୀ ଉପଜିଲ୍ଲାପାଳ ଦାୟିତ୍ୱରେ ଥିଲା ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ତହସିଲଦାର ବାଙ୍କୀ ଅଶେଷ କୁମାର ନାୟକ, ନିର୍ବାହୀ ଅଧିକାରୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀ ସମ୍ପଦ କୁମାର ସ୍ବାଇଁଙ୍କ ସମେତ ଜିଲ୍ଲା ଓ ଉପଖଣ୍ତର ସମସ୍ତ ଅଧିକାରୀ ଓ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶିବିରରେ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଜିଲ୍ଲାପାଳଙ୍କ ଆସନ୍ତା ଜନଶୁଣାଣୀ ମାର୍ଚ୍ଚ ୧୦ ତାରିଖରେ କିଶନନଗର ତହସିଲରେ ଅନୁଷ୍ଠିତ ହେବ।


