ସୁଭଦ୍ରା ପଛରେ ସରକାର, ବାର୍ଦ୍ଧକ୍ୟ ଭତ୍ତା କୁ ଅଣଦେଖା
ଶେରଗଡ, (ଅନୀଲ କୁମାର ପଣ୍ଡା):ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ନିର୍ବାଚନ ପ୍ରତିଶୃତି ପାଳନ କିମ୍ବା ମହିଳା ସନ୍ତୁଷ୍ଟିକରଣ ଲକ୍ଷ୍ୟ ରେ ସୁଭଦ୍ରା ଯୋଜନା କୁ ଯେଉଁଭଳି ଗୁରୁତ୍ୱ ଦେଉଛନ୍ତି, ଅନ୍ୟାନ୍ୟ ଯୋଜନାରେ ଭତ୍ତା ବୃଦ୍ଧି ନେଇ ଅନୁରୂପ ତତ୍ପରତା ପରିଲକ୍ଷିତ ହେଉନାହିଁ। ବିଶେଷ କରି ମଧୁବାବୁ ପେନସନ ଯୋଜନା, ଈନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ସାମିଲ ବୃଦ୍ଧ ବୃଦ୍ଧା ,ବିଧବା,ଭିନ୍ନକ୍ଷମ ସର୍ବୋପରି କଳାକାର ଯୋଜନାରେ ସାମିଲ ହିତାଧିକାରୀଙ୍କ ଭତ୍ତା ବୃଦ୍ଧି କୁ ସରକାର ଭୁଲିଯାଈଥିବା ଭଳି ମନେ ହେଉଛି। ଯାହାକୁ ନେଇ ଶେରଗଡ ବ୍ଲକର ଭତ୍ତା ପାଉଥିବା ୮୦ ବର୍ଷ ରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଈଛି। ଏନେଇ ଆଜି ଠୁରୁବୁରାଈ ପଞ୍ଚାୟତ ପକ୍ଷରୁ ବିଡ଼ିଓ ଙ୍କ କାର୍ୟ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ସରକାର ଅବିଳମ୍ବେ ଏହି ୮୦ ବର୍ଷ ରୁ ଉର୍ଦ୍ଧ୍ବ ସାମିଲ କରିବା ସହିତ ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଓ କଳାକାର ଙ୍କୁ ପ୍ରଦାନ କରିବାକୁ ଦାବି କରିଛନ୍ତି। ସବୁଠାରୁ ବଡ କଥା ହେଲା ସରକାର ମଧୁବାବୁ ପେନସନ ଯୋଜନାରେ ହିତାଧିକାରୀଙ୍କ ଭତ୍ତା ୧ ହଜାରରୁ ୨ ହଜାର ଟଙ୍କା,୮୦ ବର୍ଷ ବା ତଦୁର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ଙ୍କ ଭତ୍ତା କୁ ୧୨୦୦ ରୁ ୩୦୦୦ ଟଙ୍କା କୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ହେଲେ ଏହି ଘୋଷଣା କୁ ଈତି ମଧ୍ୟରେ ୮ ମାସ ବିତିଥିଲେ ମଧ୍ୟ ସରକାର ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯାହାକୁ ନେଇ ଭତ୍ତା ପାଉଥିବା ଲୋକଙ୍କ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ ପାଈବା ସହ ଏନେଇ ଆନ୍ଦୋଳନ ଲାଗି ଚେତାବନୀ ଦେଈଛନ୍ତି। ଶେରଗଡ ବ୍ଲକ ରେ ମଧୁବାବୁ ପେନସନ ଯୋଜନା ରେ ମୋଟ ୧୨୭୪୭ ହିତାଧିକାରୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦ ବା ତଦୂର୍ଦ୍ଧ ବୟସର ୩୩୩ ହିତାଧିକାରୀ ମାସକୁ ୩୫୦୦ ଟଙ୍କା ଭତ୍ତା ପାଉଥିବା ବେଳେ ୧୭୮ ଜଣ ହିତାଧିକାରୀ ୩୫୦୦ ଟଙ୍କା ଭତ୍ତା ପାଈବା ଲାଗି ଅପେକ୍ଷା ରେ ରହିଛନ୍ତି। ସେହିଭଳି ଈନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନା ରେ ମୋଟ ୫୭୦୬ ହିତାଧିକାରୀ ରହିଥିବା ବେଳେ ସେଥିମଧ୍ୟରୁ ୪୩୦ ଜଣ ୮୦ ବା ତଦୂର୍ଦ୍ଧ ବୟସର ହିତାଧିକାରୀ ୩୫୦୦ ଟଙ୍କା ଭତ୍ତା ପାଉଛନ୍ତି । ଏନେଇ ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି ଯେ,ଈନ୍ଦିରା ଗାନ୍ଧୀ ପେନସନ ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ୮୦ ବର୍ଷ ସ୍ପର୍ଶ ହେଲେ ତାଙ୍କ ଭତ୍ତା ଆପେ ଆପେ ୩୫୦୦ ଟଙ୍କା ହୋଈଯାଈଥାଏ। ସରକାରଙ୍କ ଭତ୍ତା ବୃଦ୍ଧି ଘୋଷଣା ପରେ ଏହି ବର୍ଗର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଈଥିଲା,ହେଲେ ମାସ ପରେ ମାସ ଅତିକ୍ରାନ୍ତ ହୋଇ ଚାଲିଥିଲେ ମଧ୍ୟ ମାତ୍ର କିଛି ବ୍ୟକ୍ତି ଙ୍କୁ ପ୍ରଦାନ କରି ସରକାର ଶହ ଶହ ହିତାଧିକାରୀଙ୍କୁ ଅଣଦେଖା କରିଛନ୍ତି। ଅନୁରୂପ ଭାବେ ମଧୁବାବୁ ଏବଂ ଈନ୍ଦିରା ଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୧୫୫ ଜଣ ଭିନ୍ନକ୍ଷମ ଭତ୍ତା ପାଉଥିବା ବେଳେ ୧୭୫ ଜଣ ଆବେଦନ କରି ଭତ୍ତା ଅପେକ୍ଷା ରେ ରହିଛନ୍ତି। ସାଧାରଣ ଭତ୍ତା ହିତାଧିକାରୀଙ୍କ ଭଳି ଏମାନେ ମଧ୍ୟ ବର୍ଦ୍ଧିତ ଭତ୍ତା କୁ ଚାହିଁ ବସିଛନ୍ତି। ସେହିଭଳି ବ୍ଲକ ରେ ଥିବା କଳାକାର ଭତ୍ତା ହିତାଧିକାରୀ ମାନେ ସରକାରଙ୍କ ବର୍ଦ୍ଧିତ ଭତ୍ତା କୁ ଅପେକ୍ଷା କରି ରହିଛନ୍ତି। ହେଲେ ସରକାର ଏ ଦିଗରେ କୌଣସି କାର୍ୟ୍ୟ ପନ୍ଥା ଗ୍ରହଣ କରିନାହାନ୍ତି। ଯାହାକୁ ନେଇ ଭତ୍ତା ପାଉଥିବା ବ୍ୟକ୍ତି ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଈଛି। ସେମାନଙ୍କ କହିବା କଥା ସରକାରୀ ନିଷ୍ପତ୍ତି ହେବା ମାତ୍ରେ ବିଧାୟକ ଓ ସାଂସଦ ଙ୍କ ଭତ୍ତା ତୁରନ୍ତ ଦ୍ବିଗୁଣିତ ଓ ତ୍ରିଗୁଣିତ କରାଯାଉଛି ହେଲେ ସ୍ବଳ୍ପ ଭତ୍ତା ରେ ଗୁଜୁରାଣ ମେଣ୍ଟାଉଥିବା ଗରିବ, ଦୁଃସ୍ଥ ଏବଂ ଅସହାୟ ଭତ୍ତାଧାରୀ ଙ୍କ ଦୁଃଖ ସରକାର ଶୁଣୁନାହାନ୍ତି। ସରକାରଙ୍କ ଏଭଳି ଟାଳଟୁଳ ନୀତି କୁ ବିରୋଧ କରି ଠୁରୁବୁରାଈ ପଞ୍ଚାୟତ ର ଭିନ୍ନକ୍ଷମ ଶିଶୁ କାହ୍ନା ଲେଙ୍କା ଙ୍କ ସହିତ ୮୦ ବର୍ଷ ରୁ ଉର୍ଦ୍ଧ୍ବ ସାହି ପାଣିଗ୍ରାହୀ, କୃଷ୍ଣ ସିଅ,ବଳରାମ ପାଣିଗ୍ରାହୀ, କୃଷ୍ଣ ମହାନ୍ତି, ହେମ ମହାନ୍ତି, ହେମ ପାଣିଗ୍ରାହୀ, ନକୁଳ ମହାନ୍ତି, ହେମ ସ୍ବାଈଁ ଏବଂ ଶ୍ୟାମ ସୁନ୍ଦର ସାହୁ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାର ଘୋଷଣା କରିଥିବା ୩୫୦୦ ଟଙ୍କା ଭତ୍ତା କୁ ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି।


