ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ ସିରାଜ ସଭାପତି , ତପନ ସମ୍ପାଦକ
ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ଓକିଲ ସଂଘ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ୨୦୨୫-୨୬ ବର୍ଷ ପାଇଁ ଅପ୍ରତିଦ୍ବନ୍ଦୀ ଭାବରେ ବିଜୟ ଲାଭ କରିଥିବା ପ୍ରାର୍ଥୀ ମାନଙ୍କ ନାମ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ବିଧିବଦ୍ଧ ଭାବରେ ଘୋଷଣା କରିଛନ୍ତି । ସଭାପତି ଭାବେ ପୂର୍ବତନ ବାର ସଭାପତି ସିରାଜୁଦ୍ଦିନ ଅହମ୍ମଦ ନିର୍ବାଚିତ ହୋଇଥିବା ବେଳେ ଉପ ସଭାପତି ଭାବେ ସଦାଶିବ ସାହୁ , ସମ୍ପାଦକ ଭାବେ ଲଗାତର ତୃତୀୟ ଥର ନିର୍ବାଚିତ ହୋଇ ତପନ କୁମାର ସିଂ ହ୍ୟାଟ୍ରିକ ବିଜୟ ହାସଲ କରିଛନ୍ତି । ସେଭଳି କୋଷାଧକ୍ଷ ଭାବେ ସେଖ ବାବା ଅଲିଶା ଓ କାର୍ଯ୍ୟକାରୀ ସଦସ୍ୟ ରୂପେ ଗଜେନ୍ଦ୍ର ଦାସଙ୍କ ନାମ ଘୋଷଣା କରାଯାଇଛି । ଗତ ୯ ତାରିଖ ଦିନ ଯାଞ୍ଚ ପ୍ରକ୍ରିୟାରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମାନଙ୍କ ନାମାଙ୍କନ କାଏମ ରହିବା ପରେ ୧୨ ତାରିଖ ଦିନ ଅନୁଷ୍ଠିତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିବସରେ କିଛି ପ୍ରାର୍ଥୀ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଗୋଟିଏ ଯୁଗ୍ମ ସମ୍ପାଦକ ପଦବୀ ଓ ୩ଟି କାର୍ଯ୍ୟକାରୀ ସଦସ୍ୟ ପଦବୀ ଖାଲି ପଡିଥିଲା । ଆଗାମୀ ଦିନରେ ଏହି ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଏପ୍ରିଲ ପହିଲା ଠାରୁ ୨୦୨୬ ମସିହା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନୂତନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ରହିବ । ଏହି ନିର୍ବାଚନ ପ୍ରକ୍ରିୟାକୁ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଜୀବୀ ସି ଏଚ ବାବା ଯୁଗନ୍ଧର ପରିଚାଳନା କରିଥିବା ବେଳେ ସହକାରୀ ନିର୍ବାଚନ ଅଧିକାରୀ ଆଇନଜୀବୀ କିଶୋର ପଟ୍ଟନାୟକ ଓ ଆଇନଜୀବୀ ତାଜ ଇମରାନ ସରିଫ ସହଯୋଗ କରିଥିଲେ ।


